ଥିରୁଅନନ୍ତପୁରମ : କଂଗ୍ରେସ୍ ପକ୍ଷରୁ ଜାରି ରହିଛି ଭାରତ ଯୋଡ଼ ଯାତ୍ରା । ତେବେ ଏହି ସମୟରେ କେରଳର ପଲକ୍କାଦରେ ଛୋଟ ପିଲାମାନଙ୍କ ସହିତ ରାହୁଲ୍ ଗାନ୍ଧୀ ଫୁଟବଲ୍‌ ଖେଳୁଥିବା ନଜରକୁ ଆସିଛି। ଏହି ଭିଡିଓ ଏବେ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି।

ରାହୁଲ ଗାନ୍ଧୀ କେରଳରେ ଭାରତ ଯୋଡ଼ ଯାତ୍ରା ସମୟରେ ବ୍ୟସ୍ତ ଥିବା ସମୟରେ ଛୋଟ ପିଲାମାନଙ୍କ ସହିତ ରାସ୍ତାରେ ଖେଳି ପୁରା ମଜା ଉଠାଇଛନ୍ତି।

ରାହୁଲ ଗାନ୍ଧୀ ଖେଳୁଥିବା ସମୟର ଭିଡିଓ ଭାରତୀୟ ଜାତୀୟ କଂଗ୍ରେସ ତାର ଅଫିସିଆଲ୍‌ ଟୁଇଟର୍‌ ହ୍ୟାଣ୍ଡେଲ୍‌ରେ ଅପଲୋଡ୍‌ କରିଛି। ଏହି ଭିଡିଓରେ କ୍ଯାପସନ ଦେଇ କଂଗ୍ରେସ ଲେଖିଛି ‘’ଆମେ ଏହି ପିଲାମାନଙ୍କର ଭବିଷ୍ୟତ ପାଇଁ କଷ୍ଟକର ପିରସ୍ଥିତିକୁ ସାମ୍ନା କରିବୁ’’।

୪୦ ସେକେଣ୍ଡର ଏହି ଭିଡିଓରେ ପିଲାମାନେ ବାଇଗଣି ଟିସାର୍ଟ ଓ ହାପ୍‌ ପ୍ୟାଣ୍ଟ ପିନ୍ଧି ପଲକ୍କାଦର ରାସ୍ତା ଉପରେ ଫୁଟ୍‌ ବଲ୍‌ ଖେଳୁଥିବା ଦେଖାଯାଇଛି। ରାହୁଲ ସେମାନଙ୍କ ସହିତ କଥା ହୋଇ ସେମାନଙ୍କ ଠା଼ରୁ ବଲ୍‌ ନେଇଛନ୍ତି। ପରେ ସେମାନଙ୍କୁ ବଲ୍‌ ଫିଙ୍ଗିଛନ୍ତି, ଜଣେ ପିଲା ଏହାକୁ ଧରି ପୁଣି ତାଙ୍କୁ ବଲ୍‌ ଧରିବା ପାଇଁ ଦେଉଛି। ଏପରି ଭାବେ ରାହୁଲ୍‌ ପିଲାମାନଙ୍କ ସହିତ ଖେଳି ମଜା ନେଇଛନ୍ତି। ରାହୁଲ ଏବଂ ପିଲାମାନଙ୍କ ମଧ୍ୟରେ ଏହି ଖେଳକୁ ସେଠାରେ ଉପସ୍ଥିତ କଂଗ୍ରେସ ନେତା ଓ କର୍ମୀମାନେ ଖୁବ୍‌ ଉତ୍ସାହିତ କରୁଥିବା ଏହି ଭିଡିଓରେ ଜଣାପଡ଼ିଛି। ଭିଡିଓଟି ସୋସିଆଲ ମିଡିଆରେ ସେୟାର୍‌ ହେବାଠାରୁ ଭିୟୁଅରମାନେ ଦେଖି ଖବର ଲେଖା ହେବା ସୁଦ୍ଧା ୫ହଜାର ୫୪୮ଟି ଲାଇକ୍‌ କରିବା ସହିତ ୧ ହଜାର ୪୧୯ଟି ରିଟ୍ୱିଟ୍‌ କରିବା ସହିତ ୧୧୯ଟି କମେଣ୍ଟ ମଧ୍ୟ କରିଛନ୍ତି।

ସୂଚନାଥାଉକି, ତାମିଲନାଡ଼ୁର କନ୍ୟା କୁମାରୀରୁ ସେପ୍ଟେମ୍ୱର ୭ରୁ ଭାରତ ଯୋଡ଼ ଯାତ୍ରା ଆରମ୍ଭ ହୋଇଥିବା ବେଳେ ୧୫୦ ଦିନ ଭିତରେ ୩,୫୭୦ କିମି ରାସ୍ତା ଅତିକ୍ରମ କରି ଜାମ୍ମୁ କାଶ୍ମୀରରେ ଏହି ଯାତ୍ରା ସାରିବାକୁ କଂଗ୍ରେସ ଲକ୍ଷ ରଖିଛି। ଅନ୍ୟପଟେ ଏହି ଯାତ୍ରା କେରଳରେ ୧୯ ଦିନରେ ୪୫୦ କିମି ଅତିକ୍ରମ କରି ୭ଟି ଜିଲ୍ଲା ଦେଇ ଅକ୍ଟୋବର ୧ ସୁଦ୍ଧା କର୍ଣ୍ଣାଟକ ପହଞ୍ଚିବ ବୋଲି କୁହାଯାଇଛି ।