ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଶ୍ରୀମନ୍ଦିରର ଜଗମୋହନ, ଗର୍ଭ ଗୃହ, ନାଟମଣ୍ଡପ ଓ ରତ୍ନ ଭଣ୍ଡାର ମରାମତି ପ୍ରସଙ୍ଗରେ ସ୍ଥିତି ଅନୁଧ୍ୟାନ କରିବେ ଆମିକସକ୍ୟୁରୀ। ଏନେଇ ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଆଜି ପୁରୀରେ ପହଞ୍ଚିଛନ୍ତି ଆମିକସକ୍ୟୁରୀ ଏନ୍.କେ ମହାନ୍ତି । ପୁରୀରେ ପହଞ୍ଚିବା ପରେ ଶ୍ରୀମନ୍ଦିର ପ୍ରଶାସନ ସହ ସେ ଆଲୋଚନା କରିଛନ୍ତି । ଏହି ଆଲୋଚନା ପରେ ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଶ୍ରୀମନ୍ଦିର ଯାଇ ଅନୁଧ୍ୟାନ କରି ସେ ସ୍ଥିତି ସମ୍ପର୍କରେ କୋର୍ଟଙ୍କୁ ଅବଗତ କରାଇବେ ।ସେହିଭଳି ଶୁକ୍ରବାର ଦିନ ଆମିକସ୍ କ୍ୟୁରି କୋଣାର୍କ ସୂର୍ଯ୍ୟ ମନ୍ଦିର ପରିଦର୍ଶନ କରିଛନ୍ତି । ଏଏସ୍ଆଇ ପକ୍ଷରୁ ବାଲି କାଢିବା ନେଇ ଯେଉଁ ନିଷ୍ପତ୍ତି ନିଆଯାଇଥିଲା ତାର ଅନୁଧ୍ୟାନ କରିଥିଲେ । ଆମିକସ କ୍ୟୁରିଙ୍କ ଗସ୍ତ ସମୟରେ ଏଏସଆଇର ବରିଷ୍ଠ ଅଧିକାରୀ ଓ ବୈଷୟିକ ଟିମ୍ ଉପସ୍ଥିତ ରହିଥିଲେ ।

ସୂଚନାଯୋଗ୍ୟ ଯେ, ୧୯୦୩ ମସିହାରେ ମୁଖଶାଳାର ଗର୍ଭଗୃହରେ ଭର୍ତ୍ତି ହୋଇଥିବା ୧୦ ହଜାର ମେଟ୍ରିକ୍‌ ଟନ୍‌ ବାଲି କାଢ଼ିବାକୁ ଏଏସ୍‌ଆଇ ନିଷ୍ପତ୍ତି ନେବାପରେ ଏଥିପାଇଁ ପୂଜାର୍ଚ୍ଚନା ସହ ଟିକିନିଖି ଯାଞ୍ଚ କରାଯାଇଥିଲା । ଆମିକସ୍‌ କ୍ୟୁରି ଏନ୍‌କେ ମହାନ୍ତି କୋଣାର୍କ ସୂର୍ଯ୍ୟମନ୍ଦିର ପରିଦର୍ଶନ କରିବା ପରେ ବାଲିକାଢ଼ିବା ପାଇଁ ଏଏସ୍‌ଆଇ ସୁରକ୍ଷିତ ଭାବେ କାର୍ଯ୍ୟ କରୁଥିବା ସୂଚନା ଦେଇଛନ୍ତି । ଏପରିକି ବାଲି କଢ଼ାଯିବା ପରେ ମନ୍ଦିର ସୁରକ୍ଷିତ ରହିବ ବୋଲି ମଧ୍ୟ ଆମିକସ୍‌ କ୍ୟୁରି ଶ୍ରୀ ମହାନ୍ତି କହିଛନ୍ତି । ଓଡ଼ିଶା ଓ ଓଡ଼ିଆଙ୍କ ନିଖୁଣ ସ୍ଥାପତ୍ୟର ପରିଚୟ କୋଣାର୍କ ସୂର୍ଯ୍ୟମନ୍ଦିରର ମୁଖଶାଳାର ସୁରକ୍ଷା ଦିଗରେ ଏଏସ୍‌ଆଇ ଅଦ୍ୟାବଧି ମନ୍ଦିରକୁ ସୁରକ୍ଷିତ ରଖିବା ପାଇଁ ସମସ୍ତ ଦିଗକୁ ଦୃଷ୍ଟିରେ ରଖି କାର୍ଯ୍ୟ କରୁଛି । ତେଣୁ ମନ୍ଦିରରୁ ବାଲି କଢ଼ାଯିବା ପରେ ପ୍ରାୟତଃ କୌଣସି ଅସୁବିଧା ଉପୁଜିବ ନାହିଁ ବୋଲି ସେ କହିଛନ୍ତି ।