ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଚର୍ଚ୍ଚାରେ ରାଷ୍ଟ୍ରୀୟ ସ୍ୱଂୟ ସେବକ ସଂଘ (ଆରଏସଏସ)ର ମୁଖ୍ୟ ମୋହନ ଭାଗବତ। ମୁସଲିମ ନେତାଙ୍କ ସହ ଆଲୋଚନା ପରେ ଦିଲ୍ଲୀରେ ଏକ ମସଜିଦ୍ ପରିଦର୍ଶନ କରିଛନ୍ତି ମୋହନ ଭାଗବତ। ଏଥିସହ ମସଜିଦ୍ର ମୁଖ୍ୟ ମୌଲବୀଙ୍କ ସହ ଆଲୋଚନା କରିଛନ୍ତି। ସର୍ବଭାରତୀୟ ଇମାମ ସଙ୍ଗଠନର ମୁଖ୍ୟ ତଥା ମୌଲବୀ ଉମର ଅମହମ୍ମଦ ଇଲିୟାସିଙ୍କୁ ଭେଟି ଆଲୋଚନା କରିଛନ୍ତି। ଉଭୟଙ୍କ ମଧ୍ୟରେ ପ୍ରାୟ ୧ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ଧରି ରୁଦ୍ଧଦ୍ୱାର ବୈଠକ ହୋଇଥିବା ଜଣାପଡ଼ିଛି।
ଏ ସମ୍ପର୍କରେ ଇଲିୟାସିଙ୍କ ପୁଅ ସୁହାବି ଇଲିୟାସି କହିଛନ୍ତି ଯେ, ଉଭୟଙ୍କ ସାକ୍ଷାତ ଦେଶକୁ ଏକ ଉତ୍ତମ ବାର୍ତ୍ତା ଦେଉଛି। ଆମ ନିମନ୍ତ୍ରଣ ରକ୍ଷା କରି ସେ ଆସିଥିବାରୁ ବେଶ ଖୁସି ଲାଗୁଛି ବୋଲି ଇଲିୟାସି କହିଛନ୍ତି। ନିକଟରେ ମୋହନ ଭାଗବତ ମୁସଲମାନ ବୁଦ୍ଧିଜୀବୀମାନଙ୍କୁ ଭେଟିଥିଲେ। ସାମ୍ପ୍ରଦାୟିକ ସଦଭାବନା ବୃଦ୍ଧି ଦିଗରେ ଏହି ଭେଟଘାଟ ବେଶ ସହାୟ ହେବ ବୋଲି କୁହାଯାଇଛି । କର୍ଣ୍ଣାଟକରେ ହିଜାବ ବିବାଦ ଏବଂ ପ୍ରଫେଟ ମହମ୍ମଦଙ୍କ ବିରୋଧରେ ବିଜେପି ନେତ୍ରୀ ନୁପୂର ଶର୍ମାଙ୍କ ବିବାଦୀୟ ଟିପ୍ପଣୀ ପରେ ଦେଶରେ ସାମ୍ପ୍ରଦାୟିକ ମାହୋଲ ବିଗିଡ଼ି ଯାଇଥିଲା। ଏହା ପରେ ଏହି ଭେଟଘାଟ ଏକ ସକରାତ୍ମକ ସଙ୍କେତ ଦେଉଛି।
ସୂଚନାଯୋଗ୍ୟ ଯେ, ମଙ୍ଗଳବାର ମୋହନ ଭାଗବତ ଦିଲ୍ଲୀର ପୂର୍ବତନ ଉପରାଜ୍ୟପାଳ ନଜୀବ୍ ଜଙ୍ଗ୍ ଏବଂ ପୂର୍ବତନ ନିର୍ବାଚନ କମିସନର୍ ଏସ୍ୱାଇ କୁରୈଶିଙ୍କ ସମେତ ୫ଜଣ ବିଶିଷ୍ଟ ମୁସଲ୍ମାନଙ୍କୁ ଭେଟି ସାମ୍ପ୍ରଦାୟିକ ସଦ୍ଭାବ ବିଷୟରେ ଆଲୋଚନା କରିଥିଲେ। ଦୁଇ ସମ୍ପ୍ରଦାୟ ମଧ୍ୟରେ ଥିବା ମତାନ୍ତର କ୍ଷେତ୍ର ଖୋଜି ବାହାର କରିବା ସହ ତାହାର ସମାଧାନ ନିମନ୍ତେ ଉପାୟ କରିବା ଲାଗି ଉଭୟ ପକ୍ଷ ରାଜି ହୋଇଥିବା ଜଣା ପଡ଼ିଛି।
