ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଭାରତୀୟ ଜନତା ପାର୍ଟି ଦ୍ୱାରା ଶାସିତ ରାଜ୍ୟଗୁଡ଼ିକରେ ମୁସଲମାନମାନଙ୍କର ସମ୍ମାନ ବୁଲା କୁକୁର ମାନଙ୍କଠାରୁ ମଧ୍ୟ ହୀନ। ଏଭଳି ମନ୍ତବ୍ୟ ଦେଇଛନ୍ତି ଏଆଇଏମଆଇଏମ ମୁଖ୍ୟ ତଥା ହାଇଦ୍ରାବାଦ ସାଂସଦ ଆସାଦୁଦ୍ଦିନ ଓୱେଶି। ତେବେ ଚଳିତ ସପ୍ତାହ ଆରମ୍ଭରେ ଗୁଜରାଟରେ ମୁସଲିମ ଯୁବକମାନଙ୍କୁ ସର୍ବସାଧାରଣରେ ପୋଲିସ ମାଡ଼ ମାରିବା ଘଟଣାକୁ ନେଇ ଓୱେଶି ଏହି ବୟାନ ଦେଇଛନ୍ତି।
ଓୱେଶି କହିଛନ୍ତି ଯେ, ବିଜେପି ଶାସିତ ରାଜ୍ୟ ଗୁଡ଼ିକରେ ମୁସଲମାନ ମାନେ ଏକ ଖୋଲା ଜେଲରେ ରହିବା ପରିସ୍ଥିତିରେ ରହିଛନ୍ତି। ଏହି ରାଜ୍ୟ ଗୁଡ଼ିକରେ ମୁସଲମାନମାନଙ୍କର ସମ୍ମାନ ବୁଲା କୁକୁର ମାନଙ୍କଠାରୁ ମଧ୍ୟ ହୀନ। ଏଠାରେ କୁକୁର ମାନଙ୍କ ଠାରୁ ମଧ୍ୟ ଖରାପ ବ୍ୟବହାର ମୁସଲମାନମାନଙ୍କ ସହ କରାଯାଏ ବୋଲି ସେ କହିଛନ୍ତି। ସେ ଉଦାହରଣ ଦେଇ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀଙ୍କ ନିଜ ରାଜ୍ୟ ଯେଉଁଠାରେ ବିଜେପିର ସରକାର ରହିଛି ସେଠାରେ ଏକ ଗାରବା କାର୍ଯ୍ୟକ୍ରମରେ ପଥର ଫିଙ୍ଗିବା ଅଭିଯୋଗରେ ମୁସଲମାନମାନଙ୍କୁ ଏକ ପୋଲରେ ବାନ୍ଧି ସର୍ବସାଧାରଣରେ ପୋଲିସ ମାଡ଼ ମାରିଲା। ସେଠାରେ ଉପସ୍ଥିତ ଲୋକେ ଏହି ଘଟଣାର ଭିଡ଼ିଓ ନେଲେ, ତାଳି ମାରି ସ୍ଲୋଗାନ ଦେଲେ। ଏହା କଣ ଆପଣଙ୍କ ରାଜ୍ୟରେ ମୁସଲମାନମାନଙ୍କର ସମ୍ମାନ, ଏହା କଣ ନ୍ୟାୟ କି ? ବୋଲି ଓୱେଶି ପ୍ରଧାନମନ୍ତ୍ରୀଙ୍କୁ ପ୍ରଶ୍ନ କରିଛନ୍ତି। ସେ ଏହା ମଧ୍ୟ କହିଛନ୍ତି ଯେ, ଯଦି ଏହା ଆପଣଙ୍କ ନ୍ୟାୟର ଅର୍ଥ, ତେବେ ଦେଶର ସମସ୍ତ କୋର୍ଟ ବନ୍ଦ କରି ଆଇନ ପ୍ରଣୟନକାରୀ ସଂସ୍ଥାକୁ ବରଖାସ୍ତ କରିବା ଉଚିତ୍ ବୋଲି ଓୱେଶି କହିଛନ୍ତି।
ସୂଚନାଯୋଗ୍ୟ ଯେ, ଅକ୍ଟୋବର ୩ ତାରିଖ ରାତିରେ ଗୁଜୁରାଟର ଖେଡା ଜିଲ୍ଲାର ଅଣ୍ଡେଲା ଗ୍ରାମରେ ଏକ ମସଜିଦ ନିକଟରେ ଗରବା କାର୍ଯ୍ୟକ୍ରମ ଚାଲିଥିଲା। ଏହି କାର୍ଯ୍ୟକ୍ରମକୁ କିଛି ମୁସଲମାନ ଯୁବକ ପଥର ଫିଙ୍ଗିଥିବା ନେଇ ଅଭିଯୋଗ ହୋଇଥିଲା। ତେବେ ଏହି ଅଭିଯୋଗ ଆଧାରରେ କିଛି ମୁସଲମାନ ଯୁବକଙ୍କୁ ପୋଲିସ ଧରି ସର୍ବସାଧାରଣରେ କ୍ଷମା ମାଗିବାକୁ କହିଥିଲା, ହେଲେ କ୍ଷମା ମାଗିବାକୁ ସେମାନେ ସହମତ ନ ହେବାରୁ ସେମାନଙ୍କୁ ଏକ ଛକ ଉପରେ ଏକ ବିଜୁଳି ଖୁଣ୍ଟିରେ ବାନ୍ଧି ପୋଲିସ ମାଡ ମାରିଥିଲା। ଏହି ଘଟଣା ସମୟର ଭିଡିଓ ମଧ୍ୟ ଭାଇରାଲ ହୋଇଥିଲା।
