ନୂଆଦିଲ୍ଲୀ: ପୁଣି ଉଡ଼ିଲା ପାକିସ୍ତାନୀ ଡ୍ରୋନ । ଭାରତ ଆକାଶରେ ପୁଣି ଥରେ ପାକିସ୍ତାନୀ ଡ୍ରୋନ ଉଡୁଥିବା ନେଇ ଆସିଲା ନଜର । ପଞ୍ଜାବ ଗୁରୁଦାସପୁର ସେକ୍ଟର ଚକ୍ରି ପୋଷ୍ଟରେ ଏକ ପାକ୍ ଡ୍ରୋନ ଉଡୁଥିବାର ଦେଖିବାକୁ ମିଳିଛି । ଡ୍ରୋନଟି ରବିବାର ରାତିରେ ଆକାଶରେ ଉଡୁଥିବାର ଦେଖିବାକୁ ପାଇଥିଲେ ବିଏସଏଫ ଯବାନ ।

ପ୍ରାୟ ୨୫ ମିନିଟ ପର୍ଯ୍ୟନ୍ତ ଆକାଶରେ ଡ୍ରୋନଟି ଉଡିବା ପରେ ସୀମା ସୁରକ୍ଷା ବଳ(BSF) ଏହା ଉପରେ ଗୁଳିମାଡ କରିଥିଲେ । ଏହା ପରେ ଡ୍ରୋନଟି ପାକିସ୍ତାନ ଫେରି ଯାଇଥିଲା । ବିଏସଏଫ ପକ୍ଷରୁ ଏକ ବିବୃତ୍ତି ଜରିଆରେ ଏହି ସୂଚନା ଦିଆଯାଇଛି ।

ସୂଚନା ଅନୁଯାୟୀ, ଗତକାଲି (ରବିବାର) ବିଳମ୍ବିତ ରାତିରେ ହଠାତ୍ ଚକ୍ରି ପୋଷ୍ଟର ଆକାଶରେ ଏକ ଡ୍ରୋନ ଉଡୁଥିବା ଦେଖିବାକୁ ମିଳିଥିଲା, ଏହାଦେଖି ବିଏସଏଫ ଯବାନ ସଙ୍ଗେ ସଙ୍ଗେ ଆଲର୍ଟ ହୋଇଯାଇଥିଲେ ଏବଂ ଡ୍ରୋନକୁ ଗୁଳିମାଡ କରି ଖସାଇବାକୁ ଚେଷ୍ଟା କରିଥିଲେ । ବର୍ତ୍ତମାନ ସମଗ୍ର ଅଞ୍ଚଳରେ ମିଳିତ ଭାବେ ସର୍ଚ୍ଚ ଅପରେସନ ଜାରି ରଖିଛନ୍ତି ବିଏସଏଫ ଯବାନ ଓ ପଞ୍ଜାବ ପୋଲିସ ।

ଏହା ପୂର୍ବରୁ ସେପ୍ଟେମ୍ବର ୧୨ ତାରିଖରେ ପଞ୍ଜାବ ଗୁରୁଦାସପୁର ସେକ୍ଟର ଅନ୍ତର୍ଜାତୀୟ ସୀମାରେ ଏକ ପାକ୍ ଡ୍ରୋନ ଠାବ ହୋଇଥିଲା । ବିଏସଏଫ ଯବାନ ଏହା ଉପରକୁ ଗୁଳିମାଡ କରିବାରୁ ଡ୍ରୋନଟି ପାକିସ୍ତାନ ଫେରି ଯାଇଥିଲା । ବିଏସଏଫ ରୋଜା ପୋଷ୍ଟ ବିଓପି ୮୯ ବାଟାଲିୟନ ଅଞ୍ଚଳରେ ଡ୍ରୋନଟି ଉଡୁଥିବା ଦେଖିବାକୁ ମିଳିଥିଲା । ସେହିପରି ସେପ୍ଟେମ୍ବର ୧୮ ତାରିଖରେ ଜମ୍ମୁ କଶ୍ମୀରର ସମ୍ବା ଜିଲ୍ଲାର ଅନ୍ତର୍ଜାତୀୟ ସୀମାରେ ଏକ ପାକିସ୍ତାନୀ ସନ୍ଦିଗ୍ଧ ଡ୍ରୋନ୍‌ ଉଡୁଥିବା ଦେଖିବାକୁ ମିଳିଥିବା ବିଏସଏଫ ତରଫରୁ ସୂଚନା ଦିଆଯାଇଥିଲା ।