ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଆଜି ହେଉଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୨ ତମ ଜନ୍ମଦିନ। ଏହି ଅବସରରେ ସେ ଭାରତକୁ ୮ ଚିତା ଉପହାର ଦେଇଛନ୍ତି । ମଧ୍ୟପ୍ରଦେଶର କୁନୋ ନ୍ୟାସ୍‌ନାଲ ପାର୍କରେ ଏହି ଚିତାଗୁଡ଼ିକୁ ଛଡ଼ାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୮ଟି ଚିତାକୁ ପାର୍କରେ ମୁକ୍ତ କରିଛନ୍ତି। ଚିତା ଛାଡିବା ପରେ ଏହା ଭାରତ ପାଇଁ ଐତିହାସିକ କ୍ଷଣ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ୮ ଚିତାଙ୍କ ଭିତରେ ୩ ଅଣ୍ଡିରା ଓ ୫ ମାଇ ଚିତା ଅଛନ୍ତି। ଏମାନଙ୍କୁ ଆଫ୍ରିକୀୟ ରାଷ୍ଟ୍ର ନାମିବିୟା ସୋଭାନାରୁ ଏକ ଚାଟାର୍ଡ ବିମାନ ଯୋଗେ ଅଣାଯାଇଥିଲା। ଜନ୍ମଦିନରେ ଚିତାକୁ ଜଙ୍ଗଲରେ ଛାଡ଼ିବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ଆଜି ସକାଳେ ମଧ୍ୟପ୍ରଦେଶର ଗ୍ୱାଲିଅର ବିମାନବନ୍ଦରରେ ପହଞ୍ଚିଥିଲେ। ସେଠାରେ ତାଙ୍କୁ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହ୍ୱାନ୍ ସ୍ୱାଗତ କରିଥିଲେ।

ଏହାପରେ ସେଠାରୁ କୁନୁ ପାର୍କ ଅଭିମୁଖେ ଯାଇଥିଲେ ପ୍ରଧାନମନ୍ତ୍ରୀ। ପାର୍କରେ ପହଞ୍ଚିବା ପରେ ଚିତାଙ୍କୁ ମୁକ୍ତ କରିବା ସହିତ ବାଘଗୁଡ଼ିକର ଫଟୋ ଉଠାଇଛନ୍ତି ପ୍ରଧାନମନ୍ତ୍ରୀ। ଚିତାଙ୍କୁ ଛାଡ଼ିବା ସହ ନାମିବିୟା ସରକାରଙ୍କୁ ଧନ୍ୟବାଦ ଦେଇଛନ୍ତି ପ୍ରଧାନମନ୍ତ୍ରୀ। ମୋଦୀ କହିଛନ୍ତି ଯେ, ଏହି ଐତିହାସିକ ଦିନରେ ମୁଁ ସବୁ ଭାରତୀୟଙ୍କୁ ଶୁଭେଚ୍ଛା ଜଣାଇବା ସହ ନାମିବିୟା ସରକାରଙ୍କୁ ଧନ୍ୟବାଦ ଜଣାଉଛି। ସେମାନଙ୍କର ସହଯୋଗ ବିନା ଏହା ସମ୍ଭବ ହୋଇପାରି ନଥାନ୍ତା ମୋଦୀ ଆହୁରି ମଧ୍ୟ କହିଛନ୍ତି ଯେ, କୁନୋ ନ୍ୟାସ୍‌ନାଲ ପାର୍କରେ ଚିତାକୁ ଦେଖିବା ପାଇଁ ଲୋକଙ୍କୁ ଆଉଟିକେ ଧୌର୍ଯ୍ୟ ଧରିବାକୁ ପଡ଼ିବ। ଏହି ଚିତାମାନେ ଆମର ଅତିଥି ହୋଇ ଆସିଛନ୍ତି। ଏହି ଅଞ୍ଚଳ ଏବେ ତାଙ୍କ ପାଇଁ ଅଜଣା। କୁନୋ ପାର୍କକୁ ସେମାନଙ୍କ ଘର ବନାଇବାକୁ ହେଲେ ଆମକୁ ଆଉ କିଛି ମାସ ଅପେକ୍ଷା କରିବାକୁ ପଡ଼ିବ ବୋଲି ମୋଦୀ କହିଛନ୍ତି।

ତେବେ ଭାରତରେ ଚିତାବାଘ ଶୂନ୍ୟ ହୋଇଯିବା ଘଟଣାକୁ ମନେ ପକାଇଛନ୍ତି ମୋଦୀ। ଏନେଇ ସେ କହିଛନ୍ତି ଯେ, ଏହା ଦୁର୍ଭାଗ୍ୟର କଥା ଯେ ଆମେ ୧୯୫୨ରେ ଚିତାକୁ ଦେଶରୁ ବିଲୁପ୍ତ ବୋଲି ଘୋଷଣା କରିଥିଲେ। ଦଶନ୍ଧୀ ଦଶନ୍ଧୀ ଧରି ସେମାନଙ୍କର ପୁନର୍ବାସ ପାଇଁ କୌଣସି ସାର୍ଥକ ପ୍ରୟାସ କରାଯାଇ ନଥିଲା। ଆଜି ଯେହେତୁ ଆମେ ସ୍ୱାଧିନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ଅମୃତ ମହୋତ୍ସବ ପାଳନ କରୁଛୁ ତେଣୁ ପୂରା ଉତ୍ସାହର ସହ ଦେଶ ଚିତାଙ୍କର ପୁନର୍ବାସ ପାଇଁ ବ୍ୟବସ୍ଥା କରୁଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।