ଲୋକମାନେ ଦୋକାନରୁ ସଉଦା କିଣନ୍ତି, କିନ୍ତୁ ବିଜେପି ବିଧାୟକ ମାନଙ୍କୁ କିଣୁଛି: ହେମନ୍ତ ସୋରେନ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଆଜି ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ବିଧାନସଭାରେ ଆସ୍ଥା ଭୋଟରେ ବିଜୟୀ ହୋଇଛନ୍ତି। ଏହା ପରେ ସେ ବିଜେପିକୁ ଜୋରଦାର ଟାର୍ଗେଟ କରିଛନ୍ତି। ଲୋକେ ଦୋକାନରୁ ଲୁଗାପଟା, ସଉଦାପତ୍ର ଆଦି କିଣନ୍ତି, କିନ୍ତୁ ‘ବିଜେପି’ ବିଧାୟକମାନଙ୍କୁ କିଣୁଛି ବୋଲି ଆଜି ବିଧାନସଭାରେ ଆସ୍ଥା ଭୋଟ୍‌ ଆଗତ ବେଳେ ହେମନ୍ତ ସୋରେନ୍‌ କହିଛନ୍ତି। ତେବେ ଆଜିର ଏହି ଆସ୍ଥା ଭୋଟ୍‌ରେ ସୋରେନ୍‌ଙ୍କ ସପକ୍ଷରେ ସମୁଦାୟ ୪୮ଟି ଭୋଟ୍‌ ପଡ଼ିଥିଲା।

ଦୁର୍ନୀତି ଅଭିଯୋଗ ଆସିବା ପରେ ଅଡୁଆରେ ପଡ଼ିଯାଇଥିବା ମୁଖ୍ୟମନ୍ତ୍ରୀ ସୋରେନ୍‌ ଆଜି ଝାଡ଼ଖଣ୍ଡ ବିଧାନସଭାର ଦିନିକିଆ ବିଶେଷ ଅଧିବେଶନ ଡକାଇ ଆସ୍ଥା ଭୋଟ୍‌ ପାଇଁ ପ୍ରସ୍ତାବ ଦେବା ସହ ବିଜେପି ଉପରେ ବର୍ଷିଛନ୍ତି। ସେ ବିଧାନସଭାରେ କହିଛନ୍ତି ଯେ, ବିଜେପି ଭାରତୀୟ ଗଣତନ୍ତ୍ରକୁ ନଷ୍ଟ କରି ଦେଇଛି। ବିଧାୟକମାନଙ୍କ ଘୋଡ଼ା ବେପାରରେ ମାତିଛି ବିଜେପି। ଆମେ ବିଧାନସଭା‌ରେ ଆମର ସାମର୍ଥ୍ୟ ପ୍ରତିପାଦନ କରିବୁ ବୋଲି ସେ କହିଥିଲେ। ସେ ଆହୁରି ମଧ୍ୟ କହିଥିଲେ, ଲୋକେ ଦୋକାନରୁ ଲୁଗାପଟା, ରେସନ୍‌, ସଉଦାପତ୍ର ଆଦି କିଣିବା କଥା ଆମେ ଶୁଣିଛୁ। କିନ୍ତୁ, ‘ବିଜେପି’ ଏପରି ଏକ ଦଳ ଯିଏ ବିଧାୟକମାନଙ୍କୁ କିଣୁଛି।

ସୂଚନାଯୋଗ୍ୟ ଯେ, ବିରୋଧୀ ‘ବିଜେପି’ର ବିଧାୟକ କିଣା ପ୍ରତିହତ କରିବା ପାଇଁ ଝାଡ଼ଖଣ୍ଡର ଶାସକ ମେଣ୍ଟ ବିଧାୟକମାନଙ୍କୁ କଂଗ୍ରେସ ଶାସିତ ଛତିଶଗଡ଼ରେ ଗୋଟାଏ ସୌଖିନ ରିସର୍ଟରେ ରଖାଯାଇଥିଲା। ଗତକାଲି ଏକ ସ୍ବତନ୍ତ୍ର ବିମାନରେ ସେମାନଙ୍କୁ ଝାଡ଼ଖଣ୍ଡର ରାଜଧାନୀ ରାଞ୍ଚିକୁ ଅଣାଯାଇଥିଲା। ରାଜ୍ୟ ଅତିଥି ଭବନରେ ବିଧାୟକମାନେ ଏକତ୍ର ରାତ୍ରଯାପନ କରିବା ପରେ ଆଜି ସକାଳେ ସିଧା ବିଧାନସଭାରେ ପହଞ୍ଚିଥିଲେ। ଅନ୍ୟପକ୍ଷରେ ହେମନ୍ତଙ୍କ ନାମରେ ଖଣି ଲିଜ୍‌ କରି ନିର୍ବାଚନ ନିୟମ ଉଲ୍ଲଂଘନ କରିଥିବା ଅଭିଯୋଗ ହେଉଥିବାରୁ ତାଙ୍କ ବିଧାୟକ ପଦ ରଦ୍ଦ କରାଯିବା ଉଚିତ ବୋଲି ବିରୋଧୀ ‘ବିଜେପି’ ଦାବି କରିଛି। ନୈତିକତା ଦୃଷ୍ଟିରୁ ମୁଖ୍ୟମନ୍ତ୍ରୀ ଇସ୍ତଫା ଦେବା ସହ ରାଜ୍ୟରେ ପୁଣି ଥରେ ନିର୍ବାଚନ କରାଇବା ପାଇଁ ସେମାନେ ଦାବି କରିଛନ୍ତି।

Related Posts