ଭୁବନେଶ୍ବରରେ ପହଞ୍ଚିଲେ ବିଜେପିର ନବନିଯୁକ୍ତ ରାଜ୍ୟ ପ୍ରଭାରୀ ସୁନୀଲ ବଂଶଲ

ଭୁବନେଶ୍ୱର: ଭୁବନେଶ୍ୱରରେ ବିଜେପିର ନବନିଯୁକ୍ତ ରାଜ୍ୟ ପ୍ରଭାରୀ ସୁନୀଲ ବଂଶଲ । ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସି ଆଜି ମଧ୍ୟାହ୍ନରେ ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନବନ୍ଦରରେ ପହଞ୍ଚିଛନ୍ତି। ଏନେଇ ତାଙ୍କୁ ରାଜ୍ୟ ବିଜେପି ପକ୍ଷରୁ ତାଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଛି।

ବିମାନବନ୍ଦରରେ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି, ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା, ଭୁବନେଶ୍ୱର ଲୋକସଭା ସଦସ୍ୟ ଅପରାଜିତା ଷଡ଼ଙ୍ଗୀ, ଲେଖାଶ୍ରୀ ସାମନ୍ତସିଂହାରଙ୍କ ସମେତ ବହୁ ଦଳୀୟ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ।
ସୂଚନାଯୋଗ୍ୟ, ଭାରତୀୟ ଜନତା ପାର୍ଟି (ବିଜେପି) ପକ୍ଷରୁ ସୁନୀଲ ବଂଶଲଙ୍କୁ ଓଡ଼ିଶା ଲାଗି ରାଜ୍ୟ ପ୍ରଭାରୀ ଭାବେ ନିଯୁକ୍ତି ଦିଆଯାଇଥିଲା। ଶ୍ରୀ ବଂଶଲଙ୍କୁ ଓଡ଼ିଶା ସହ ପଶ୍ଚିମବଙ୍ଗ ଓ ତେଲେଙ୍ଗାନାର ମଧ୍ୟ ଦାୟିତ୍ବ ମିଳିଛି। ଏ ନେଇ ବିଜେପି ପକ୍ଷରୁ ବିଜ୍ଞପ୍ତି ଜରିଆରେ ସୂଚନା ଦିଆଯାଇଥିଲା। ପୂର୍ବରୁ ସେ ଉତ୍ତର ପ୍ରଦେଶରେ ଦଳର ସାଧାରଣ ସଂପାଦକ ଥିଲେ ଏବେ ତାଙ୍କୁ ରାଷ୍ଟ୍ରୀୟ ସଂଗଠନରେ ସାଧାରଣ ସଂପାଦକ ନିଯୁକ୍ତ କରାଯାଇଛି।

ଉଲ୍ଲେଖଯୋଗ୍ୟ, ୨୦୨୪ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ଓଡ଼ିଶାରେ ବିଜେପି ନିଜକୁ ମଜବୁତ କରିବା ପାଇଁ ପ୍ରକ୍ରିୟା ଆରମ୍ଭ କରିଦେଇଛି। ଏଥିପାଇଁ ଦଳ ରଣନୀତି ପ୍ରସ୍ତୁତ କରିଛି। ଗତ ଜୁଲାଇ ମାସ ୩୦ ତାରିଖ ଦିନ ବିଜେପି ବିରୋଧୀ ଦଳ ନେତା ଭାବେ ଜୟନାରାୟଣ ମିଶ୍ରଙ୍କ ନାଁ ଘୋଷଣା କରିଥିଲା। ଜୟନାରାୟଣ ମିଶ୍ର ବିଧିବଦ୍ଧ ଭାବେ ଦାୟିତ୍ୱ ନେଇଛନ୍ତି ।

Related Posts