ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଗାନ୍ଧୀ ପରିବାର ହେଉଛି ଏକ୍ସପାରି ମେଡିସିନ। ଏକ ସାକ୍ଷାତକାର ସମୟରେ ଏପରି କହି କଂଗ୍ରେସ ଓ ଗାନ୍ଧୀ ପରିବାରକୁ କଟାକ୍ଷ କରିଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା। ବିଗତ ୮ ବର୍ଷରେ ଗାନ୍ଧୀ ପରିବାରର ନେତୃତ୍ବରେ କଂଗ୍ରେସର ପ୍ରଦର୍ଶନ ଏବଂ ଲୋକଙ୍କ ନିକଟରେ ବିଶ୍ବସନୀୟତା ହରାଇବାକୁ ନେଇ ହିମନ୍ତ ଏଭଳି କଟାକ୍ଷ କରିଛନ୍ତି । ସେ ଆହୁରି କହିଛନ୍ତି ଯେ, ବିଜେପି ନେତୃତ୍ବାଧୀନ ଏନଡିଏ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ବରେ ୨୦୨୪ ଲୋକସଭା ନିର୍ବାଚନରେ ପୂର୍ବାପେକ୍ଷା ଅଧିକ ବହୁମତ ହାସଲ କରି ପୁଣି କ୍ଷମତାକୁ ଫେରିବ ।

ଏହି ସାକ୍ଷାତକାର ସମୟରେ ହିମନ୍ତ କହିଛନ୍ତି ଯେ, କଂଗ୍ରେସ ବିଗତ ୮ ବର୍ଷରେ ବିରୋଧୀ ଦଳ ଭାବରେ ମଧ୍ୟ ନିଜ ଦାୟିତ୍ବକୁ ଠିକ୍ ଭାବରେ ତୁଲାଇ ନାହିଁ । ତେଣୁ ଗାନ୍ଧୀ ପରିବାର ଓ କଂଗ୍ରେସକୁ ବିରୋଧି ଦଳ ଭାବେ ନ ଦେଖିବାକୁ ସେ କହିଛନ୍ତି । ସେ ଆହୁରି କହିଛନ୍ତି ଯେ, ଗାନ୍ଧୀ ପରିବାର ଏବେ ଏକ୍ସପାରି ମେଡିସିନ ହୋଇଯାଇଛି । ସେମାନେ ବିରୋଧି ଦଳର ଭୂମିକା ମଧ୍ୟ ନିର୍ବାହ କରିପାରିବେ ନାହିଁ । କାରଣ ସେମାନେ ନିଜକୁ କେବି ବି ବିରୋଧି ବୋଲି ଭାବନ୍ତି ନାହିଁ । କଂଗ୍ରେସ କେବଳ ନାମକୁ ମାତ୍ର ବିରୋଧି ଦଳ । ସେମାନେ ଏବେବି ନିଜକୁ ଶାସକ ଦଳ ବୋଲି ଭାବୁଛନ୍ତି । କଂଗ୍ରେସକୁ ଲାଗୁଛି ଯେ, ନରେନ୍ଦ୍ର ମୋଦି ନିଜ ବଳରେ ପ୍ରଧାନମନ୍ତ୍ରୀ ହୋଇନାହାନ୍ତି । ଏହି ପଦକୁ ଗାନ୍ଧୀ ପରିବାର ନିଜର ଭାବୁଛି ବୋଲି ସେ କଟାକ୍ଷ କରି କହିଛନ୍ତି ।