ଚଣ୍ଡିଗଡ଼: ପଞ୍ଜାବରେ ଘଟିଛି ଏକ ଅଭାବନୀୟ ଘଟଣା । ଜଣେ ଆସିସଷ୍ଟାଣ୍ଟ ସବ୍ ଇନ୍ସପେକ୍ଟର (ଏଏସଆଇ) ଆତ୍ମହତ୍ୟା କରିଛନ୍ତି । ବରିଷ୍ଠ ଅଧିକାରୀଙ୍କ ଗାଳି ଓ ନିର୍ଯାତନା ସହି ନ ପାରି ଥାନା ଭିତରେ ନିଜ ସର୍ଭିସ ବନ୍ଧୁକରୁ ଗୁଳି ଚଳାଇ ଜୀବନ ହାରିଛନ୍ତି । ଏଥିସହ ସେ ଗୋଟିଏ ଭିଡିଓ ଜାରି କରି ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ନେବାର କାରଣ ମଧ୍ୟ କହିଛନ୍ତି।
ପଞ୍ଜାବର ହୋଶିଆରପୁରରେ ଥିବା ହରିଆନା ପୁଲିସ୍ ଷ୍ଟେସନରେ ସତୀଶ କୁମାର ଏଏସ୍ଆଇ ଭାବେ କାମ କରୁଥିଲେ। ତଣ୍ଡା ପୁଲିସ୍ ଷ୍ଟେସନର ଏସ୍ଏଚ୍ଓ ଓନକାର ସିଂହ ଗୁରୁବାର ହରିଆନା ପୁଲିସ୍ ଷ୍ଟେସନରା କାମର ସମୀକ୍ଷା କରିବାକୁ ଯାଇଥିଲେ। ଏହି ସମୟରେ ସେ ଏଏସ୍ଆଇ ସତୀଶଙ୍କୁ ଅପମାନିତ କରିବା ସହ ଅଭଦ୍ର ଟିପ୍ପଣୀ କରିଥିଲେ।
ଏ ସମ୍ପର୍କରେ ସତୀଶ ଜୀବନ ହାରିବା ପୂର୍ବରୁ ପ୍ରସ୍ତୁତ କରିଥିବା ଭିଡିଓରେ କହିଛନ୍ତି। ଭିଡିଓରେ ସେ କହିଛନ୍ତି, “ମୁଁ ତାଙ୍କୁ କହିଥିଲି ଯେ ଆପଣ ମୋତେ ଏପରି ଅପମାନ କରିବା ପରିବର୍ତ୍ତେ ଗୁଳି କରିଦେଲେ ବହୁତ ଭଲ ହେବ।” ଏସ୍ଏଚ୍ଓ ଓନକାର ସିଂହ ଏଏସ୍ଆଇ କୁମାରଙ୍କ ଗୋଟିଏ ପ୍ରଶ୍ନର ଉତ୍ତରରେ ସନ୍ତୁଷ୍ଟ ହୋଇ ନଥିଲେ। ତେଣୁ ସେ ତାଙ୍କୁ ଅପମାନିତ ଓ ଗାଳି କରିବାରୁ ଏତେ ବଡ଼ ଘଟଣା ଘଟିଛି।
କୁମାର ଭିଡିଓରେ ଦାବି କରିଛନ୍ତି ଯେ “ସେ(ଓନକାର ସିଂହ) ମୋତେ ଦିନକ ପରେ ପଞ୍ଜାବ ଓ ହରିଆଣା ହାଇକୋର୍ଟରେ କେଉଁ ସବୁ ମାମଲାର ଶୁଣାଣି ହେବାର ଅଛି, ସେ ସମ୍ପର୍କରେ ପଚାରିଥିଲେ। ମୁଁ ତାଙ୍କୁ କହିଥିଲି ଯେ ମୋ ଅଧୀନରେ କେବଳ ଗୋଟିଏ ମାମଲାର ତଦନ୍ତ ଦାୟିତ୍ୱ ରହିଛି। ଆପଣ ବିସ୍ତୃତ ତଥ୍ୟ ମାମଲାର ତଦନ୍ତ କରୁଥିବା ଅଧିକାରୀମାନଙ୍କ ଠାରୁ ପାଇ ପାରିବେ। ଏହା ଶୁଣିବା ପରେ ସେ ମୋତେ ଗାଳି କରିବା ସହ ଅପମାନିତ କରି ଚାଲିଥିଲେ। ଏତିକିରେ ତାଙ୍କ ମନ ଶାନ୍ତି ହୋଇ ନଥିଲା। ସେ ରେକର୍ଡ ବୁକରେ ମୋ ନାଁରେ ଅଭିଯୋଗ ମଧ୍ୟ କରିଥିଲେ। ଏପରି ନିର୍ଯାତନା ଓ ଅପମାନ ମୁଁ ସହି ପାରିବି ନାହିଁ। ତେଣୁ ମୁଁ ମରିବାକୁ ବେଶୀ ପସନ୍ଦ କରୁଛି।”
ସେପଟେ ଏନେଇ ଭିଡିଓ ସାମ୍ନାକୁ ଆସିବା ପରେ ଏସଏଚଓ ଓନକାର ସିଂହଙ୍କୁ ପୁଲିସ୍ ଲାଇନକୁ ବଦଳି କରାଯାଇଛି ଓ ଘଟଣାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି।
