ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ରସଗୋଲା କାହାର? ଏହି ପ୍ରଶ୍ନକୁ ନେଇ କିଛି ବର୍ଷ ପୂର୍ବେ ଦୁଇ ରାଜ୍ୟ ଓଡ଼ିଶା ଓ ପଶ୍ଚିମବଙ୍ଗ ସାମ୍ନାସାମ୍ନି ହୋଇଥିଲେ। ସାଧାରଣ ଜନତାଙ୍କ ଠାରୁ ଆରମ୍ଭ କରି ସରକାରୀସ୍ତରରେ ଏହି ପ୍ରଶ୍ନର ଉତ୍ତର ଖୋଜା ଯାଇଥିଲା। ଇତି ମଧ୍ୟରେ ଏହି ଘଟଣାରେ ସାମାନ୍ୟ ପୂର୍ଣ୍ଣଛେଦ ପଡ଼ିଛି। ହେଲେ ବର୍ତ୍ତମାନ ବିସିସିଆଇ ସଭାପାତି ସୌରଭ ଗାଙ୍ଗୁଲିଙ୍କର ରସଗୋଲାକୁ ନେଇ ଏକ ମନ୍ତବ୍ୟ ଆସିଛି। ଏଥିରେ ସୌରଭ ରସଗୋଲା ଓଡ଼ିଶାର ବୋଲି କହିଛନ୍ତି।ସେ ଆହୁରୁ ମଧ୍ଯ କହିଛନ୍ତି ରସଗୋଲା ଜଗନ୍ନାଥ ମହାପ୍ରଭୁଙ୍କ ସହ ଜଡିତ ବୋଲି ସୂଚନା ରହିଛି। ସୌରଭ ଏପରି କହୁଥିବାର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ସୌରଭ ଏହି କଥା ଏକ ରିୟାଲିଟି ଶୋ ରେ କହୁଥିବାର ନଜର ଆସିଛନ୍ତି।
ସୂଚନାଯୋଗ୍ୟ ଯେ, ଶ୍ରୀମନ୍ଦିରରେ ଜଗନ୍ନାଥଙ୍କ ନୈବେଦ୍ୟ ଭାବେ ପ୍ରାୟ ୮୦୦ ବର୍ଷ ତଳୁ ରସଗୋଲା ଭୋଗ ହୋଇଆସୁଛି। ଏ ସମ୍ପର୍କରେ ବଳରାମ ଦାସ ରଚିତ ‘ଦାଣ୍ଡି ରାମାୟଣ’ରେ ମଧ୍ୟ ବର୍ଣ୍ଣନା ହୋଇଛି। ଇତିମଧ୍ୟରେ ଡାକ ବିଭାଗ ପକ୍ଷରୁ ‘ଶ୍ରୀଜଗନ୍ନାଥଙ୍କ ବ୍ୟଞ୍ଜନରେ ରସଗୋଲା’ ଶୀର୍ଷକରେ ସ୍ୱତନ୍ତ୍ର ଲଫାପା ଜାରି କରାଯାଇଛି। ମାତ୍ର ୧୫୦ ବର୍ଷ ତଳେ ଓଡିଆ କାରିଗରଙ୍କଠାରୁ ପଶ୍ଚିମବଙ୍ଗ କାରିଗରମାନେ ରସଗୋଲା ପ୍ରସ୍ତୁତି ଶିଖି ଏହାକୁ ନିଜର ବୋଲି ଦାବି କରିବା ପରଠାରୁ ଏହି ବିବାଦ ସୃଷ୍ଟି ହୋଇଥିଲା। ପଶ୍ଚିମବଙ୍ଗ ସରକାର ରସଗୋଲାକୁ ନେଇ ଭୌଗୋଳିକ ମାନ୍ୟତା ହାସଲ କରିଥିବାରୁ ଏ ନେଇ ସାଂସ୍କୃତିକ ଅନୁଷ୍ଠାନ ‘ପୁଣ୍ୟ ଉତ୍କଳ’ ଓ ସାହିତ୍ୟ ପତ୍ରିକା ‘ଓଡିଆ ପର୍ବ’ ପକ୍ଷରୁ ଓଡିଶା ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ରୁଜୁ ହୋଇଥିଲା। ଏହାପରେ ୨୩ ଫେବ୍ରୁଆରୀ ୨୦୧୮ରେ ଓଡ଼ିଶା କ୍ଷୁଦ୍ର ଶିଳ୍ପ ନିଗମ ଏବଂ ଉତ୍କଳ ମିଷ୍ଟାନ୍ନ ବ୍ୟବସାୟୀ ସମିତି ପକ୍ଷରୁ ‘ଓଡ଼ିଶା ରସଗୋଲା’ର ଜିଆଇ ମାନ୍ୟତା ଲାଗି ଆବେଦନ କରାଯାଇଥିଲା ଓ ଓଡ଼ିଶା ପକ୍ଷରୁ ତଥ୍ୟ ପ୍ରମାଣ ସହ ରସଗୋଲାର ଉତ୍ପତ୍ତି ଓଡ଼ିଶାରୁ ବୋଲି ସ୍ପଷ୍ଟ କରାଯାଇଥିଲା। ଏହା ପରେ ଓଡ଼ିଶା ରସଗୋଲାକୁ ଜିଆଇ ମାନ୍ୟତା ମିଲିଥିଲା।
