ଗିରଫ ହେବେ ହରିୟାଣାର ପ୍ରସିଦ୍ଧ ଡ୍ୟାନ୍ସର ସପନା ଚୌଧୁରୀ

ଲକ୍ଷ୍ନୌ: ହରିୟାଣାର ପ୍ରସିଦ୍ଧ ଡ୍ୟାନ୍ସର ତଥା ଗାୟିକା ସପନା ଚୌଧୁରୀ ଖୁବ୍ ଶୀଘ୍ର ଗିରଫ ହେବେ । ତାଙ୍କ ଉପରେ ବର୍ତ୍ତମାନ ଗିରଫଦାରୀର ଖଣ୍ଡା ଝୁଲୁଛି। ସପନା ଚୌଧୁରୀଙ୍କୁ ଗିରଫ କରିବା ପାଇଁ ଉତ୍ତର ପ୍ରଦେଶ ପୋଲିସ୍ ହରିୟାଣା ଅଭିମୁଖେ ବାହାରିଛନ୍ତି। ହେଲେ ଏବେ ଏହାର ଆନୁଷ୍ଠାନିକ ସୂଚନା ଦିଆଯାଇ ନାହିଁ।

ଖବର ଅନୁସାରେ ଲକ୍ଷ୍ନୌ ପୋଲିସ ବୁଧବାର ସକାଳୁ ହରିୟାଣା ଅଭିମୁଖେ ବାହାରି ସାରିଛି। ଖୁବ୍ ଶୀଘ୍ର ସପନା ଚୌଧୁରୀଙ୍କୁ ଗିରଫ କରାଯାଇପାରେ।

ମଙ୍ଗଳବାର ଚର୍ଚ୍ଚିତ ଡ୍ୟାନସର ସପନା ଚୌଧୁରୀଙ୍କ ବିରୋଧରେ ଗିରଫ ୱାରେଣ୍ଟ ଜାରି କରାଯାଇଥିଲା। ଲକ୍ଷ୍ନୌର କୋର୍ଟ ସପନା ଚୌଧୁରୀଙ୍କୁ ଗିରଫ କରି କୋର୍ଟରେ ହାଜର କରାଇବାକୁ ନିର୍ଦ୍ଦେଶ ଦେଇଛନ୍ତି । ଡ୍ୟାନ ଶୋ’ ନାଁରେ ଲକ୍ଷାଧିକ ଟଙ୍କା ନେବା ଏବଂ କାର୍ଯ୍ୟକ୍ରମ ସାମିଲ ନ ହୋଇ ଟଙ୍କା ହଡପ କରିବାର ଅଭିଯୋଗ ରହିଛି । ଏହି ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ଅଗଷ୍ଟ ୩୦ରେ ହେବ। ଉଲ୍ଲେଖଯୋଗ୍ୟ ଯେ, ୨୦୧୮ ଅକ୍ଟୋବର ୧୩ରେ ଆଶିୟାନା ଥାନାରେ ସପନାଙ୍କ ଚୌଧୁରୀଙ୍କ ନାଁରେ ଏଫଆଇଆର ରୁଜୁ ହୋଇଥିଲା ।

ଅଭିଯୋଗ ଅନୁସାରେ, ଲକ୍ଷ୍ନୌର ସ୍ମୃତି ଉପବନରେ ସପନା ଚୌଧୁରୀଙ୍କ ଏକ ଡ୍ୟାନ୍ସ କାର୍ଯ୍ୟକ୍ରମ ଆୟୋଜନ ହେବାକୁ ଥିଲା ଏଥିପାଇଁ ହଜାର ହଜାର ଟିକେଟ୍ ବିକ୍ରି ହୋଇଥିଲା । ସପନା ଚୌଧୁରୀଙ୍କୁ ଅଗ୍ରମୀ ରାଶି ମଧ୍ୟ ଦିଆ ସରିଥିଲା । କିନ୍ତୁ ସପନା ଚୌଧୁରୀ ପହଞ୍ଚିଲେ ନାହିଁ, ଫଳରେ କାର୍ଯ୍ୟକ୍ରମକୁ ରଦ୍ଦ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ପାଇଁ ସପନା ଅଗ୍ରୀମ ଆକାରରେ ଯେଉଁ ଟଙ୍କା ନେଇଥିଲେ ତାହା ମଧ୍ୟ ଆୟୋଜକଙ୍କୁ ଫେରାଇ ନଥିଲେ ।

ଏହା ପୂର୍ବରୁ କୋର୍ଟ ତାଙ୍କ ଅନ୍ତରୀଣ ଜାମିନକୁ ବଢାଇଥିଲେ । ୨୦-୨୦ ହଜାର ଟଙ୍କାର ଦୁଇଟି ମୁଚାଲିକା ଏବଂ ସମାନ ରାଶିର ବ୍ୟକ୍ତିଗତ ମୁଚାଲିକାରେ ଜାମିନକୁ ଅନୁମତି ଦେଇଥିଲେ । ସପନା ଚୌଧୁରୀଙ୍କ ବିରୋଧରେ ଲକ୍ଷ୍ନୌରେ ଜାଲିଆତିର ମାମଲା ରୁଜୁ କରାଯାଇଥିଲା ।

Related Posts