ନୂଆଦିଲ୍ଲୀ : ଦିଲ୍ଲୀ ଆମ ଆଦମୀ ପାର୍ଟି (ଆପ୍) ମୁଖ୍ୟ ଅରବିନ୍ଦ କେଜରୀୱାଲ ବିଜେପି ବିରୋଧରେ ଏକ ସଙ୍ଗୀନ ଅଭିଯୋଗ ଆଣିଛନ୍ତି । ଗୁରୁବାର ବିଧାୟକ ଦଳ ବୈଠକ ଅହ୍ୱାନ ଦେଇଥିବା ବେଳେ, ୭୦ ସଦସୀୟ ଦିଲ୍ଲୀ ବିଧାନସଭାରେ ଆପ୍‌ର ମୋଟ ବିଧାୟକ ସଂଖ୍ୟା ୬୨। ତେବେ ଦଳର ଆବାହକ ତଥା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୀୱାଲଙ୍କ ଘରେ ଡକା ଯାଇଥିବା ବୈଠକକୁ ୫୩ ଜଣ ବିଧାୟକ ଆସିଥିଲେ। ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆ ହିମାଚଳ ଗସ୍ତରେ ଥିବା ବେଳେ ବାଚସ୍ପତି ବିଦେଶ ଗସ୍ତରେ ଅଛନ୍ତି।

ବୈଠକ କାଳରେ ଅରବିନ୍ଦ କେଜରିୱାଲ ବାକି ବିଧାୟକଙ୍କ ସହ ଟେଲିଫୋନରେ କଥା ହୋଇଛନ୍ତି। ବୈଠକ ପରେ ପାର୍ଟି ମୁଖପାତ୍ର ସୌରଭ ଭରଦ୍ୱାଜ ବିଜେପି ତାଙ୍କ ପାର୍ଟି ଭାଙ୍ଗି ଦେବାକୁ ଉଦ୍ୟମ କରୁଥିବା ଅଭିଯୋଗ କରିଛନ୍ତି।

ଦଳର ୧୨ ଜଣ ବିଧାୟକଙ୍କୁ ବିଜେପି ୨୦ କୋଟି ଟଙ୍କା ଲେଖାଏଁ ଦେବାକୁ ଲୋଭ ଦେଖାଇଥିବା ସେ କହିଛନ୍ତି। ତେବେ ସବୁ ବିଧାୟକ ଏକଜୁଟ ଥିବା ଭରଦ୍ୱାଜ କହିଛନ୍ତି।

କେଜରିୱାଲ ପୂର୍ବାହ୍ନ ୧୧ଟା ବେଳେ ବିଧାୟକ ଦଳ ବୈଠକ ଡାକିଥିଲେ। ତେବେ ସେତେବେଳ ସୁଧା କେଜରିୱାଲଙ୍କ ଘରେ ୧୯ ବିଧାୟକ ପହଞ୍ଚି ନଥିଲେ। ହେଲେ ସବୁ ବିଧାୟକ ପହଞ୍ଚିଯିବେ ବୋଲି ଆପ୍ ବିଧାୟକ ଆତିଶି ଆଶା ବ୍ୟକ୍ତ କରିଥିଲେ। ସେହିପରି ବିଧାୟକ ଦିଲ୍ଲୀପ ପାଣ୍ଡେୟ ବିଧାୟକଙ୍କ ସହ ସମ୍ପର୍କ କରାଯାଉଥିବା ଓ ସେମାନଙ୍କୁ ଏ ବାବଦେ ଦିନକ ପୂର୍ବରୁ କୁହାଯାଇଥିବାର କହିଥିଲେ। ଏହା ସତ୍ତ୍ୱେ ଯେଉଁମାନେ ଅନୁପସ୍ଥିତ ଅଛନ୍ତି ସେମାନଙ୍କ ସହ ଯୋଗାଯୋଗ କରାଯାଉଥିବା ପାଣ୍ଡେୟ କହିଥିଲେ।

ଆପରୁ ୪୦ ବିଧାୟକଙ୍କୁ ଭଙ୍ଗେଇ ନେବାକୁ ବିଜେପି ଉଦ୍ୟମ କରୁଥିବା ପାଣ୍ଡେୟ ଅଭିଯୋଗ କରିଥିବା ବେଳେ ଅରବିନ୍ଦ କେଜରିୱାଲ ଏହି ପରିପ୍ରେକ୍ଷୀରେ ବିଧାୟକ ଦଳ ବୈଠକ ଡକାଇଥିବା କହିଥିଲେ। ତେବେ ସବୁ ବିଧାୟକ ବୈଠକକୁ ନିଶ୍ଚିତ ଆସିବେ ବୋଲି ସେ କହିଥିଲେ। ଆପର କହିବା କଥା ହେଲା ମନିଷ ସିସୋଦିଆଙ୍କୁ ଦଳ ଛାଡି ବିଜେପିରେ ସାମିଲ ହେଲେ ତାଙ୍କୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ କରିଦିଆଯିବ ବୋଲି ବିଜେପି ପ୍ରଲୋଭନ ଦେଖାଇଥିଲା।