
ନୂଆଦିଲ୍ଲୀ: ବିଶ୍ୱର ପ୍ରଥମ ଘଟଣା । ଜଣେ ବ୍ୟକ୍ତି ନିକଟରେ ଚିହ୍ନଟ ହୋଇଛି ମଙ୍କିପକ୍ସ, କୋଭିଡ-୧୯ ଏବଂ ଏଚଆଇଭି ।
ସୂଚନା ଅନୁସାରେ ସଂକ୍ରମିତ ବ୍ୟକ୍ତି ଜଣଙ୍କ ଇଟାଲୀର ହୋଇଥିବା ବେଳେ ତାଙ୍କୁ ୩୬ ବର୍ଷ ହୋଇଛି । ବ୍ୟକ୍ତିଙ୍କ ଗଳାରେ ଦରଜ, ମୁଣ୍ଡବ୍ୟଥା, କାନ୍ତ ଅନୁଭବ କରିବା, ଜ୍ୱର ଏବଂ ଶରୀରରେ ଗୋଳା ବିନ୍ଧା ଅନୁଭବ କରିଥିଲେ । ଏହାପରେ ନମୂନା ପରୀକ୍ଷଣରେ ଏହି ଖବର ସାମନାକୁ ଆସିଛି । ଏହା ଦୁନିଆର ପ୍ରଥମ ମାମଲା ଯେଉଁଠି କୌଣସି ଜଣେ ବ୍ୟକ୍ତି ଏହି ତିନୋଟି ରୋଗରେ ଏକାସଙ୍ଗରେ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।
ଏନେଇ ଜର୍ଣ୍ଣାଲ ଅଫ ଇନଫେକ୍ସନର ଏକ ରିପୋର୍ଟ ପ୍ରକାଶ ପାଇଛି । ତେବେ ଏଥିରେ ବ୍ୟକ୍ତିଙ୍କ ଉଲ୍ଲେଖ କରାଯାଇ ନାହିଁ । ତେବେ ରିପୋର୍ଟ ଅନୁସାରେ ବ୍ୟକ୍ତି ଜଣଙ୍କ ନିକଟରେ ୫ ଦିନିଆ ଟ୍ରିପରେ ସ୍ପେନ ଯାଇଥିଲେ ଏବଂ ସେଠାରୁ ଫେରିବାର ୯ ଦିନ ପରେ ସମସ୍ତ ଲକ୍ଷଣ ପ୍ରକାଶ ପାଇଥିଲା। ଲକ୍ଷଣ ପ୍ରକାଶ ପାଇବାର ତିନି ଦିନ ପରେ ସେ କରୋନାରେ ସଂକ୍ରମିତ ହୋଇଥିବା ସ୍ପଷ୍ଟ ହୋଇଥିଲା।
ତେବେ ସଂକ୍ରମିତ ବ୍ୟକ୍ତିଙ୍କ ଶରୀରର କିଛି ଅଂଶରେ ମଙ୍କିପକ୍ସର ଲକ୍ଷଣ ଦେଖା ଦେଇଥିଲା। ପରେ ନମୂନା ପରୀକ୍ଷଣରେ ବ୍ୟକ୍ତି ଜଣଙ୍କ ମଙ୍କିପକ୍ସ ଏବଂ ଏଚଆଇଭି ଥିବା ସ୍ପଷ୍ଟ ହୋଇଥିଲା। ପୂରା ମାମଲାର ଏକ କେସ ଷ୍ଟଡୀ ଅଗଷ୍ଟ ୧୯ରେ ପ୍ରକାଶ ପାଇଥିଲା। କରୋନା ଏବଂ ମଙ୍କିପକ୍ସରୁ ସୁସ୍ଥ ହେବା ପରେ ବ୍ୟକ୍ତି ଜଣକୁ ହସ୍ପିଟାଲରୁ ଡିସଚାର୍ଜ କରାଯାଇଛି ।