ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଆସମର ଗୌହାଟୀରେ ଆଜି ବିଜେପିର ନୂଆ ଦଳୀୟ କାର୍ଯ୍ୟାଳୟର ଉଦଘାଟନ ହୋଇଛି । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଓ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଉପସ୍ଥିତିରେ ନୂଆ କାର୍ଯ୍ୟାଳୟର ଉଦଘାଟନ ହୋଇଛି । ତେବେ ଏହି ଉଦଘାଟନ ସମାରୋହରେ ଏକ ଭିନ୍ନ ଦୃଶ୍ୟ ଦେଖିବାକୁ ମିଳିଥିଲା ।ଆସାମର ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ଏହି ଉଦଘାଟନ ଉତ୍ସବରେ ବିଜେପିର ବରିଷ୍ଠ କର୍ମୀ ମାନଙ୍କ ପାଦ ଧୋଉଥିବାର ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି ।

ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ୧୯୯୦ ମସିହା ପୂର୍ବରୁ ଦଳ ସହ ଯୋଡି ହୋଇ ରହିଥିବା ଓ ଦଳକୁ ସଙ୍ଗଠିତ କରିଥିବା ବରିଷ୍ଠ କର୍ମୀ ମାନଙ୍କ ପାଦ ଧୋଇଥିଲେ । ଏଭଳି ମୋଟ ୭୫ ଜଣ ବରିଷ୍ଠ ବିଜେପି କର୍ମୀଙ୍କ ପାଦ ଧୋଇଥିଲେ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ଓ ବିଜେପିର ଅନ୍ୟ ନେତା । ରାଜ୍ୟରେ ବିଜେପିର ସରକାର ନଥିବା ସମୟରୁ ଏହି ବରିଷ୍ଠ ନେତା ମାନେ ଦଳକୁ ଶକ୍ତିଶାଳୀ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ଏଥିପାଇଁ ସେମାନଙ୍କୁ ଆଜି ଦଳର ନୂତନ କାର୍ଯ୍ୟାଳୟ ଉଦଘାଟନ ଅବସରରେ ସମ୍ମାନିତ କରାଯାଇଛି। ଦଳର ବରିଷ୍ଠ କର୍ମୀ ମାନଙ୍କୁ ଏଭଳି ସମ୍ମାନ ଦେଇ ଏବେ ସମସ୍ତଙ୍କର ମନ ଜିଣିଛନ୍ତି ବିଶ୍ୱଶର୍ମା ।

ଅନ୍ୟପଟେ ଆସାମ ଗସ୍ତରେ ଯାଇଥିବା ଗୃହମନ୍ତ୍ରୀ ଅମିତ ଶାହା ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଆଜି ଦଳର ରାଜ୍ୟ କାର୍ଯ୍ୟାଳୟ ଉଦଘାଟନ କରିବା ସହିତ ଅନ୍ୟାନ୍ୟ କାର୍ଯ୍ୟକ୍ରମରେ ମଧ୍ୟ ସାମିଲ ହେବେ । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଆସାମର ୯ ଜିଲ୍ଲାର ଦଳୀୟ କାର୍ଯ୍ୟାଳୟର ଶିଳାନ୍ୟାସ କରିବେ ଏବଂ ଗୃହମନ୍ତ୍ରୀ ଅମିତ ଶାହା ରାଜ୍ୟର ୭୫ଟି ମଣ୍ଡଳ କାର୍ଯ୍ୟାଳୟର ଶିଳାନ୍ୟାସ କରିବାର କାର୍ଯ୍ୟକ୍ରମ ରହିଛି।