ଭୁବନେଶ୍ବର : ଫୁଲୁଛି ସୁବର୍ଣ୍ଣରେଖା । ନଦୀରେ ଦେଖାଦେଇପାରେ ବଡ଼ ବନ୍ୟା । ଏନେଇ ଆଶଙ୍କା ଦେଖା ଦେଇଛି। ଏନେଇ ଟ୍ବିଟ୍ କରି ଏସଆରସି ସୂଚନା ଦେଇଛନ୍ତି।
ରାତି ୮ଟା ସୁଦ୍ଧା ଝାଡ଼ଖଣ୍ଡ ଗାଲୁଡିହ ବ୍ୟାରେଜର ୧୪ଟି ଗେଟ୍ ଖୋଲାଯାଇଛି। ଫଳରେ ସୁବର୍ଣ୍ଣରେଖା ନଦୀର ଜଳସ୍ତର ବଢ଼ିବ। ସମ୍ଭାବ୍ୟ ବନ୍ୟା ସ୍ଥିତିକୁ ଦୃଷ୍ଟିରେରଖି ମୟୂରଭଞ୍ଜ ଓ ବାଲେଶ୍ବର ଜିଲ୍ଲାପାଳଙ୍କୁ ଏସଆରସି ଆଲର୍ଟ କରିଛନ୍ତି। ବନ୍ୟା ମୁକାବିଲା ପାଇଁ ବାଲେଶ୍ବର ଜିଲ୍ଲାକୁ ୨ଟି ଅତିରିକ୍ତ ଏନଡିଆରଏଫ ଟିମ୍ ପଠାଯାଇଛି। ଏହାସହ ୨ଟି ଓଡ୍ରାଫ ଟିମ୍ ଓ ୮ଟି ଅଗ୍ନିଶମ ବାହିନୀ ଟିମ୍ ପଠାଯାଇଛି।
ଅନ୍ୟପଟେ ଆନନ୍ଦପୁରରେ ବୈତରଣୀର ଜଳ ସ୍ଥର ବିପଦସଙ୍କେତ ପାର୍ କରିଛି ।କମୁଛି ବୈତରଣୀରେ ଆସିଥିବା ବନ୍ୟାଜଳ । ଉପରମୁଣ୍ଡରେ ଲଗାଣ ବର୍ଷା ଫଳରେ ବୈତରଣୀ ଆସିଥିବା ବନ୍ୟାଜଳ ରବିବାର ସକାଳୁ କ୍ରମଶ କମିବାରେ ଲାଗିଛି । ଏଠାରେ ବୈତରଣୀ ନଦୀର ବିପଦ ସଂକେତ ୩୮.୩୬୦ ମିଟର ରହିଥିବା ବେଳେ ଗତ ରାତିରେ ଜଳସ୍ତର ବୃଦ୍ଧିପାଇ ସର୍ବାଧିକ ୩୯.୧୨୦ ରେ ପହଁଞ୍ଚି ଥିଲା ।
ତେବେ ରବିବାର ସକାଳୁ ଏଠାରେ ଜଳସ୍ତର କ୍ରମଶଃ କମିବା ଆରମ୍ଭ ହୋଇଛି । ବର୍ତ୍ତମାନ ନଦୀର ଦଳସ୍ତର ହ୍ରାସପାଇ ୩୯.୦୮୦ ମିଟର ରହିଛି । କିନ୍ତୁ ବନ୍ୟାପାଣି ଯୋଗୁଁ ଘଷିପୁରା ବ୍ଲକ୍ ଶାଇଦେଇ ପଞ୍ଚାୟତ ନପଙ୍ଗା ଗାଁ ନିକଟ ନଦୀ ବନ୍ଧରେ ସୁଇଚଗେଟ୍ ନିର୍ମାଣ ପାଇଁ ଛଡାଯାଇଥିବା ନଦୀ ବନ୍ଧ ଫାଙ୍କ ଦେଇ ଗାଁ ଭିତରକୁ କିଛି ପରିମାଣର ବନ୍ୟାଜଳ ପ୍ରବେଶ କରିଥିବା ସୂଚନା ରହିଛି ।





