ରାଞ୍ଚି: ଗିରଫ ହେଲେ ବିଜେପି ନେତ୍ରୀ ସୀମା ପାତ୍ର । ନିଜ ଘରେ ରଖିଥିବା ଜଣେ ଆଦିବାସୀ ଗୃହ ସହାୟିକାଙ୍କୁ ନିର୍ଯାତନା ଦେବା ଅଭିଯୋଗରେ ପୋଲିସ ତାଙ୍କୁ ଗିରଫ କରିଛି । ପୂର୍ବରୁ ଏନେଇ ବିଜେପି ତାଙ୍କୁ ନିଲମ୍ବିତ କରିଥିଲା ।
ପୂର୍ବତନ ଆଇଏଏସ୍ ଅଫିସରଙ୍କ ପତ୍ନୀ ହେଉଛନ୍ତି ସୀମା । ବୁଧବାର ଭୋରୁ ରାଞ୍ଚି ପୁଲିସ୍ ଗିରଫ କରିଛି। ପୁଲିସ୍ ସୂତ୍ରରୁ ଜାଣିବାକୁ ମିଳିଛି ଯେ ସୀମାଙ୍କୁ କୋର୍ଟ ପରୱାର୍ଡ କରାଯାଇ ପରେ ଜେଲ୍ ପଠାଯିବ। ପୁଲିସ୍ ହାତରେ ଧରାପଡ଼ିବା ଭୟରେ ସୀମା ନିଜ ବାସଭବନ ଛାଡ଼ି କେଉଁଆଡ଼େ ପଳାଇ ଯାଇଥିବା ବେଳେ ପୁଲିସ୍ ସର୍ଚ ଅପରେସନ କରି ତାଙ୍କୁ ଧରିବାରେ ସମର୍ଥ ହୋଇଛି।
ସୀମାଙ୍କ ଗୃହ ସହାୟିକାଙ୍କ ନାଁ ସୁନିତା। ତାଙ୍କ ଗୃହ ସହାୟିକା ସୀମା ନିର୍ଯାତନା ଦେଉଥିବାର ଏକ ଭିଡିଓ ଭାଇରାଲ କରି ପୁଲିସରେ ଅଭିଯୋଗ କରିବା ପରେ ଝାଡଖଣ୍ଡ ବିଜେପି ମୁଖ୍ୟ ଦୀପକ ପ୍ରକାଶ ସୀମା ପାତ୍ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ।
ଭାଇରାଲ ଭିଡିଓରେ ପୀଡିତା ମହିଳା ସୁନୀତାଙ୍କୁ ଡାକ୍ତରଖାନା ଶଯ୍ୟାରେ ପଡ଼ିଥିବା ଦେଖିବାକୁ ମିଳିଥିଲା। ତାଙ୍କର ଅନେକ ଦାନ୍ତ ଭାଙ୍ଗିଯାଇଥିବା ସହ ସେ ବସିବାକୁ ମଧ୍ୟ ଅସମର୍ଥ ଥିବା ଦେଖାଯାଇଥିଲା। ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟରେ କୁହାଯାଇଛି ଯେ ତାଙ୍କ ଶରୀରରେ ଥିବା ଆଘାତ ଚିହ୍ନ ସୂଚିତ କରୁଛି ଯେ ତାଙ୍କୁ ବାରମ୍ବାର ମାଡ଼ ମରାଯାଉଥିଲା। ଭିଡିଓ ଦେଖିବା ପରେ ଅନେକ ଲୋକ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିବା ପରେ ବିଜେପି ମହିଳା ନେତ୍ରୀଙ୍କୁ ଗିରଫ କରିବାକୁ ଦାବି କରିଥିଲେ।
ସୁନୀତା ଅଭିଯୋଗ ଆଣିଥିଲେ ଯେ ୧୦ବର୍ଷ ହେଲାଣି ସେ ସୀମାଙ୍କ ଘରେ କାମ କରିଆସୁଛନ୍ତି । ଗତ ୬ବର୍ଷ ମଧ୍ୟରେ ସୀମା ପାତ୍ର ତାଙ୍କୁ ଅନେକ ଥର ମାଡ଼ ମାରିଛନ୍ତି। ତାଙ୍କୁ ଗରମ ତାୱା ଓ ବାଡ଼ିରେ ମାଡ଼ ମରାଯାଇଥିଲା। ଏହି ସମୟରେ ତାଙ୍କର ଦାନ୍ତ ଭାଙ୍ଗିଯାଇଥିଲା। ତାଙ୍କୁ ଚଟାଣରୁ ପରିସ୍ରା ଚାଟିବାକୁ ମଧ୍ୟ କୁହାଯାଇଥିଲା।
