ତାଇପେଇ : ଚୀନ ଓ ତାଇଓ୍ବାନ ମଧ୍ୟରେ ଏବେ ଯୁଦ୍ଧ କୁ ନେଇ ଆଶା ଓ ଆଶଂକା ପ୍ରକାଶ ପାଇଛି । ଯୁଦ୍ଧାଭ୍ୟାସ ଆଳରେ ତାଇଓ୍ବାନକୁ ଅଧିକାର କରିବାକୁ ଯୋଜନା ପ୍ରସ୍ତୁତ କରୁଛି ଚୀନ । ଏପରି ଆଶଙ୍କା ପ୍ରକାଶ କରିଛନ୍ତି ତାଇଓ୍ବାନର ବୈଦେଶିକ ମନ୍ତ୍ରୀ ଜୋସେଫ ୟୁ ।
ତାଇପେଇଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି ଯେ ଚୀନ ନିଜର ସମରାଭ୍ୟାସକୁ ଆଳ କରି ତାଇଓ୍ବାନକୁ ଅଧିକାର କରିବାକୁ ପ୍ରସ୍ତୁତି ଚଳାଇଛି ।
ସେ କହିଛନ୍ତି ଚୀନ ସେନା ବଡ଼ ଧରଣର ସମରାଭ୍ୟାସ କରିବା ସହ ମିଜାଇଲ ଉତକ୍ଷେପଣ ଚଳାଇଛି । କେବଳ ଏତିକି ନୁହେଁ, ତାଇଓ୍ବାନ ଲୋକମାନଙ୍କ ହତୋତ୍ସାହିତ କରିବାକୁ ଚୀନ ପକ୍ଷରୁ ସାଇବର ଆକ୍ରମଣ, ଅର୍ଥନୈତିକ ଅବରୋଧ ଓ ମିଥ୍ୟାପ୍ରଚାର ( ସୂଚନା ଯୁଦ୍ଧ) କରାଯାଉଛି ।
ଅଗଷ୍ଟ ୨ରେ ହୋଇଥିବା ପେଲୋସିଙ୍କ ତାଇଓ୍ବାନ ଗସ୍ତର ଦୁଇଦିନ ପରେ ଚୀନ ତାଇଓ୍ବାନକୁ ଘେରି ସମୁଦ୍ରରେ ଏକ ବୃହତ ସମରାଭ୍ୟାସ କରିଥିଲା । ଏହି ସମରାଭ୍ୟାସ ବେଳେ ଚୀନର ୬୮ଟି ଚୀନ ଯୁଦ୍ଧବିମାନ ଓ ୧୩ଟି ଯୁଦ୍ଧ ଜାହାଜ ତାଇଓ୍ବାନ ପ୍ରଣାଳୀ ( ଚୀନ ଓ ତାଇଓ୍ବାନ ମଧ୍ୟରେ ଥିବା ସାମୁଦ୍ରିକ ଅଂଚଳ)ର ମଧ୍ୟରେଖା ଅତିକ୍ରମ କରିଥିଲେ । ଏପରିକି ଚୀନ ବିମାନଗୁଡ଼ିକ ତାଇଓ୍ବାନ ଉପକୂଳଠାରୁ ୨୦ ମାଇଲ ଦୂର ପର୍ଯ୍ୟନ୍ତ ପଳାଇଆସିଥିଲେ । ଗତ ରବିବାର ଦିନ ଚୀନ ନିଜର ସମରାଭ୍ୟାସ ଶେଷ କରିବାକୁ ପୂର୍ବରୁ ଘୋଷଣା କରିଥିଲେ ବି ତାହା ଏବେ ବି ଜାରି ରହିଛି ।
ଏହାର ଜବାବରେ ତାଇଓ୍ବାନ ପକ୍ଷରୁ ମଙ୍ଗଳବାର ଦିନ ଏକ ସମରାଭ୍ୟାସ ଆରମ୍ଭ କରାଯାଇଥିଲା । ଏହା ମାଧ୍ୟମରେ ଚୀନର ମୁକାବିଲା କରିବାକୁ ତାଇଓ୍ବାନ ସେନା ନିଜ ପ୍ରସ୍ତୁତିର ପ୍ରଦର୍ଶନ କରିଥିଲା ।
