କେନ୍ଦ୍ର କ୍ୟାବିନେଟ ନିଷ୍ପତ୍ତି; ନୂଆରୂପ ପାଇବ ଦେଶର ୩ ପ୍ରମୁଖ ରେଳ ଷ୍ଟେସନ, ଖର୍ଚ୍ଚ ହେବ ୧୦ ହାଜର କୋଟି

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ବୁଧବାର କେନ୍ଦ୍ର କ୍ୟାବିନେଟ ବୈଠକରେ ଏକ ବଡ଼ ନିଷ୍ପତ୍ତି ଗ୍ରହଣ କରାଯାଇଛି । ନିଷ୍ପତ୍ତି ଅନୁସାରେ ଦେଶର ତିନୋଟି ପ୍ରମୁଖ ରେଳ ଷ୍ଟେସନ ନୂଆଦିଲ୍ଲୀ, ଅହମଦାବାଦ ଏବଂ ମୁମ୍ୱାଇକୁ ପୁନର୍ବିକାଶ ପାଇଁ ଭାରତୀୟ ରେଲୱେର ପ୍ରସ୍ତାବକୁ ମଞ୍ଜୁରୀ ଦିଆଯାଇଥିବା ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସୂଚନା ଦେଇଛନ୍ତି । ଏହି ୩ଟି ଷ୍ଟେସନ ନବୀକରଣ ଯୋଜନାରେ ପ୍ରାୟ ୧୦,୦୦୦ କୋଟି ଟଙ୍କା ହେବ । ଏହାଛଡା ଦେଶର ମୋଟ ୧୯୯ଟି ପ୍ଲାଟଫର୍ମର ଉନ୍ନତିକରଣ କରାଯିବ ।

ବୁଧବାର କ୍ୟାବିନେଟ୍ ବୈଠକ ପରେ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ଏହି ମହତ୍ୱକାଙ୍କ୍ଷୀ ଯୋଜନା ଅଧିନରେ ଷ୍ଟେସନ ଗୁଡିକ ପାଇଁ ମାଷ୍ଟର ପ୍ଲାନ ପ୍ରସ୍ତୁତ କରାଯାଇଛି । କେନ୍ଦ୍ର ସରକାର ରେଲୱେ ଷ୍ଟେସନ ଗୁଡିକର ଆଧୁନୀକରଣ ଦିଗରେ ଆଗକୁ ବଢୁଛନ୍ତି । ଏଥିରେ ପ୍ରଥମ ପର୍ଯ୍ୟାୟରେ ତିନୋଟି ଷ୍ଟେସନକୁ ଫୋକସରେ ରଖାଯାଇଛି ବୋଲି ସେ କହିଛନ୍ତି। ରେଳ ମନ୍ତ୍ରୀଙ୍କ ସୂଚନା ଅନୁସାରେ, ନୂଆ ଦିଲ୍ଲୀ ରେଲୱେ ଷ୍ଟେସନରେ ବସ, ଅଟୋ ଏବଂ ମେଟ୍ରୋ ରେଳ ସେବା ସହ ଟ୍ରେନ ସେବାକୁ ସାମିଲ କରାଯିବ । ଅନ୍ୟପଟେ ଅହମଦାବାଦ ରେଲୱେ ଷ୍ଟେସନକୁ ମୋଡେରାର ସୂର୍ଯ୍ୟ ମନ୍ଦିର ଆକାର ଦିଆଯିବ । ମୁମ୍ୱାଇ ହେରିଟେଜ୍ ଭବନରେ କୌଣସି ନିର୍ମାଣ କାର୍ଯ୍ୟ କରାଯିବ ନାହିଁ, କିନ୍ତୁ ଏହା ନିକଟରେ ଥିବା ବିଲ୍ଡିଂ ଗୁଡିକକୁ ପୁନର୍ବାର ବିକଶିତ କରାଯିବ ।

Related Posts