ନୂଆଦିଲ୍ଲୀ: ଅକ୍ଟୋବର ୧୭ ତାରିଖରେ ଅନୁଷ୍ଠିତ ହେବ ଦଳର ଅଧ୍ୟକ୍ଷ ପଦ ନିର୍ବାଚନ ନିମନ୍ତେ ଭୋଟ୍‌ ଗ୍ରହଣ ପକ୍ରିୟା । ଏନେଇ ଆଜି କଂଗ୍ରେସ ପାର୍ଟି ଜାରି କରିଥିବା ବିଜ୍ଞପ୍ତିରେ ଉଲ୍ଲେଖ ଅଛି।

ଏହି ନିର୍ବାଚନ ନିମନ୍ତେ ସେପ୍ଟେମ୍ବର ୨୪ରୁ ସେପ୍ଟେମ୍ବର ୩୦ ସୁଦ୍ଧା ପ୍ରାର୍ଥୀପତ୍ର ଦାଖଲ ନିମନ୍ତେ ସମୟ ଦିଆଯାଇଛି। ପ୍ରୟୋଜନ ହେଲେ, ଅକ୍ଟୋବର ୧୭ ତାରିଖ ଦିନ ଭୋଟ୍‌ ଗ୍ରହଣ ଓ ଅକ୍ଟୋବର ୧୯ ତାରିଖ ଦିନ ଭୋଟ୍‌ ଗଣନା କରାଯିବ ବୋଲି ଉକ୍ତ ବିଜ୍ଞପ୍ତିରେ ଉଲ୍ଲେଖ ଅଛି।

ବିଜ୍ଞପ୍ତି ଅନୁସାରେ, ୨୪ରୁ ସେପ୍ଟେମ୍ବର ୩୦ ସୁଦ୍ଧା (ପୂର୍ବାହ୍ନ ୧୧ଟାରୁ ଅପରାହ୍ଣ ୩ଟା) ପ୍ରାର୍ଥୀପତ୍ର ଦାଖଲ ଏବଂ ଅକ୍ଟୋବର ୧ରେ ପ୍ରାର୍ଥୀପତ୍ର ଯାଞ୍ଚ କରାଯିବା ସହ ସନ୍ଧ୍ୟା ବେଳକୁ କାଏମ୍‌ ଥିବା ପ୍ରାର୍ଥୀପତ୍ରର ତାଲିକା ପ୍ରକାଶ କରାଯିବ।

ସେହିପରି, ପ୍ରାର୍ଥୀପତ୍ର ପ୍ରତ୍ୟାହାର ନିମନ୍ତେ ଅକ୍ଟୋବର ୮ ତାରିଖ ଅପରାହ୍ଣ ୩ଟା ପର୍ଯ୍ୟନ୍ତ ସମୟ ଦିଆଯାଇଛି। ପ୍ରତ୍ୟାହାର ସମୟ ଶେଷ ହେବା ପରେ ସନ୍ଧ୍ୟା ୫ଟାରେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ କରାଯିବ।

ଯଦି ଆବଶ୍ୟକ ପଡ଼େ, ଅକ୍ଟୋବର ୧୭ ତାରିଖ ପୂର୍ବାହ୍ନ ୧୦ଟାରୁ ଅପରାହ୍ଣ ୪ଟା ପର୍ଯ୍ୟନ୍ତ ସମସ୍ତ ପ୍ରଦେଶ କଂଗ୍ରେସ ମୁଖ୍ୟାଳୟରେ ଭୋଟ୍‌ ଗ୍ରହଣ କରାଯିବ। ‌ଅକ୍ଟୋବର ୧୯ ତାରିଖ ଦିନ ପୂର୍ବାହ୍ନ ୧୦ଟାରୁ ‘ଏଆଇସିସି’ ମୁଖ୍ୟାଳୟରେ ଭୋଟ୍‌ ଗଣନା ଆରମ୍ଭ ହୋଇ ଶେଷ ହେବା ପରେ ପରେ ବିଜୟୀଙ୍କ ନାମ ଘୋଷଣା କରାଯିବ।