ନୂଆଦିଲ୍ଲୀ :ସ୍ୱାଧୀନତା ଦିବସ ପାଳନରେ ସ୍ୱଦେଶୀ ଆର୍ଟିଲାରୀ ଗନରୁ ୨୧ ତୋପ ସଲାମୀ ଦିଆଯିବ। ଚଳିତବର୍ଷ ଲାଲକିଲ୍ଲାରେ ଏହି ତୋପ ସଲାମୀ ଦିଆଯିବ । ଏପର୍ଯ୍ୟନ୍ତ ଦ୍ୱିତୀୟ ବିଶ୍ୱଯୁଦ୍ଧକାଳର ବ୍ରିଟିଶ ପାଉଣ୍ଡର ଗନରୁ ଏହି ତୋପ ସଲାମୀ ଦିଆଯାଉଥିଲା। ସ୍ୱାଧୀନତାର ୭୫ ତମ ବାର୍ଷିକ ଅବସରରେ ପ୍ରଥମ ଥର ନୂଆ ପଦକ୍ଷେପ ନିଆଯାଇଛି। କେନ୍ଦ୍ର ପ୍ରତିରକ୍ଷା ସଚିବ ଡା. ଅଜୟ କୁମାରଙ୍କ ଅନୁସାରେ ରକ୍ଷା ଗବେଷଣା ଓ ବିକାଶ ସଙ୍ଗଠନ (ଡିଆରଡିଓ) ମେକ-ଇନ-ଇଣ୍ଡିଆରେ ଆଡଭାନ୍ସ ଟୋଡ ଆର୍ଟିଲାରୀ ଗନ ସିଷ୍ଟମ (ଏଟିଏଜିଏସ୍) ବିକଶିତ କରିଛନ୍ତି।

ଏପର୍ଯ୍ୟନ୍ତ ପରମ୍ପରା ଗତ ଭାବେ ସଲାମୀ ଲାଗି ବ୍ୟବହୃତ ହେଉଥିବା ବ୍ରିଟିଶ ତୋପ ସାଙ୍ଗକୁ ସ୍ୱଦେଶୀ ହୋୱିଟଜୋର ତୋପ ମଧ୍ୟ ସଲାମୀ ଦେବେ। ଏଥିଲାଗି ଆଡଭାନ୍ସଡ ଟାଡ ଆର୍ଟିଲେରୀ ଗନ ସିଷ୍ଟମ (ଏଟିଏଜିଏସ୍)ର ପ୍ରୋଟୋ ଟାଇପ୍ କୁ ଉପଯୋଗ କରାଯିବ। ଏହି ତୋପର ବ୍ୟବହାର ସ୍ୱଦେଶୀ ରୂପେ ତୋପ ବିକଶିତ କରିବାରେ ଭାରତର ବର୍ଦ୍ଧିତ କ୍ଷମତାର ପ୍ରତୀକ ଭାବେ କରାଯିବ।

ଜାଣନ୍ତୁ ଏଟିଏଜିଏସ୍ କଣ ?

ଆଡଭାନ୍ସଡ ଟାଡ ଆର୍ଟିଲେରୀ ଗନ ସିଷ୍ଟମ (ଏଟିଏଜିଏସ୍)କୁ ଡିଆରଡିଓ ଟାଟା ଓ ଭାରତ ଫର୍ଜଙ୍କ ସହ ମିଶି ନିର୍ମାଣ କରିଛନ୍ତି। ୧୫୫x୫୨ କାଲିବରର ଏହି ଏଟିଏଜିଏସ୍ ତୋପର ରେଞ୍ଜ ପାଖାପାଖି ୪୮ କିଲୋମିଟର ଓ ଖୁବ୍ ଶୀଘ୍ର ଭାରତୀୟ ସେନାବାହିନୀରେ ସାମିଲ ହେବ। କେନ୍ଦ୍ର ପ୍ରତିରକ୍ଷାମନ୍ତ୍ରାଳୟ ୨୦୧୮ ମସିହାରେ ୧୫୦ଟି ଏଟିଏଜିଏସ୍ କ୍ରୟ ଲାଗି ମଞ୍ଜୁରୀ ଦେଇଥିଲେ। ସ୍ୱାଧୀନତା ଦିବସରେ ଏଥିରୁ ଗୋଳା ମାଡ଼ ପାଇଁ କିଛି ବିଶେଷ ପରିବର୍ତ୍ତନ କରାଯାଇଛି ।