ଠାକୁରମୁଣ୍ଡା: ରାଜ୍ୟରେ ଅସୁରକ୍ଷିତ ହୋଇପଡିଛି ହାତୀ । ଦିନକୁ ଦିନ ହାତୀ ମୃତ୍ୟୁ ଘଟଣା ଏବେ ଜୋର୍ ଧରିଛି । ମୟୂରଭଂଜ ଜିଲ୍ଲା କରଞ୍ଜିଆ ବନଖଣ୍ଡ ଠାକୁରମୁଣ୍ଡା ବନାଞ୍ଚଳରେ ଏକ ହାତୀର ମୃତ୍ୟୁ ଘଟିଛି । ଯାହାକୁ ନେଇ ପରିବେଶ ପ୍ରେମୀଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। ହାତୀ ମୃତ୍ୟୁ ଖବର ପାଇ ଡ଼ିଏଫଓ ଶ୍ରୀକାନ୍ତ ନାଏକ ଏବଂ ବନ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚିବା ପରେ ପୋଷ୍ଟମର୍ଟମ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ତେବେ ବନ ବିଭାଗର ଅବହେଳା ଯୋଗୁଁ ହାତୀ ମୃତ୍ୟୁ ଅଭିଯୋଗ ଉଠିଛି।
ବଣ୍ୟପ୍ରାଣୀ ସପ୍ତାହ ଶେଷ ହେବା ପରେ ଏକ ଦନ୍ତା ହାତୀର ମୃତ୍ୟୁ ବନ ବିଭାଗର ଉପରଠାଉରିଆ କାର୍ଯ୍ୟକ୍ରମ ଉପରେ ଅଙ୍ଗୁଳି ନିର୍ଦେଶ କରୁଛି। ତେବେ ହାତୀଟି ଜଙ୍ଗଲ ବାହାରକୁ ଆସି ଗାଁ ପାଖରେ ମରି ପଡିଥିବା କୁହାଯାଉଛି । ହାତୀ ପଡିଥିବା ଜାଗାରେ ଉପର ପଟକୁ କୌଣସି କ୍ଷତ ନଥିବାରୁ ଏହା ଗୁଳି କିମ୍ବା ବିଷ ପ୍ରୟୋଗରୁ ମୃତ୍ୟୁ ସଠିକ ଜଣାପଡିନାହିଁ । ଠାକୁରମୁଣ୍ଡା ବନାଞ୍ଚଳ ଚମ୍ପାଝର ସେକ୍ସନର ଭେଜିଡିହା ବିଟର ମଙ୍ଗଳକଚାରେ ହାତିଟି ଜୀବନ ହାରିଥିବା ଦେଖାଯାଇଛି ।
