ଏସିଆ କପ ସୁପର-୪ ମୁକାବିଲା; ଆଜି ‘କର ବା ମର’ ସ୍ଥିତିରେ ଶ୍ରୀଲଙ୍କା କୁ ଭେଟିବ ଭାରତ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଆଜି ଏସିଆ କପ ର ସୁପର-୪ ମ୍ୟାଚରେ ଭାରତୀୟ ଦଳ ‘କର ବା ମର’ ସ୍ଥିତିରେ ଶ୍ରୀଲଙ୍କାକୁ ଭେଟିବ। ଭାରତ ପାଇଁ ନିଜର ବୋଲିଂ ବିକଳ୍ପକୁ ସଜାଡ଼ିବା ମୁଖ୍ୟ ଆହ୍ବାନ ହୋଇଛି। ମାତ୍ରାଧିକ ପରୀକ୍ଷା ନିରୀକ୍ଷାରେ ନକରି ଏବେ ସୀମିତ ବୋଲିଂ ସମ୍ବଳରୁ ଶ୍ରେଷ୍ଠତ୍ବ ବାହାର କରିବା ଯୋଜନାରେ ରହିଛି ଭାରତ। ରବୀନ୍ଦ୍ର ଜାଦେଜା, ହର୍ଷଲ ପଟେଲ୍‌, ଯଶପ୍ରୀତ୍ ବୁମରାଙ୍କ ଆହତଜନିତ ଅନୁପସ୍ଥିତି ଦଳର ବୋଲିଂ ବିକଳ୍ପକୁ ବିଗାଡ଼ି ଦେଇଛି। ପାକିସ୍ତାନ ବିପକ୍ଷ ପ୍ରଥମ ମ୍ୟାଚ୍‌ ଜିତିଥିଲେ ମଧ୍ୟ ରବିବାର ରାତିରେ ହାର୍ଦିକ ପାଣ୍ଡ୍ୟା, ୟୁଝବେନ୍ଦ୍ର ଚହଲ ଏବଂ ଭୁବନେଶ୍ବର କୁମାର ମହଙ୍ଗା ବୋଲିଂ କରିବା ଭାରତକୁ ବିଜୟରୁ ବଞ୍ଚିତ କରିଥିଲା। ୫ ବୋଲର ଯୋଜନାରେ ହାର୍ଦିକ ପାଣ୍ଡ୍ୟାଙ୍କୁ ୪ ଓଭର ବୋଲିଂ କରିବା ଜଟୀଳ ହୋଇଯାଇଥିଲା। ଅକ୍ଷର ପଟେଲ୍ ଏବେ ରବୀନ୍ଦ୍ର ଜା‌ଦେଜାଙ୍କ ସମ୍ଭାବ୍ୟ ବିକଳ୍ପ ଥିବାରୁ ଦଳକୁ ଫେରିପାରନ୍ତି। ଅୱେସ ଖାନ୍‌ ମଧ୍ୟ ତୃତୀୟ ପେସ୍‌ ବୋଲର ଭାବେ ପୁଣି ଚୂଡ଼ାନ୍ତ ଏକାଦଶକୁ ଫେରିବା ସମ୍ଭାବନା ରହିଛି। ବିଶ୍ବକପ୍‌ ପୂର୍ବରୁ ଭାରତ ନିଜର ଶ୍ରେଷ୍ଠ ଏକାଦଶ ଉପରେ ଅଧିକ ଗୁରୁତ୍ବ ଦେଉଛି ବୋଲି ପ୍ରଶିକ୍ଷକ ରାହୁଲ ଦ୍ରାବିଡ଼ଙ୍କ ଯୋଜନାରୁ ସ୍ପଷ୍ଟ ବାରି ହୋଇପଡୁଛି। ଋଷଭ ପନ୍ତ୍‌ ଓ ଦୀନେଶ କାର୍ତ୍ତିକଙ୍କ ବିତର୍କ ଅଧିକ ଚର୍ଚ୍ଚାରେ ରହୁଛି। ପ୍ରଥମ ଦୁଇ ମ୍ୟାଚ୍‌ରେ ବିଶେଷ ବ୍ୟାଟିଂ ସୁଯୋଗ ପାଇନଥିବା କାର୍ତ୍ତିକଙ୍କ ବଦଳରେ ଦୀପକ ହୁଦାଙ୍କୁ ଖେଳାଇଥିଲା ଭାରତ। ବୋଲିଂ ବିକଳ୍ପ ସଜାଡ଼ିବା ହାତରେ ନ ଥିଲେ ମଧ୍ୟ ମଧ୍ୟକ୍ରମ ବ୍ୟାଟିଂକୁ ଦୃଢ଼ କରିବାର ବେଳ ଆସିଛି। ଭାରତର ଶୀର୍ଷ ୩ ବ୍ୟାଟର୍‌ କେଏଲ୍ ରାହୁଲ, ରୋହିତ ଶର୍ମା, ବିରାଟ କୋହଲି ଭଲ ବ୍ୟାଟିଂ କରିବା ଦଳ ପାଇଁ ଶୁଭ ସଙ୍କେତ। ରାହୁଲ ଓ ରୋହିତ ଭାରତକୁ ବୈଦ୍ୟୁତିକ ଆରମ୍ଭ ଦେଉଛନ୍ତି। କୋହଲି ନିଜ ଶ୍ରେଷ୍ଠ ସମୟକୁ ଫେରିନଥିଲେ ମଧ୍ୟ ବିଗତ ୩ ମ୍ୟାଚ୍‌ରେ ୩୫, ୫୯*, ୬୦ ରନ୍‌ କରି ଲୟକୁ ଫେରୁଥିବାର ଆଭାସ ଦେଇଛନ୍ତି। ଶ୍ରୀଲଙ୍କା ବିପକ୍ଷରେ ଏହି ୩ ଜଣ ବିସ୍ଫୋରକ ବ୍ୟାଟିଂ କଲେ ଭାରତକୁ ବଡ଼ ସ୍କୋର୍ ମିଳିବାରେ ଅସୁବିଧା ହେବ ନାହିଁ। ହାର୍ଦିକ ପାଣ୍ଡ୍ୟା, ଋଷଭ ପନ୍ତ୍‌ଙ୍କୁ ମଧ୍ୟ ଦାୟିତ୍ବର ସହ ଖେଳିବାକୁ ପଡ଼ିବ। ଶ୍ରୀଲଙ୍କା ଦଳରେ ଏକାଧିକ ବାମହାତୀ ଥିବାରୁ ଭାରତ ମଧ୍ୟ ଅଭିଜ୍ଞ ଅଫସ୍ପିନର୍‌ ଆର୍‌ ଅଶ୍ବିନଙ୍କୁ ଖେଳାଇବା ଯୋଜନା ରଖିଛି।

ଅନ୍ୟପକ୍ଷରେ ଶ୍ରୀଲଙ୍କା ଏହାର ପୂର୍ବ ଦୁଇ ମ୍ୟାଚ୍‌ରେ ବାଂଲାଦେଶ ଓ ଆଫଗାନିସ୍ତାନ ବିପକ୍ଷରେ ପଶ୍ଚାତଧାବନ କରି ଜିତିଥିବାରୁ ଦଳର ମ‌ନୋବଳ ବଢ଼ିଛି। କ୍ରିସ୍ ସିଲଭରଉଡଙ୍କ ପ୍ରଶିକ୍ଷିତ ଦଳ ଭିତରେ ବିଶ୍ବାସ ଆସିଛି ସେ‌ମାନେ ଯେ କୌଣସି ପରିସ୍ଥିତିରୁ ବି ଜିତିପାରିବେ। ଅଧିନାୟକ ଦସୁନ ଶଣକା, କୁଶାଲ ମେଣ୍ଡିସ୍‌, ଧନୁଷ୍କ ଗୁଣତିଳକା, ଭାନୁକା ରାଜପକ୍ଷ ଭଲ ଖେଳୁଛନ୍ତି। ପଶ୍ଚାତଧାବନ ‌ବେଳେ ଆମ ନିକଟରେ ସ୍ପଷ୍ଟ ଧାରଣା ରହୁଛି ୱିକେଟ୍‌ କିଭଳି ବ୍ୟବହାର କରୁଛି‌ ବୋଲି ମଧ୍ୟ ଶଣକା ପ୍ରକାଶ କରୁଛନ୍ତି। ବାମହାତୀ ବୋଲରଙ୍କ ବିପକ୍ଷରେ ଭାରତୀୟମାନେ ସେତେଟା ଭଲ କରୁନଥିବାରୁ ୨୧ ବର୍ଷୀୟ ଦିଲସାନ୍‌ ମଧୁଶଙ୍କାଙ୍କୁ ପାୱାର ପ୍ଳେ ଭିତରେ ଖେଳାଇପାରେ।

Related Posts