
ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ହିମାଚଳ ପ୍ରଦେଶରେ ପ୍ରକୃତିର ତାଣ୍ଡବ ଦେଖିବାକୁ ମିଳିଛି। ଏଠାରେ ଗତ ୨୪ ଘଣ୍ଟା ମଧ୍ୟରେ ବାଦଲ ଫଟା ବର୍ଷା, ଭୂସ୍ଖଳନ ଓ ଅଚାନକ ବନ୍ୟା ପାଣି ମାଡ଼ି ଯିବା ଯୋଗୁ ୨୨ ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ଗୋଟିଏ ପରିବାରର ୮ ଜଣ ସଦସ୍ୟ ରହିଛନ୍ତି। ସେହିପରି ୫ ଜଣ ଏବେ ମଧ୍ୟ ନିଖୋଜ ଅଛନ୍ତି। ବାଦଲ ଫଟା ବର୍ଷା ଯୋଗୁ ବିଭିନ୍ନ ସ୍ଥାନରେ ଭୂସ୍ଖଳନ ହୋଇଛି ସେଥିପାଇଁ ଯାତାୟାତ ମଧ୍ୟ ପ୍ରଭାବିତ ହୋଇଛି। ଏନେଇ ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ବିଭାଗର ନିର୍ଦ୍ଦେଶକ ସୁଦେଶ କୁମାର ମୋଖତା ବର୍ଷା ଓ ବନ୍ୟା ବିତ୍ପାତ୍ତ ସମ୍ପର୍କରେ ସୂଚନା ଦେଇଛନ୍ତି।
ସେ କହିଛନ୍ତି, ଏହି ପ୍ରାକୃତି ବିପର୍ଯ୍ୟୟ ଯୋଗୁ ମଣ୍ଡି, କାଙ୍ଗରା ଓ ଚାମ୍ବା ଜିଲ୍ଲା ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛନ୍ତି। ଏଯାଏ ବର୍ଷା ଜନିତ ୩୬ଟି ଅଘଟଣ ରିପୋର୍ଟ କରାଯାଇଛି। ବର୍ଷା, ଭୂସ୍ଖଳନ ଓ ବନ୍ୟା ଯୋଗୁ ୭୪୩ଟି ରାସ୍ତା ଧୋଇ ହୋଇଯାଛି। ଏହା ମଧ୍ୟରେ ମଣ୍ଡିଠାରେ ମନାଲି-ଚଣ୍ଡିଗଡ଼ ଜାତୀୟ ରାଜପଥ ଓ ଶୋଘି ଠାରେ ଥିବା ଶିମଲା-ଚଣ୍ଡିଗଡ଼ ରାଜପଥ ରହିଛି। ଏହି ଦୁଇ ରାଜପଥ କ୍ଷତିଗ୍ରସ୍ତ ହୋଇଥିବାରୁ ଏଠାରେ ଯାତାୟାତକୁ ବନ୍ଦ କରାଯାଇଛି। ମଣ୍ଡିରେ ଅଚାନକ ବନ୍ୟା ମାଡ଼ି ଯିବାରୁ ୧୪ ଜଣଙ୍କ ଜୀବନ ଯାଇଛି ଓ ୫ ଜଣଙ୍କ ନିଖୋଜ ହୋଇଯାଇଛନ୍ତି। ଅବିଶ୍ରାନ୍ତ ବର୍ଷା ଯୋଗୁ ଏଠାରେ ଭୂସ୍ଖଳନ ମଧ୍ୟ ହୋଇଛି। ଗୋହର ବ୍ଲକର କାଶନ ଗାଁରେ ବର୍ଷା ଓ ଭୂସ୍ଖଳନ ଯୋଗୁ ଗୋଟିଏ ଘର ଭୁଶୁଡ଼ି ପଡ଼ିଥିଲା। ଫଳରେ ଏହି ଘଟଣାରେ ଗୋଟିଏ ପରିବାରର ୮ ଜଣଙ୍କ ମୃତ୍ୟୁ ଘଟିଛି। ଏନଡିଆରଏଫ ଟିମ ଓ ପୁଲିସ୍ ଦୀର୍ଘ ୪ ଘଣ୍ଟାର ସର୍ଚ୍ଚ ଅପରେସନ କରି ମାଟି ତଳେ ଚାପି ହୋଇ ରହିଥିବା ପରିବାରର ସମସ୍ତ ୮ ଜଣଙ୍କ ମୃତଦେହ ଉଦ୍ଧାର କରିଛନ୍ତି। କାଙ୍ଗରା ଓ ଚାମ୍ବା ଜିଲ୍ଲାରେ ମଧ୍ୟ ସ୍ଥିତି ସଂଗୀନ ରହିଛି। ବିଭିନ୍ନ ସ୍ଥାନରେ ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଅଣାଯାଉଥିବା ସେ କହିଛନ୍ତି।