ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ): ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଓଡ଼ିଶା ସରକାରଙ୍କ ରାଜ୍ୟ ସ୍ତରୀୟ ସିଙ୍ଗିଲ ୱିଣ୍ଡୋ କ୍ଲିୟରାନ୍ସ ଅଥରିଟିର ୧୧୩ ତମ ବୈଠକ ଶନିବାର ଅନୁଷ୍ଠିତ ହୋଇଛି। ଏହି ସିଙ୍ଗିଲ ୱିଣ୍ଡୋ କମିଟି ବୈଠକରେ ୧୦ଟି ନୂଆ ପ୍ରକଳ୍ପକୁ ଅନୁମୋଦନ ମିଳିଛି । ଏଥିରେ ୧୯ଶହ ୨୩ କୋଟି ୬୦ଲକ୍ଷ ଟଙ୍କାର ପୁଞ୍ଜି ନିବେଶ ହେବ । ପ୍ରକଳ୍ପ ପ୍ରତିଷ୍ଠା ହେଲେ ୫ହଜାର ୧୭୦ ଜଣ ନିଯୁକ୍ତି ପାଇବେ। ପ୍ରକଳ୍ପ ଗୁଡ଼ିକ ମଧ୍ୟରେ ଶକ୍ତି, ଅକ୍ଷୟ ଶକ୍ତି, ରସାୟନ, ଆଇଟି ଶିଳ୍ପ, ଖାଦ୍ୟ ପ୍ରକ୍ରିୟାକରଣ, ତୈଳ, ଗ୍ୟାସ ଓ ବୟନଶିଳ୍ପ ପ୍ରକଳ୍ପ ରହିଛି।

ରାଜ୍ୟ ଲୋକସେବା ଭବନରୁ ଡ଼ିଜିଟାଲ ମୋଡ୍‌ରେ ଅନୁଷ୍ଠିତ ଏହି ବୈଠକରେ ଶିଳ୍ପ ବିଭାଗ ପ୍ରମୁଖ ଶାସନ ସଚିବ ହେମନ୍ତ କୁମାର ଶର୍ମା ପ୍ରକଳ୍ପ ଗୁଡିକର ବୈଷୟିକ ଓ ଆର୍ଥିକ ଦକ୍ଷତା ବିଷୟ ଉପସ୍ଥାପନ ପୂର୍ବକ କହିଥିଲେ ଯେ, ପ୍ରକଳ୍ପ ଗୁଡିକ ମୁଖ୍ୟତଃ ଆଲୁମିନିଅମ୍ ଓ ଷ୍ଟିଲ୍ ଡାଉନଷ୍ଟ୍ରିମ୍‌, ଅଣପାରମ୍ପରିକ ଶକ୍ତି, ସୂଚନା ଓ ପ୍ରଯୁକ୍ତି ବିଦ୍ୟା, କୃଷି ଉତ୍ପାଦ ଓ ଖାଦ୍ୟ ପ୍ରକ୍ରିୟାକରଣ, ତୈଳ ଓ ଗ୍ୟାସ୍‌, ବୈଦ୍ୟୁତିକ ପଦାର୍ଥ ଉତ୍ପାଦନ, ଭିତ୍ତିଭୂମି, ପର୍ଯ୍ୟଟନ, ବୈଷୟିକ ବୟନ, ରସାୟନ ଏବଂ ମାନୁଫାକଚରିଂ ସେକ୍ଟର ଅନ୍ତର୍ଭୁକ୍ତ । ଏସବୁ ପ୍ରକଳ୍ପ ରାଜ୍ୟର ବିଭିନ୍ନ ଅଞ୍ଚଳରେ ପ୍ରତ୍ୟକ୍ଷ ଓ ପରୋକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ସହ ରାଜ୍ୟର ଆର୍ଥିକ ପ୍ରଗତିରେ ସହାୟକ ହେବ ।

ପ୍ରକଳ୍ପ ଗୁଡିକୁ ନୀତିଗତ ଅନୁମୋଦନ ଦେଇ ସେଗୁଡିକର ସମୟାନୁବନ୍ଧିତ କ୍ଷେତ୍ରାନ୍ୱୟନ ଉପରେ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ଗୁରୁତ୍ୱ ଆରୋପ କରିଥିଲେ । ଏଥି ପାଇଁ ସମସ୍ତ ପ୍ରକାର ପ୍ରଶାସନିକ ସହଯୋଗ ଯୋଗାଇ ଦେବା ପାଇଁ ଶ୍ରୀ ମହାପାତ୍ର ସଂପୃକ୍ତ ବିଭାଗମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ବିଭିନ୍ନ ପ୍ରକାର ଶିଳ୍ପ ପାଇଁ ଆବଶ୍ୟକୀୟ ଜମି ଓ ଜଳର ସଠିକ୍ ଅନୁଶୀଳନ କରି ତଦନୁଯାୟୀ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦେଇଥିଲେ । ପ୍ରତିଷ୍ଠା ହେବାକୁ ଥିବା ଏହି ଶିଳ୍ପାନୁଷ୍ଠାନମାନେ ଯେପରି ବର୍ଜ୍ୟବସ୍ତୁ ଏବଂ ଉତ୍ପାଦନ-ଜାତି ପ୍ରଦୂଷକ ପଦାର୍ଥର ପରିଚାଳନା ନିମନ୍ତେ ଉପଯୁକ୍ତ ପଦକ୍ଷେପ ନେବେ ତାହା ନିଶ୍ଚିତ କରାଇବା ପାଇଁ ମଧ୍ୟ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ନିର୍ଦ୍ଦେଶ ଦେଇଥିଲେ । ନିୟମିତ ସମୀକ୍ଷା ଓ ତଦାରଖ ମାଧ୍ୟମରେ ଏହା କଡାକଡି ଭାବେ ଲାଗୁ କରିବା ପାଇଁ ମୁଖ୍ୟ ଶାସନ ସଚିବ ଇପିକଲ୍‌ଙ୍କ ସହ ସଂପୃକ୍ତ ବିଭାଗଙ୍କୁ ନିର୍ଦ୍ଦେଶ ଦେଇଥିଲେ । ସବୁ ଶିଳ୍ପାନୁଷ୍ଠାନରେ ଓଡ଼ିଶା କୌଶଳ ପ୍ରାପ୍ତ(ସ୍କିଲ୍ଡ ଇନ୍ ଓଡିଶା) ଯୁବକଯୁବତୀମାନଙ୍କର ନିଯୁକ୍ତି ଉପରେ ମୁଖ୍ୟ ଶାସନ ସଚିବ ଗୁରୁତ୍ୱ ଆରୋପ କରିଥିଲେ ।

ଏହି ବୈଠକରେ ନିତୀଗତ ଅନୁମୋଦନ ଲାଭ କରିଥିବା ୧୦ ଟି ପ୍ରକଳ୍ପ ମଧ୍ୟରେ ଲୁମିନସ୍ ପାୱାର ଟେକ୍‌ନୋଲୋଜି ପ୍ରା. ଲିଃ ପକ୍ଷରୁ ଅନୁଗୁଳ ଆଲୁମିନିୟମ ପାର୍କରେ ନୂତନ ପରିବେଶ ଅନୁକୂଳ ବ୍ୟାଟେରୀ ଏବଂ ସୌର ବ୍ୟାଟେରୀ ମାନୁଫାକ୍‌ଚ୍‌ରିଂ ପ୍ରକଳ୍ପ ଲାଗି ୪୮୧.୯୬କୋଟି ଟଙ୍କା ବ୍ୟୟ କରିବ । ଏଥିରେ ୧୧୫୬ ଜଣଙ୍କ ନିଯୁକ୍ତି ସୁଯୋଗ ରହିଛି । ସେହିପରି ସାଇଲକ୍ସ ଇଣ୍ଡିଆ ପ୍ରା.ଲିଃ ପକ୍ଷରୁ ପାରାଦ୍ୱୀପ ଶିଳ୍ପାଞ୍ଚଳରେ ରସାୟନ ପଦାର୍ଥ ଉତ୍ପାଦନ ଲାଗି ୫୦୦କୋଟି ପୁଞ୍ଜି ନିବେଶ କରିବ । ଏଥିରେ ୮୧୦ନିଯୁକ୍ତି ସୁଯୋଗ ରହିବ । ହାପିଏଷ୍ଟ୍ ମାଇଣ୍ଡସ୍ ଟେକ୍ନୋଲୋଜି ଲିଃ ପକ୍ଷରୁ ଇନଫୋଭ୍ୟାଲି, ଖୋର୍ଦ୍ଧାରେ ସଫ୍ଟ୍‌ଓୟାର ପ୍ରସ୍ତୁତି ଓ ସୁବିଧା କେନ୍ଦ୍ର ଲାଗି ୨୬୫.୬୦କୋଟିର ପୁଞ୍ଜି ନିବେଶ କରୁବାକୁ ଥିବାବେଳେ ୧,୫୩୧ଜଣ ନିଯୁକ୍ତିର ସୁବିଧା ପାଇବେ ।

ଆଇଏଫ୍‌ବି ଇଣ୍ଡଷ୍ଟିଜ୍ ଲିଃ ପକ୍ଷରୁ ସୋମନାଥପୁର ଶିଳ୍ପାଞ୍ଚଳ, ବାଲେଶ୍ୱରରେ କୃଷି ଓ ଖାଦ୍ୟ ପ୍ରକ୍ରିୟାକରଣ(ଆକ୍ୱାଫିଡ୍ ମାନୁଫାକଚରିଂ) ଲାଗି ୧୫୦.୦୯କୋଟିର ପୁଞ୍ଜି ନିବେଶ କରିବାକୁ ଥିବାବେଳେ ୨୭୪ ନିଯୁକ୍ତି, ଅଏଲ୍ ଇଣ୍ଡିଆ ଲିଃ ପକ୍ଷରୁ ପୁରୀ ଏବଂ କେନ୍ଦ୍ରାପଡ଼ାରେ ତୈଳ ଓ ଗ୍ୟାସ୍ ଅନୁସନ୍ଧାନ ୟୁନିଟ୍ ପ୍ରକଳ୍ପ ଲାଗି ୧୦୮.୦୦କୋଟିର ପୁଞ୍ଜି ନିବେଶ ହେବ । ଏଥିରେ ୧୧୫ଜଣ ନିଯୁକ୍ତି ସୁବିଧା ପାଇବେ । ଅଫସୋର ଇନ୍ ଫ୍ରାଷ୍ଟ୍ରକଚର ଲିଃ ପକ୍ଷରୁ କେନ୍ଦୁଝରର ସୈନକୁଲ ଶିଳ୍ପାଞ୍ଚଳରେ ଷ୍ଟିଲ୍ ଡାଉନ୍‌ଷ୍ଟ୍ରିମ୍ ଲାଗି ୫୪.୦୦କୋଟି ପୁଞ୍ଜି ନିବେଶ ହେବ । ଏଠାରେ ୧୪୦ଜଣ ନିଯୁକ୍ତିର ସୁବିଧା ପାଇବେ । ମେହାନ୍ ଇଣ୍ଡଷ୍ଟିଜ୍ ପ୍ରା. ଲିଃ ପକ୍ଷରୁ ଖୋର୍ଦ୍ଧାରେ ବୈଷୟିକ ବୟନ ପ୍ରକଳ୍ପ ଲାଗି ୫୦.୦୫କୋଟି ବ୍ୟୟ ହେବ । ୫୦୬ଜଣ ନିଯୁକ୍ତିର ସୁଯୋଗ ପାଇବେ ।

ସେହିପରି ଏମ୍‌ଏମ୍ ରିସର୍ଟସ୍ ପ୍ରା. ଲିଃ ପକ୍ଷରୁ ପୁରୀର ନୂଆ ମାରାଇନ୍ ଡ୍ରାଇଭ୍ ରୋଡରେ ପର୍ଯ୍ୟଟନ ଆତିଥ୍ୟ (ପଞ୍ଚ ତାରକା ହୋଟେଲ୍‌) ପ୍ରକଳ୍ପ ଲାଗି ୧୭୦କୋଟି ବ୍ୟୟ ହେବାକୁ ଥିବା ବେଳେ ୧୮୦ଜଣ ନିଯୁକ୍ତିର ସୁଯୋଗ ପାଇପାରିବେ । ଏସ୍‌ଜିପି ଇଣ୍ଡିଆ ପ୍ରା ଲିଃ ପକ୍ଷରୁ ଖୋର୍ଦ୍ଧାରେ ଲଜିଷ୍ଟିକ୍ ପାର୍କ ଏବଂ ଆସେମ୍ବିଲିଂ ରିସାଇକ୍ଲିଂ ୟୁନିଟ୍ ଲାଗି ବ୍ୟୟ ହେବ ୯୦କୋଟି ଏବଂ ନିଯୁକ୍ତିର ସୁଯୋଗା ପାଇବେ ୨୦୦ଜଣ । ଶ୍ରୀ ଜୟ ବାଲାଜୀ ଆଗ୍ରୋ ପ୍ରଡକ୍ଟସ୍ ଲିଃ ପକ୍ଷରୁ ଖୋର୍ଦ୍ଧାରେ ଓୟାର ହାଉସିଂ ତଥା ଲଜିଷ୍ଟିକ୍ ପାର୍କ ଲାଗି ୫୪.୦୦କୋଟି ପୁଞ୍ଜି ନିବେଶ ହେବ । ଏଥିରେ ୨୫୮ଜଣ ନିଯୁକ୍ତିର ସୁଯୋଗ ପାଇବେ ବୋଲି ଜଣା ପଡ଼ିଛି ।

ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ, ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, ଶିଳ୍ପ ବିଭାଗ ପ୍ରମୁଖ ଶାସନ ସଚିବ ହେମନ୍ତ କୁମାର ଶର୍ମା, ଇସ୍ପାତ ଓ ଖଣି ବିଭାଗ ପ୍ରମୁଖ ଶାସନ ସଚିବ ଦେଓ ରଂଜନ କୁମାର ସିଂ, ଶ୍ରମ ଓ ଇଏସ୍‌ଆଇ ପ୍ରମୁଖ ଶାସନ ସଚିବ ଚିତ୍ରା ଅରୁମୁଗମ୍‌, ଶକ୍ତି ବିଭାଗ ପ୍ରମୁଖ ଶାସନ ସଚିବ ନିକୁଞ୍ଜବିହାରୀ ଧଳ, ବୈଦ୍ୟୁତିକ ଏବଂ ସୂଚନା ଓ ପ୍ରଯୁକ୍ତି ବିଦ୍ୟା ଶାସନ ସଚିବ ମନୋଜ କୁମାର ମିଶ୍ର, ଇପିକଲ୍ ପରିଚାଳନା ନିର୍ଦ୍ଦେଶକ ଭୁପିନ୍ଦର ସିଂ ପୁନିଆଙ୍କ ସମେତ ସଂପୃକ୍ତ ବିଭାଗର ପ୍ରମୁଖ ଶାସନ ସଚିବ, ଶାସନ ସଚିବ ଓ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହିଥିଲେ ।