ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଗତକାଲି ବର୍ଷରେ ଭିଜି ଭିଜି ଲୋୟର ପିଏମଜିରେ ଚୁକ୍ତିଭିତ୍ତିକ କର୍ମଚାରୀଙ୍କ ରଣହୁଙ୍କାର ପରେ ଆଲୋଚନା କରିଛନ୍ତି ସରକାର । ଚୁକ୍ତିଭିତ୍ତିକ କର୍ମଚାରୀ ମହାସଂଘ ଓ ରାଜ୍ୟ ସରକାରଙ୍କ ମଧ୍ୟରେ ଆଲୋଚନା ସଫଳ ହୋଇଥିବା କୁହାଯାଇଛି ।୧୫ ଦିନ ଭିତରେ ସରକାର ଚୁକ୍ତିଭିତ୍ତିକ ମହାସଂଘ ରଖିଥିବା ଦାବିର ବିଚାର କରି ନିଷ୍ପତ୍ତି ନେବେ ।ଦାବି ପୂରଣ ନହେଲେ ପରବର୍ତ୍ତୀ କାର୍ଯ୍ୟପନ୍ଥା ଗ୍ରହଣ କରାଯିବ ବୋଲି ସଂଘ ପକ୍ଷରୁ କୁହାଯାଇଛି। ତେବେ ସରକାର ଯଦି ମହାସଂଘର ଦାବି ମାନି ନେଲେ ରାଜ୍ୟ ସରକାରଙ୍କ ୪୨ଟି ବିଭାଗର କାର୍ଯ୍ୟରତ ୭୦ ହଜାର ଚୁକ୍ତିଭିତ୍ତିକ କର୍ମଚାରୀ ଉପକୃତ ହେବେ ।
ସୂଚନାଯୋଗ୍ୟ ଯେ, ରବିବାର ଭୁବନେଶ୍ୱର ଲୋୟର ପିଏମଜିରେ ଚୁକ୍ତିଭିତ୍ତିକ କର୍ମଚାରୀଙ୍କ ବିରୋଧ ପ୍ରଦର୍ଶନ ଦେଖିବାକୁ ମିଳିଥିଲା । ପ୍ରବଳ ବର୍ଷା ସତ୍ତ୍ୱେ ବିଭିନ୍ନ ଦାବି ନେଇ ଲୋୟର ପିଏମଜିରେ ଆନ୍ଦୋଳନ କରିଥିଲେ ହଜାର ହଜାର ଚୁକ୍ତିଭିତ୍ତିକ କର୍ମଚାରୀ । ଏହାପରେ ଆଜି ସଂଘ ସହିତ ରାଜ୍ୟ ସରକାର ଆଲୋଚନା କରିଥିଲେ। ଏହି ଆଲୋଚନା ସଫଳ ହୋଇଥିବା କୁହାଯାଉଛି ।
