ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଆସନ୍ତା ୨୬ତାରିଖରୁ ୩ ଦଫା ଦାବି ନେଇ ରାଜ୍ୟର ସମସ୍ତ ବାହ୍ୟ ରକ୍ତଦାନ ଶିବିର ପାଇଁ ଅସହଯୋଗ ଆନ୍ଦୋଳନ ଡାକରା ଦେଇଛି ଓଡ଼ିଶା ରାଜ୍ୟ ରକ୍ତଭଣ୍ଡାର କର୍ମଚାରୀ ସଂଘ। ସଂଘର ବିଭିନ୍ନ ଦାବି ପୂରଣ ନେଇ ରାଜ୍ୟ ସରକାର କର୍ଣ୍ଣପାତ କରୁନଥିବାରୁ କର୍ମଚାରୀମାନେ ଏଭଳି ପନ୍ଥା ଆପଣାଇଥିବା ରାଜ୍ୟ ରକ୍ତଭଣ୍ଡାର କର୍ମଚାରୀ ସଂଘ ପକ୍ଷରୁ କୁହାଯାଇଛି।ରାଜ୍ୟରେ ବର୍ତ୍ତମାନ ମୋଟ ୫୬ଟି ରକ୍ତଭଣ୍ଡାର ରହିଛି। ପୂର୍ବରୁ ଏସବୁ ରକ୍ତଭଣ୍ଡାର ରେଡକ୍ରସ୍ ଅଧୀନରେ ପରିଚାଳିତ ହେଉଥିଲା। ୨୦୧୭ ମସିହାରେ ରାଜ୍ୟ ସରକାର ସମସ୍ତ ରକ୍ତଭଣ୍ଡାରକୁ ନିଜ ଅଧୀନକୁ ନେଇଥିଲେ। ପୂର୍ବରୁ ରକ୍ତଭଣ୍ଡାରରେ କାର୍ଯ୍ୟରତ କର୍ମଚାରୀମାନଙ୍କୁ ରକ୍ତ ସଂଗ୍ରହ ୟୁଜର୍ସ ଫି’ ବାବଦରୁ ମିଳୁଥିବା ଅର୍ଥରୁ ଦରମା ଦିଆଯାଉଥିଲା। ରକ୍ତଭଣ୍ଡାରରେ ଲାବ୍‌ ଟେକ୍‌ନିସିଆନ୍, ଷ୍ଟାଫ ନର୍ସ, କ୍ଲର୍କ, ଆଟେଣ୍ଡାଣ୍ଟ, ଆକାଉଣ୍ଟାଣ୍ଟ, ଡିଇଓ, ଲୋକସଂପର୍କ ଅଧିକାରୀ, ଅଫିସ୍ ଆସିଷ୍ଟାଣ୍ଟ, ଡ୍ରାଇଭର ଇତ୍ୟାଦି ରହିଛନ୍ତି। ତହିଁରୁ ଅନେକ କର୍ମଚାରୀ ୧୫ ରୁ ୨୦ବର୍ଷ ଧରି କାର୍ଯ୍ୟ କରୁଥିଲେ ମଧ୍ୟ ସେମାନଙ୍କୁ ସପ୍ତମ ବେତନ କମିସନ ଅନୁଯାୟୀ ଦରମା ଦିଆଯାଉ ନାହିଁ। ଯାହାଫଳରେ ସେମାନଙ୍କୁ ପରିବାର ଚଳାଇବା ଦିନକୁ ଦିନ କଷ୍ଟକର ହୋଇ ପଡ଼ୁଛି ବୋଲି ସଂଘ ପକ୍ଷରୁ ଅଭିଯୋଗ ହୋଇଛି।

ଏନେଇ ରାଜ୍ୟ ରକ୍ତଭଣ୍ଡାର କର୍ମଚାରୀ ସଂଘର ସଭାପତି ମଳୟ କୁମାର ବେହେରା କହିଛନ୍ତି, ରକ୍ତଭଣ୍ଡାର କର୍ମଚାରୀମାନଙ୍କ ରହିଥିବା ବିଭିନ୍ନ ଦାବିକୁ ପୂରଣ କରିବା ଲାଗି ୨୦୧୫ ମସିହାରୁ ସଂଘ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରି ଆସିଛି। ରକ୍ତ ଭଣ୍ଡାରରେ ସ୍ଥାୟୀ ନିଯୁକ୍ତି, ସମାନ କାମକୁ ସମାନ ଦରମା ଓ ପେନସନ ତଥା ଅନ୍ୟ ସରକାରୀ କର୍ମଚାରୀ ପାଉଥିବା ଅନ୍ୟାନ୍ୟ ସୁବିଧା ଉପଲବ୍ଧ କରିବାକୁ ଦାବି ରହିଛି। ୨୦୧୭ ମସିହାରେ ରାଜ୍ୟ ସରକାର ସମସ୍ତ ରକ୍ତଭଣ୍ଡାରକୁ ନିଜ ଅଧୀନକୁ ନେବା ପରେ ଦାବି ପୂରଣ ନେଇ କର୍ମଚାରୀମାନଙ୍କ ମନରେ ଏକ ଆଶା ସଞ୍ଚୟ ହୋଇଥିଲା। ହେଲେ ଏହା ଭିତରେ ୫ବର୍ଷ ବିତି ଯାଇଥିଲେ ମଧ୍ୟ ସରକାରଙ୍କ ପକ୍ଷରୁ କୌଣସି ଠୋସ୍ ପଦକ୍ଷେପ ନିଆଯାଉ ନାହିଁ। ସଂଘ ଅଧୀନରେ ଥିବା ୧୪୦ଜଣ କର୍ମଚାରୀ ଏବେ ବହୁ ସମସ୍ୟା ଦେଇ ଗତି କରୁଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି ଯେ ସଂଘ ପକ୍ଷରୁ ବାରମ୍ବାର ଦାବି କରାଯିବା ପରେ ରାଜ୍ୟ ସରକାରଙ୍କ ଦ୍ଵାରା ଗଠିତ ଏକ ଉଚ୍ଚସ୍ତରୀୟ କମିଟି ଏହାର ଯାଞ୍ଚ କରିଥିଲା। ଏହାପରେ କର୍ମଚାରୀମାନଙ୍କ ରହିଥିବା ସମସ୍ୟାର ସମାଧାନ ହେବ ବୋଲି ଅନୁମାନ କରାଯାଉଥିଲା। ସରକାରଙ୍କୁ ବାରମ୍ବାର ଦାବିପତ୍ର ପ୍ରଦାନ କରାଗଲେ ମଧ୍ୟ କୌଣସି ପ‌ଦକ୍ଷେପ ନିଆ ନ ଯିବାରୁ ଚଳିତମାସ ୧୨ତାରିଖରୁ ରକ୍ତଭଣ୍ଡାର କର୍ମଚାରୀମାନେ କଳାବ୍ୟାଜ୍ ପିନ୍ଧି ପ୍ରତିବାଦ ଆରମ୍ଭ କରିଛନ୍ତି। ଆସନ୍ତା ୨୬ତାରିଖରୁ ସମସ୍ତ ବାହ୍ୟ ରକ୍ତଦାନ ଶିବିରରେ ଅସହଯୋଗ ଆନ୍ଦୋଳନ ପାଇଁ ନିଷ୍ପତ୍ତି ହୋଇଥିବା ଶ୍ରୀ ବେହେରା ସୂଚନା ଦେଇଛନ୍ତି।

ଉଲ୍ଲେଖଯୋଗ୍ୟ ଯେ, ରାଜ୍ୟ ସରକାର ‘ଜୀବନବିନ୍ଦୁ’ କାର୍ଯ୍ୟକ୍ରମ ଜରିଆରେ ରାଜ୍ୟବ୍ୟାପୀ ରକ୍ତ ସଂଗ୍ରହ କରୁଛନ୍ତି। ଏସବୁ କାର୍ଯ୍ୟକ୍ରମ ଜରିଆରେ ଶାସକ ଦଳ ନେତା, ବିଧାୟକମାନେ ବାହାବା ନେଉଛନ୍ତି। ହେଲେ ଏହି କାର୍ଯ୍ୟକ୍ରମକୁ ସଫଳ କରିବା ପଛରେ ଯେଉଁ କର୍ମଚାରୀମାନଙ୍କ ନିରବଚ୍ଛିନ୍ନ ପରିଶ୍ରମ ରହିଛି ସେମାନଙ୍କ ସମସ୍ୟାର ସମାଧାନ କରିବା ଲାଗି ସରକାରୀସ୍ତରରେ କୌଣସି ଉଦ୍ୟମ କରାଯାଉନାହିଁ।