ଅପରେଶନ୍‌ ଲୋଟସରେ ହଉଥିବା ଅର୍ଥ କାରବାର ର ଯାଞ୍ଚ ପାଇଁ ସିବିଆଇ ନିକଟରେ ଦାବି କରିବ ଆପ: ଆତିଶି ମାର୍ଲେନା

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଦିଲ୍ଲୀର ଅବକାରୀ ଦୁର୍ନୀତିକୁ ନେଇ ଆପ ଏବଂ ଭାଜପା ମଧ୍ୟରେ ଆରମ୍ଭ ହୋଇଥିବା ଆରୋପ ପ୍ରତ୍ୟାରୋପ ଶେଷ ହେବାର ନାଁ ନେଉନାହିଁ। ଆମ ଆଦମୀ ପାର୍ଟି (ଆପ) ବିଧାୟକ ତଥା ମୁଖପାତ୍ର ଆତିଶି ମାର୍ଲେନା ଏକ ଗଣମାଧ୍ୟମ ସମ୍ମିଳନୀରେ ପୁଣି ଭାଜପାକୁ ଟାର୍ଗେଟ କରିଛନ୍ତି। ଆତିଶି ସୂଚନା ଦେଇଛନ୍ତି ଯେ ବୁଧବାର ଆପ ବିଧାୟକଙ୍କର ଏକ ପ୍ରତିନିଧୀ ଦଳ ସିବିଆଇକୁ ଭେଟିବାକୁ ଯିବେ। ଏହି ପ୍ରତିନିଧି ମଣ୍ଡଳୀ ବିଜେପି ଦ୍ଵାରା ଦେଶବ୍ୟାପୀ ବିଧାୟକ ମାନଙ୍କୁ କିଣିବାକୁ ହେଉଥିବା ଅର୍ଥ କାରବାରର ଯାଞ୍ଚ କରିବାକୁ ଦାବି କରିବେ। ଏପର୍ଯ୍ୟନ୍ତ ସିବିଆଇ ପକ୍ଷରୁ ଦଳକୁ ସମୟ ଦିଆଯାଇ ନାହିଁ। ତେଣୁ ୧୦ ଜଣିଆ ବିଧାୟକଙ୍କ ଏକ ପ୍ରତିନିଧୀ ଦଳ ଅପରାହ୍ନ ୩ ଟା ସମୟରେ ସିବିଆଇ କାର୍ଯ୍ୟାଳୟକୁ ଯିବାର ଯୋଜନା କରାଯାଇଥିବା ସେ କହିଛନ୍ତି।

ଆତିଶି କହିଛନ୍ତି ଯେ ସମଗ୍ର ଦେଶ ଅଗଷ୍ଟ ମାସରେ ସ୍ବାଧୀନତାର ୭୫ ତମ ବାର୍ଷିକୀ ପାଳନ କରୁଛି। ଆମ ଦେଶରେ ଗଣତନ୍ତ୍ର ପ୍ରତିଷ୍ଠା ହୋଇଥିବାରୁ ଆମେ ୭୫ ବର୍ଷ ଧରି ଗର୍ବିତ। କିନ୍ତୁ ଶାସକ ଭାଜପା ଦ୍ୱାରା ଭାରତର ଗଣତନ୍ତ୍ରକୁ ହତ୍ୟା କରାଯାଉଛି । ଯେତେବେଳେ ଏକ ରାଜ୍ୟରେ ଭାଜପା ନିର୍ବାଚନରେ ହାରିଯାଏ, ସେତେବେଳେ ଅନ୍ୟ ଦଳର ସହାୟତା ନେଇ ବିଧାୟକ କିଣି ସେଠାରେ ସରକାର ଗଠନ କରାଯାଏ ଓ ଏହାକୁ ଅପରେଶନ୍‌ ଲୋଟସର ନାମ ଦିଆଯାଏ। ନିର୍ବାଚିତ ସରକାରଙ୍କୁ ଭାଜପା କ୍ଷମତାଚ୍ୟୁତ କରିଥାଏ। ରାଜ୍ୟରେ ଅଣ-ଭାଜପା ସରକାରଙ୍କୁ ହଟାଇବା ପାଇଁ ପ୍ରଥମ ପର୍ଯ୍ୟାୟରେ କେନ୍ଦ୍ରର ସମସ୍ତ ଅନୁସନ୍ଧାନକାରୀ ସଂସ୍ଥା ବ୍ୟବହାର କରାଯାଏ। ସିବିଆଇ, ଇଡି ଚଢ଼ାଉ ରାଜ୍ୟର ନେତାଙ୍କ ଉପରେ କରାଯାଏ।

ଭାଜପା ଉତ୍ତର ଦେବା ଉଚିତ ଯେ ସେମାନେ କେଉଁଠାରୁ ବିଧାୟକ କିଣିବା ପାଇଁ ଏତେ ଟଙ୍କା ପାଉଛନ୍ତି। ଭାଜପା ଅପରେଶନ୍‌ ଲୋଟସ ସାହାଯ୍ୟରେ ଗୋଆ, ମହାରାଷ୍ଟ୍ର, କର୍ନଟକରେ ସରକାର ଗଠନ କରିଛି। ଦିଲ୍ଲୀରେ ମଧ୍ୟ ସମାନ ଅପରେଶନ ଫର୍ମୁଲା ଗ୍ରହଣ କରିବାକୁ ଭାଜପା ଚେଷ୍ଟା କରୁଛି। ପ୍ରଥମେ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆଙ୍କୁ ଏକ ଅଫର ଦିଆଯାଇଥିଲା। ,ତା’ପରେ ବିଧାୟକମାନଙ୍କୁ ୨୦ କୋଟି ଲେଖାଏଁ ଅଫର ଦିଆଯାଛି। ଭାଜପା ଏପର୍ଯ୍ୟନ୍ତ ୨୭୭ ବିଧାୟକଙ୍କୁ ଅପରେଶନ ଲୋଟସ ଦ୍ୱାରା କିଣିଛି। ଏଥିରେ ୬୩୦୦ କୋଟି ଖର୍ଚ୍ଚ ହୋଇଛି। ଆତିଶି କହିଛନ୍ତି ଯେ ଆମେ କହୁଛୁ ଯେ ଦିଲ୍ଲୀରେ ନୁହେଁ ସମଗ୍ର ଦେଶବ୍ୟାପୀ ଏହାର ଯାଞ୍ଚ୍‌ ହେବା ଉଚିତ।

Related Posts