ନୂଆଦିଲ୍ଲୀ : ଅବକାରୀ ନୀତିରେ ଭ୍ରଷ୍ଟାଚାର ଅଭିଯୋଗରେ ଛନ୍ଦି ହୋଇଛନ୍ତି ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆ । ତେବେ ତାଙ୍କ ପାଇଁ ଅଡ଼ୁଆ ବଢ଼ୁଥିବା ବେଳେ ଏବେ ସେ ଜାତି କାର୍ଡ ଖେଳିଛନ୍ତି। ନିଜକୁ ରାଜପୁତ କହି ସେ କାହାରି ଆଗରେ ମୁଣ୍ଡ ନୁଆଇବେ ନାହିଁ ବୋଲି କହିଛନ୍ତି।

ଜାତିର ସାହାରା ନେଉଛନ୍ତି ବୋଲି ଅଭିଯୋଗ କରି ବିଜେପି ମନିଷ ସିସୋଦିଆଙ୍କୁ ଟାର୍ଗେଟ କରିଛି। ଏହା ମଧ୍ୟରେ କାଶ୍ମୀର ଫାଇଲ୍ସ ଚଳଚ୍ଚିତ୍ରର ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀ ମଧ୍ୟ ମନିଷଙ୍କୁ ପ୍ରଶ୍ନ କରିଛନ୍ତି। ସେ ସିସୋଦିଆଙ୍କୁ ପ୍ରଶ୍ନ କରିଛନ୍ତି କଣ ଅନ୍ୟ ସମ୍ପ୍ରଦାୟମାନେ ମୁଣ୍ଡ ନୁଆଁଉଛନ୍ତି?

ବିବେକ ଅଗ୍ନିହୋତ୍ରୀ ଟୁଇଟ୍ କରି ପ୍ରଶ୍ନ କରିଛନ୍ତି ଏହା କିପରି ଜାତିବାଦୀ ତର୍କ ? ଯଦି ମନିଷ ସିସୋଦିଆ ରାଜପୁତ ହୋଇନଥାନ୍ତେ ତାହେଲେ ସେ ମୁଣ୍ଡ ନୁଆଇ ଥାଆନ୍ତେ ? କିମ୍ୱା ଦିଲ୍ଲୀରେ ଯେଉଁ ବ୍ରାହ୍ମଣ, ଯାଦବ, ଗୁଜ୍ଜର, ଜାଟ ଶିଖ ଇତ୍ୟାଦି ରହୁଛନ୍ତି ସେମାନେ କଣ ମୁଣ୍ଡ ନୁଆଉଁଥିୂବା ଲୋକ? ମୁସ୍ଲିମ୍‌ ଇସାଇ ଦଳିତ କଣ ଏମାନେ ସମସ୍ତେ ମୁଣ୍ଡ ନୁଆଁଉଥିବା ସମ୍ପ୍ରଦାୟ? ସୋମବାର ସକାଳେ ମନିଷ ସିସୋଦିଆ ଦାବି କରିଛନ୍ତି ଯେ ବିଜେପି ତାଙ୍କୁ ଆମ ଆଦମି ପାର୍ଟିକୁ ଛାଡ଼ି ବିଜେପିରେ ମିଶିବା ପାଇଁ ଅଫର ଦେଇଥିଲା।

ସିସୋଦିଆ ଟୁଇଟ୍‌ କରି କହିଛନ୍ତି ଯେ ‘’ମୋ ପାଖକୁ ବିଜେପିର ବାର୍ତ୍ତା ଆସିଥିଲା ଆପ୍‌ ଛାଡ଼ି ବିଜେପିକୁ ଆସନ୍ତୁ, ସମସ୍ତ ସିବିଆଇ (କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ), ଇଡି (ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ) କେସ୍‌ ବନ୍ଦ କରଦେବୁ। ମୋର ବିଜେପିକୁ ଉତ୍ତର ମୁଁ ମହାରାଣାପ୍ରତାପଙ୍କ ବଂଶଧର, ମୁଁ ରାଜପୁତ। ମୁଣ୍ଡ କାଟିଦେବି ପଛେ କିନ୍ତୁ ଭ୍ରଷ୍ଟାଚାରି ଓ ଷଡ଼ଯନ୍ତ୍ରକାରୀଙ୍କ ଆଗରେ ମୁଣ୍ଡ ନୁଆଁଇହବି ନାହିଁ। ମୋ ବିରୋଧରେ ହୋଇଥିବା ସମସ୍ତ ଅଭିଯୋଗ ମିଛ। ଯାହା କରିବା ଅଛି କରନ୍ତୁ’’।

ସୂଚନାଥାଉକି, ଆମ୍‌ ଆଦମି ପାର୍ଟି ଓ ବିବେକ ଅଗ୍ନିହୋତ୍ରୀଙ୍କ ମଧ୍ୟରେ ପୂର୍ବରୁ ମଧ୍ୟ ବିବାଦ ଲାଗି ରହିଛି। ଅରବିନ୍ଦ କେଜରିୱାଲ ‘ଦ କାଶ୍ମୀର ଫାଇଲ୍ସ’କୁ ମିଛ ଚଳଚ୍ଚିତ୍ର କହିଥିବାରୁ ଅନେକ ବିବାଦ ଉପୁଜି ଥିଲା। ବିବେକ ଅଗ୍ନିହୋତ୍ରୀ ମଧ୍ୟ ପୂର୍ବରୁ ଅନେକ ଥର ଆପ୍‌କୁ ସମାଲୋଚନା କରିଛନ୍ତି।