କୋଲକାତା: କଲିକତା ହାଇକୋର୍ଟରେ ବୃଦ୍ଧି ପାଇଲା ବିଚାରପତି ସଂଖ୍ୟା। ବୁଧବାର ୯ ଜଣ ବିଚାରପତି ଏକାଠି ଶପଥ ଗ୍ରହଣ ନେଇଥିବା ବେଳେ, ଏବେ ବିଚାରପତି ସଂଖ୍ୟା ୫୪କୁ ବୃଦ୍ଧି ପାଇଛି। ଯାହା କି ବରିଷ୍ଠ ଓକିଲଙ୍କ ଅନୁଯାୟୀ ଅନେକ ଦଶନ୍ଧି ମଧ୍ୟରେ ସର୍ବାଧିକ। ଦେଶର ସବୁଠାରୁ ପୁରାତନ କଲିକତାର ଉଚ୍ଚ ନ୍ୟାୟାଳୟରେ ଅନୁମୋଦିତ ବିଚାରପତିଙ୍କ ସଂଖ୍ୟା ହେଉଛି ୭୨।
କଲିକତା ହାଇକୋର୍ଟର ମୁଖ୍ୟ ବିଚାରପତି ପ୍ରକାଶ ଶ୍ରୀବାସ୍ତବ ହାଇକୋର୍ଟ ପରିସରରେ ଆୟୋଜିତ ଏକ ସମାରୋହରେ ବୁଧବାର ନଅ ଜଣ ନୂତନ ବିଚାରପତିଙ୍କୁ ଶପଥ ପାଠ କରାଇଥିଲେ। ନୂତନ ବିଚାରପତିମାନଙ୍କୁ ସ୍ୱାଗତ କରି କଲିକତା ହାଇକୋର୍ଟ ବାର୍ ଆସୋସିଏସନ୍ ସଭାପତି ଅରୁଣାଭ ଘୋଷ ସେମାନଙ୍କୁ ଓକିଲଙ୍କ ସମସ୍ତ ସହଯୋଗ ପାଇଁ ପ୍ରତିଶ୍ରୁତି ଦେଇଛନ୍ତି। ସେ କହିଛନ୍ତି, ଆମର ବିଚାରପତିମାନଙ୍କର ଏକ ସୁନ୍ଦର ସେଟ୍ ଅଛି ଏବଂ ସମସ୍ତଙ୍କ ସହ ଆମର ଅତ୍ୟନ୍ତ ସୌହାର୍ଦ୍ଦ୍ୟପୂର୍ଣ୍ଣ ସମ୍ପର୍କ ରହିଛି।
ବିଚାରପତିମାନଙ୍କର ନୂତନ ନିଯୁକ୍ତିକୁ ସ୍ୱାଗତ କରି ଆଡଭୋକେଟ୍ ଜେନେରାଲ ଏସ୍ ଏନ୍ ମୁଖାର୍ଜୀ କହିଛନ୍ତି ଯେ ସେ ତାଙ୍କର ୩୬ ବର୍ଷରୁ ଅଧିକ ଓକିଲାତି କରିବା କାଳ ମଧ୍ୟରେ କଲିକତା ହାଇକୋର୍ଟରେ କେବେ ବି ଏକକାଳୀନ ୫୦ରୁ ଅଧିକ ବିଚାରପତିଙ୍କୁ କାର୍ଯ୍ୟ କରିଥିବା ଦେଖି ନାହାନ୍ତି। ସେ କହିଛନ୍ତି, ମୁଁ ଆଶା କରୁଛି ଏବଂ ଆନ୍ତରିକତାର ସହ ଆଶା କରୁଛି ଯେ ଆଜି ଶପଥ ଗ୍ରହଣ କରିଥିବା ସମସ୍ତ ବିଚାରପତି ଏବଂ ବାର୍ର ସଦସ୍ୟମାନେ ଉଭୟ ନ୍ୟାୟ ପ୍ରଦାନ ଏବଂ ଆଇନ ପ୍ରୟୋଗ କରିବାରେ ମିଳିତ ଭାବେ କାର୍ଯ୍ୟ କରିବେ।
ଲ ସୋସାଇଟିର ଉପସଭାପତି ଜୟଦୀପ କର ମଧ୍ୟ କହିଛନ୍ତି ଯେ ଏହି ହାଇକୋର୍ଟରେ ତାଙ୍କର ୩୮ ବର୍ଷର ଓକିଲାତିରେ ବିଚାରପତିଙ୍କ ସଂଖ୍ୟା ୫୦ ଅତିକ୍ରମ କରିଥିବା ସେ ଦେଖିନାହାନ୍ତି। ଉଲ୍ଲେଖଯୋଗ୍ୟ, ମେ ମାସ ମଧ୍ୟଭାଗ ପର୍ଯ୍ୟନ୍ତ ମାତ୍ର ୩୯ ଜଣ ବିଚାରପତିଙ୍କ ସହ କାର୍ଯ୍ୟ କରିଥିବା ହାଇକୋର୍ଟରେ ଗତ କିଛି ମାସ ମଧ୍ୟରେ ଅନେକ ନୂତନ ନିଯୁକ୍ତି ଦେଖିବାକୁ ମିଳିଛି ।
