ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ନିର୍ବାଚନ ରଣନୀତିଜ୍ଞ ତଥା ରାଜନେତା ପ୍ରଶାନ୍ତ କିଶୋର(ପିକେ) ରବିବାର ଗାନ୍ଧୀ ଜୟନ୍ତୀ ଅବସରରେ ବିହାରରୁ ଜନ ସୁରାଜ ପଦଯାତ୍ରା ଆରମ୍ଭ କରିଛନ୍ତି। ବିହାରର ପଶ୍ଚିମ ଚମ୍ପାରଣ ଜିଲ୍ଲାର ଭିତିହାୱାସ୍ଥିତ ଗାନ୍ଧୀ ଆଶ୍ରମରୁ ଠାରୁ ଏହି ପଦଯାତ୍ରା ଆରମ୍ଭ ହୋଇଛି । ଏହି ପଦଯାତ୍ରା ମାଧ୍ୟମରେ ସେ ବିହାରରେ ୩୫୦୦ କିଲୋମିଟର ପଥ ଅତିକ୍ରମ କରିବେ ବୋଲି ସୂଚନା ମିଳିଛି।
ପ୍ରଶାନ୍ତ ଏହି ଯାତ୍ରା ବିଷୟରେ କହିଛନ୍ତି ଯେ, ମୁଖ୍ୟତଃ ତିନୋଟି ଲକ୍ଷ୍ୟ ନେଇ ଏହି ଯାତ୍ରା ଆରମ୍ଭ କରାଯାଇଛି।ତୃଣମୂଳ ସ୍ତରରେ ସଠିକ ଲୋକଙ୍କୁ ଚିହ୍ନଟ କରିବା। ଏହାସହିତ ସେମାନଙ୍କୁ ଗଣତାନ୍ତ୍ରିକ ପ୍ଲାଟଫର୍ମକୁ ଆଣି ସାମିଲ କରିବା ଅମର ଲକ୍ଷ୍ୟ ରହିଛି ବୋଲି ସେ କହିଛନ୍ତି। ଏହି ଯାତ୍ରା ଶିକ୍ଷା, ସ୍ବାସ୍ଥ୍ୟ, କୃଷି ଏବଂ ଶିଳ୍ପ ସମେତ ବିଭିନ୍ନ କ୍ଷେତ୍ରର ବିଶେଷଜ୍ଞଙ୍କ ମତାମତକୁ ଅନ୍ତର୍ଭୁକ୍ତ କରି ରାଜ୍ୟ ପାଇଁ ଏକ ଭିଜନ ପ୍ରସ୍ତୁତି କରିବା କୁ ଲକ୍ଷ୍ୟ ରଖାଯାଇଥିବା ପ୍ରଶାନ୍ତ କହିଛନ୍ତି। ତେବେ ପ୍ରଶାନ୍ତ କିଶୋରଙ୍କ ଏହି ପଦଯାତ୍ରା ୧୨ ରୁ ୧୮ ମାସ ପର୍ଯ୍ୟନ୍ତ ଚାଲିବ। ଏହି ଯାତ୍ରାକୁ ରାଜନୀତି କ୍ଷେତ୍ରରେ ତାଙ୍କର ଏକ ନୂତନ ପଦକ୍ଷେପ ବୋଲି ଚର୍ଚ୍ଚା ଆରମ୍ଭ ହୋଇଛି।
ସୂଚନାଯୋଗ୍ୟ ଯେ, ରାଜନୈତିକ ରଣନୀତିଜ୍ଞ ପ୍ରଶାନ୍ତ କିଶୋର ୨୦୧୮ରେ ଜନତା ଦଳ ୟୁନାଇଟେଡ (ଜେଡିୟୁ) ରେ ଯୋଗ ଦେଇଥିଲେ କିନ୍ତୁ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ସର୍ବସାଧାରଣରେ ସମାଲୋଚନା କରିଥିବାରୁ ତାଙ୍କୁ ୨୦୨୦ରେ ଦଳରୁ ବହିଷ୍କାର କରାଯାଇଥିଲା। ଏବେ ସେ ରାଜନୀତିରେ ନିଜର ଏକ ନୂଆ ପର୍ଯ୍ୟାୟ ଆରମ୍ଭ କରିବାକୁ ଯାଉଛନ୍ତି ବୋଲି ଚର୍ଚ୍ଚା ଆରମ୍ଭ ହୋଇଛି। ଅନ୍ୟପଟେ ଏହି ଯାତ୍ରା ନେଇ ଏକ ବିବୃତ୍ତି ଜାରି କରାଯାଇ କୁହାଯାଇଛି ଯେ, ପ୍ରଶାନ୍ତ କିଶୋରଙ୍କ ଯାତ୍ରା ସମୟରେ ସେ ବିହାରର ପ୍ରତ୍ୟେକ ପଞ୍ଚାୟତ ଏବଂ ବ୍ଲକକୁ ପହଞ୍ଚିବାକୁ ଚେଷ୍ଟା କରିବେ ଏବଂ କୌଣସି ଛୁଟି ନ ନେଇ ଶେଷ ପର୍ଯ୍ୟନ୍ତ ସେ ଏହାର ଅଂଶ ହୋଇ ରହିବେ।