ଦୁବାଇ: ଚଳିତ ଏସିଆ କପ୍‌ ୨୦୨୨ ଆରମ୍ଭ ହୋଇଯାଇଛି । ଆଜି ବାଂଲାଦେଶ ଓ ଶ୍ରୀଲଙ୍କା ପରସ୍ପରକୁ ଭେଟିବେ। ଏହି ମ୍ୟାଚ୍‌ ଉଭୟ ଦଳ ପାଇଁ ବେଶ୍ ଗୁରୁତ୍ୱପୂର୍ଣ୍ଣ ରହିବ । ଉଭୟ ଦଳ ଆଫଗାନିସ୍ତାନ ଠାରୁ ପରାଜିତ ହୋଇସାରିଛନ୍ତି । ତେଣୁ ଆଜିର ମ୍ୟାଚ୍‌ ‘କର ବା ମର’ ପରିସ୍ଥିତି ସୃଷ୍ଟି କରିଛି।

ଏହି ମ୍ୟାଚ୍‌ ସହ ଗ୍ରୁପ୍‌ ବି’ର ଲିଗ୍‌ ପର୍ଯ୍ୟାୟ ଶେଷ ହେବ । ପୂର୍ବରୁ ଆଫଗାନିସ୍ତାନ ସୁପରଫୋର୍‌ ରାଉଣ୍ଡ୍‌ରେ ପ୍ରବେଶ କରିସାରିଛି । ଦ୍ୱିତୀୟ ଦଳ ଭାବେ ମ୍ୟାଚ୍‌ର ବିଜେତା ଏହି ରାଉଣ୍ଡ୍‌ରେ ପ୍ରବେଶ କରିବେ । ତେଣୁ ବିଜୟ ପାଇଁ ଉଭୟ ଦଳ ସବୁ ଶକ୍ତି ଖଟାଇବେ । ଶ୍ରୀଲଙ୍କା ଦଳରେ ବହୁ ପ୍ରତିଭାବାନ ଖେଳାଳି ରହିଛନ୍ତି । କିନ୍ତୁ ଆଫଗାନିସ୍ତାନ ବିପକ୍ଷରେ କେହି ସଫଳ ହୋଇପାରି ନଥିଲେ । କେବଳ ଭାନୁକା ରାଜାପାକ୍ସାଙ୍କୁ ଛାଡିଦେଲେ ଅନ୍ୟ କେହି ଆଫଗାନିସ୍ତାନ ବୋଲରଙ୍କ ମୁକାବିଲା କରିପାରି ନଥିଲେ । ବାଂଲାଦେଶ ମଧ୍ୟ ସମଦଶା ଭୋଗିଥିଲା। ମୁଜିବ ଉର ରେହମାନ ଓ ରସିଦ ଖାନ ୩ଟି ଲେଖାଏଁ ୱିକେଟ୍‌ ନେଇ ବାଂଲାଦେଶର ବିପର୍ଯ୍ୟୟ ଘଟାଇଥିଲେ ।

ଶ୍ରୀଲଙ୍କା ଓ ବାଂଲାଦେଶ ଦଳରେ ଏକାଧିକ ସ୍ପିନର ରହିଛନ୍ତି । ତେଣୁ ସ୍ପିନରମାନେ ମ୍ୟାଚ୍‌ ଫଳାଫଳ ନିର୍ଣ୍ଣୟ କରିବେ । ବାଂଲାଦେଶ ଦଳ ମୁଖ୍ୟତଃ ଅଧିନାୟକ ସାକିବ ଅଲ୍‌ ହାସନଙ୍କ ପ୍ରଦର୍ଶନ ଉପରେ ନିର୍ଭର କରିବ । ତଥାପି ମୁସଫିକର ରହିମ ଓ ମହମୁଦୁଲ୍ଲାଙ୍କ ଭଳି ଅଭିଜ୍ଞ ବ୍ୟାଟର ଦଳରେ ରହିଛନ୍ତି । ଶ୍ରୀଲଙ୍କା ଦଳରେ ଅନେକ ଦକ୍ଷ ବ୍ୟାଟ୍ସମ୍ୟାନ୍‌ ରହିଛନ୍ତି ।

ଟସ୍‌ ବିଜୟୀ ଦଳ ଫିଲ୍ଡିଂ ନେବା ଏକ ପ୍ରକାର ନିଶ୍ଚିତ । ଫ୍ଲଡ୍‌ ଲାଇଟ୍‌ ତଳେ ମ୍ୟାଚ୍‌ ଆୟୋଜନ କରାଯାଉଥିବାରୁ ରାତ୍ରିର କାକରରେ ବ୍ୟାଟିଂ କରିବା ସହଜ । ଦୁବାଇରେ କାକର ପଡୁଥିବାରୁ ଟସ୍‌ ବିଜୟୀ ଦଳ ଫିଲ୍ଡିଂ ନିଷ୍ପତ୍ତ ନେବେ ।