ନୂଆଦିଲ୍ଲୀ: ଇରାନର ହିଜାବ ବିରୋଧୀ ପ୍ରଦର୍ଶନ ଜାରୀ ରହିଛି । ତେବେ ଯାହାକୁ ସମର୍ଥନ ଜଣାଇ ୟୁରୋପିୟାନ ୟୁନିୟନର ଜଣେ ମହିଳା ସାଂସଦ ନିଜର ଚୁଟି କାଟିଛନ୍ତି । ସଂସଦରେ ବିତର୍କ ସମୟରେ ସେ ନିଜର କେଶ କାଟି ଏହି ବିରୋଧକୁ ସମର୍ଥନ ଜଣାଇଛନ୍ତି ।
ସ୍ୱୀଡେନର ନେତ୍ରୀ ଅବୀର ଅଲ ସହଲାନୀ କହିଛନ୍ତି, ‘ଆମେ, ୟୁରୋପୀୟ ସଂଘର ଲୋକେ ଏବଂ ନାଗରିକ, ଇରାନରେ ପୁରୁଷ ଏବଂ ମହିଳାଙ୍କ ବିରୋଧରେ ହେଉଥିବା ସମସ୍ତ ହିଂସାକୁ ବିନା ସର୍ତ୍ତରେ ତତ୍କାଳ ବନ୍ଦ କରିବାକୁ ଦାବି କରୁଛୁ’।
ୟୁରୋପୀୟ ସଂସଦର ସଦସ୍ୟଙ୍କ ସାମନାରେ ଅହଲାନୀ କଇଁଚି ଧରି ନିଜର ଚୁଟି କାଟିବା ଆରମ୍ବ କରିଥିଲେ । ଏହି ଭିଡିଓ ସେ ନିଜ ଟ୍ୱିଟର ଆକାଉଣ୍ଟରେ ସେୟାର କରିଛନ୍ତି । ସେ କହିଛନ୍ତି, ଯେପର୍ଯ୍ୟନ୍ତ ଇରାନର ମହିଳାଙ୍କୁ ସ୍ୱଧୀନତା ମିଳିନାହିଁ, ସେମାନଙ୍କ ସହ ଆମେ ରହିବୁ ।
ନରୱେ ସ୍ଥିତ ଇରାନ ହ୍ୟୁମନ ରାଇଟ୍ସ ଅନୁସାରେ, ମହସା ଅମିନୀଙ୍କ ମୃତ୍ୟୁ ପରେ ଦେଶବ୍ୟାପୀ ହୋଇଥିବା ପ୍ରଦର୍ଶନରେ ୧୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି । ଇରାନ ସ୍କୁଲର ଛାତ୍ରୀ ଏବଂ ମହିଳାମାନେ ଅମିନୀଙ୍କ ମୃତ୍ୟୁର ବିରୋଧରେ ହିଜାବକୁ ଜାଳିବା ସହ ବଡ଼ ବଡ଼ ରାଲିର ଆୟୋଜନ କରୁଛନ୍ତି । ସରକାର ବିରୋଧୀ ନାରାବାଜି କରିବା ସହ ମହିଳାମାନେ ନିଜର କେଶ କାଟୁଛନ୍ତି ।
