ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ପୁରୀ ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁ ମୃତ୍ୟୁ ମାମଲାକୁ ନେଇ ଦିନକୁ ଦିନ ରହସ୍ୟ ବଢିବାରେ ଲାଗିଛି । ଧର୍ମେନ୍ଦ୍ର ସାହୁଙ୍କ ଭାଇରାଲ ଅଡିଓ କ୍ଲିପକୁ ନେଇ ଏବେ କମିସନରେଟ ପୁଲିସ ତଦନ୍ତ ଆରମ୍ଭ କରିଛି । ଏକ ଅଡିଓ କ୍ଲିପରେ ମୃତ୍ୟୁ ପୂର୍ବରୁ ତାଙ୍କର ମୃତ୍ୟୁ ହେଲେ କେଉଁମାନେ ଦାୟୀ ରହିବେ ସେନେଇ ଧର୍ମେନ୍ଦ୍ର ଜଣ ଜଣ କରି ୫ ଜଣଙ୍କ ନାଁ କହିଛନ୍ତି । ତେବେ ଏହି ଅଡିଓ କ୍ଲିପ୍ ଏକ ଫୋନ୍ କଲ ସମୟର ଓ ଏହି ଫୋନ କଲରେ ସେ ସ୍ଥାନୀୟ ସାମ୍ବାଦିକ ଅକ୍ଷୟ ନାୟକଙ୍କ ସହ କଥା ହୋଇଥିବା ଜଣାପଡିଛି ।ଏହାପରେ କମିସନରେଟ ପୁଲିସ ଗତକାଲି ସାମ୍ବାଦିକ ଅକ୍ଷୟ ନାୟକଙ୍କ ନିମାପଡା ସ୍ଥିତ ଘରେ ପହଞ୍ଚି ଆଜି ଧଉଳି ଥାନାରେ ଦିନ ୧୧ଟାରେ ହାଜର ହେବାକୁ ନୋଟିସ ଦେଇଛି । ଆଜି ଏହି ଅଡିଓ କ୍ଲିପକୁ ନେଇ ଅକ୍ଷାୟଙ୍କୁ ପୋଲିସ ଜେରା କରିବା ନେଇ ସୂଚନା ମିଳିଛି। ତେବେ ଅକ୍ଷୟଙ୍କୁ ଜେରା ପରେ ଏହି ଅଡିଓ କ୍ଲିପର ରହସ୍ୟ ଉନ୍ମୋଚନ ହେବ ବୋଲି ଆଶା କରାଯାଉଛି।

ଅନ୍ୟପଟେ ଏହି ଆତ୍ମହତ୍ୟା ମାମଲାରେ ପୋଲିସ ତଦନ୍ତରେ ଅବହେଳା କରୁଥିବା ଅଭିଯୋଗ ଆଣି ଗତକାଲି ଡିସିପି ଅଫିସ ଘେରିଥିଲା ବିଜେପି । ଆଉ ଡିସିପିଙ୍କୁ ଭେଟି ଧର୍ମେନ୍ଦ୍ର ସାହୁଙ୍କ ଭାଇରାଲ ଅଡିଓ କଲ ବାବଦରେ ଅବଗତ କରାଇଥିଲା । ଯଦି ତଦନ୍ତ ଠିକ୍ ଭାବେ ନହେବ ତାହେଲେ ଆଗାମୀ ଦିନରେ ଆନ୍ଦୋଳନ ଆହୁରି ଜୋରଦାର ହେବ ବୋଲି ବିଜେପି କହିଛି ।ଭାଇରାଲ ହୋଇଥିବା ଅଡିଓ କଲରେ ଧର୍ମେନ୍ଦ୍ର ଅନେକ ବ୍ୟକ୍ତିଙ୍କ ନାଁ ନେଇଛନ୍ତି । ଯେଉଁଥିରେ ବିଜେଡି ନେତା ତଥା ମନ୍ତ୍ରୀ ସମୀର ଦାଶଙ୍କ ନାମ ମଧ୍ୟ ରହିଛି । ହେଲେ ପୋଲିସ କାହିଁକି ମନ୍ତ୍ରୀ ଏବଂ ଅନ୍ୟମାନଙ୍କୁ ତଦନ୍ତ ପରିସରଭୁକ୍ତ କରୁନି ବୋଲି ବିଜେପି ପ୍ରଶ୍ନ କରିଛି । ସେପଟେ ମନ୍ତ୍ରୀ କହିଛନ୍ତି, ମୃତକଙ୍କ ପରିବାର ଲୋକେ ସିଧାସଳଖ କୌଣସି ଅଭିଯୋଗ ଆଣିନାହାନ୍ତି । ତେଣୁ ଏ ସଂପର୍କରେ ସେ କୌଣସି ପ୍ରତିକ୍ରିୟା ରଖିବେ ନାହିଁ ବୋଲି ସେ କହିଛନ୍ତି ।