ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଶୁକ୍ରବାର ଦିନ ୟୁକ୍ରେନ୍‌ର ୪ଟି ଅଧିକୃତ ଅଞ୍ଚଳରେ ଜନାଦେଶ (ରୁଷ୍‌ରେ ମିଶିବା ସପକ୍ଷରେ ଭୋଟ୍‌) କରାଇ ରୁଷ୍‌ କିବ୍‌ ଓ ପାଶ୍ଚାତ୍ୟ ରାଷ୍ଟ୍ରମାନଙ୍କଦ୍ବାରା ସମାଲୋଚିତ ହୋଇଛି। ଏହି ଭୋଟ୍‌କୁ ଜାଲିଆତି ବୋଲି ଦର୍ଶାଇ ବର୍ଜନ କରିବା ସହ ତା’ର ଫଳାଫଳକୁ ସ୍ବୀକୃତି ନ ଦେବାକୁ ସେମାନେ କହିଛନ୍ତି।

ଏନେଇ ୟୁକ୍ରେନ୍‌ର ସରକାରୀ ଅଧିକାରୀମାନେ କହିଛନ୍ତି, ୪ଦିନିଆ ଭୋଟ୍‌ ଗ୍ରହଣ ଶେଷ ନ ହେବା ପର୍ଯ୍ୟନ୍ତ କେତେକ ଅଧିକୃତ ଅଞ୍ଚଳରୁ ଲୋକମାନଙ୍କୁ ବାହାରକୁ ଛଡ଼ା ଯାଇ ନ ଥିଲା।ସଶସ୍ତ୍ର ସେନା ଘରେ ଘରେ ପଶି ଲୋକଙ୍କୁ ଭୋଟ୍‌ ଦେବାକୁ ଯିବା ପାଇଁ ବାଧ୍ୟ କରୁଥିଲେ। ଭୋଟ୍‌ରେ ଅଂଶ ଗ୍ରହଣ ନ କଲେ ବହିଷ୍କାର କରାଯିବ ବୋଲି ସରକାରୀ କର୍ମଚାରୀମାନଙ୍କୁ ଧମକ ଦିଆଯାଇଥିଲା।

ରାତ୍ରକାଳୀନ ଉଦ୍‌ବୋଧନରେ ୟୁକ୍ରେନୀୟ ରାଷ୍ଟ୍ରପତି ଭୋଲୋଦିମିର୍‌ ଜେଲେନ୍‌ସ୍କି କହିଛନ୍ତି ଯେ, ବିଶ୍ବ ଏହି ଭୋଟ୍‌କୁ ନିନ୍ଦା କରିବ ଏଥିରେ କୌଣସି ସନ୍ଦେହ ନାହିଁ। ଏଇଟା କେବଳ ଆନ୍ତର୍ଜାତିକ ଆଇନ ଏବଂ ୟୁକ୍ରେନୀୟ ଆଇନ ବିରୋଧରେ ଅପରାଧ ନୁହେଁ, ଏହା ହେଉଛି ଗୋଟାଏ ଦେଶକୁ ବିରୋଧ କରୁଥିବା ନିର୍ଦ୍ଦିଷ୍ଟ ଜନସାଧାରଣଙ୍କ ବିରୋଧରେ ଅପରାଧ ମଧ୍ୟ।ଚଳିତ ମାସ ପ୍ରାରମ୍ଭରେ ଉତ୍ତରପୂର୍ବାଞ୍ଚଳରେ ୟୁକ୍ରେନ୍‌ ବହୁ ଅଞ୍ଚଳ ପୁନର୍ଦଖଲ କରିପକାଇବାରୁ ବାକି ଅଞ୍ଚଳଗୁଡ଼ିକୁ ରୁଷ୍‌ରେ ମିଶାଇବା ଲାଗି ତରବରିଆ ଭାବେ ଭୋଟ୍‌ ଗ୍ରହଣ କରାଯାଇଥିବା କଥା ୟୁକ୍ରେନ୍‌ କହିଛି।

ସେହିପରି, ୟୁକ୍ରେନ୍‌ରେ ଯୁଦ୍ଧ କରିବା ପାଇଁ ଚଳିତ ସପ୍ତାହରେ ୩୦୦,୦୦୦ ସୈନିକଙ୍କୁ ତାଲିକାଭୁକ୍ତ କରି ସାମରିକ ଚିଠା ପ୍ରସ୍ତୁତି କରିବା ଲାଗି ରୁଷୀୟ ରାଷ୍ଟ୍ରପତି ଭ୍ଲାଦିମିର୍‌ ପୁଟିନ୍‌ ଘୋଷଣା କରିବା ପରେ ରୁଷ୍‌ ଅଧିକୃତ ୟୁକ୍ରେନ୍‌ ଅଞ୍ଚଳବାସୀଙ୍କୁ ସମ୍ବୋଧନ କରି ଜେଲେନ୍‌ସ୍କି କହିଛନ୍ତି, ଯେମିତି ସମ୍ଭବ ହେଉଛି ରୁଷୀୟ ‘ମୋବିଲାଇଜେସନ୍‌’ରୁ (ଯୁଦ୍ଧରେ ଗଣସମ୍ପୃକ୍ତି) ଦୂରେଇ ରୁହନ୍ତୁ।