ଅନୁଗୋଳରୁ ପୁଣି ହାତୀ କଙ୍କାଳ ଉଦ୍ଧାର: ଏକ ବର୍ଷ ପୂର୍ବେ ହାତୀଟିର ମୃତ୍ୟୁ ହୋଇଥିବା ଅନୁମାନ

ଅନୁଗୋଳ: ରାଜ୍ୟରେ ଏବେ ଅସୁରକ୍ଷିତ ହାତୀ । ଦିନକୁ ଦିନ ହାତୀ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଅନୁଗୋଳ ବନଖଣ୍ଡର ପୋକୁଣ୍ଡା ସେକ୍ସନ କୃଷ୍ଣଚକ୍ର ଗଡ଼ ଜଙ୍ଗଲରୁ ଏକ ହାତୀର କଙ୍କାଳ ଉଦ୍ଧାର ହୋଇଛି । ବନ କର୍ମଚାରୀମାନେ ଜଙ୍ଗଲ ଭିତରେ ବୁଲୁଥିବାବେଳେ, ହାତୀର କଙ୍କାଳ ଦେଖିବାକୁ ପାଇଥିଲେ । ଖବର ପାଇ ଅନୁଗୁଳ ଡିଏଫଓ ଘଟଣାସ୍ଥଳକୁ ଯାଇ ତଦନ୍ତ କରିଛନ୍ତି ।

ହାତୀଟି ଏକ ମାଈ ହାତୀ ଏବଂ ଏହାର ଆନୁମାନିକ ବୟସ ୨୫ରୁ ୩୦ ବର୍ଷ ମଧ୍ୟରେ ହେବ ବୋଲି ସୂଚନା ମିଳିଛି । ଅଧିକ ସନ୍ଧାନ ପାଇଁ ହାତୀର ନମୁନା ପରୀକ୍ଷା ପାଇଁ ପଠାଯାଇଛି । ତେବେ ପ୍ରାୟ ଏକ ବର୍ଷରୁ ଅଧିକ ହେଲା ହାତୀଟିର ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି । ଅନୁଗୁଳ ଡିଏଫଓ ଘଟଣାସ୍ଥଳକୁ ଯାଇ ତଦନ୍ତ କରିଛନ୍ତି । ତଦନ୍ତ ଶେଷ ହେବା ପରେ ମୃତ୍ୟୁର କାରଣ ଜଣାପଡ଼ିବ ବୋଲି ଡିଏଫଓ ସୂଚନା ଦେଇଛନ୍ତି । ଅନ୍ୟ ପକ୍ଷରେ ହାତୀର ମୃତ୍ୟୁ ଘଟିଥିବା ସମୟରେ ଦାୟିତ୍ବରେ ଥିବା ବନାଞ୍ଚଳ ଅଧିକାରୀ ଏବଂ ଅନ୍ୟ କର୍ମଚାରୀ ଜାଣିଶୁଣି ଘଟଣାକୁ ଚାପି ଦେଇଥିଲେ ବୋଲି ସ୍ଥାନୀୟ ପରିବେଶବିତ୍ ଅଭିଯୋଗ କରିଛନ୍ତି ।

ସୂଚନା ଥାଉକି ଗତ କିଛି ମାସ ପୂର୍ବେ ସାତକୋଶିଆ ଅଭୟାରଣ୍ୟ ଜିଲିଣ୍ଡା ରେଞ୍ଜ ସତ୍ୟଜୟପୁର ନିକଟରୁ ଏକ ଦନ୍ତା ହାତୀର କଙ୍କାଳ ଉଦ୍ଧାର କରିଥିଲା ବନ ବିଭାଗ । ପ୍ରାଥମିକ ତଦନ୍ତରୁ ହାତୀଟି ପ୍ରାୟ ବର୍ଷେ ପୂର୍ବରୁ ପୋତା ଯାଇଥିବା ଅନୁମାନ କରାଯାଉଥିଲା । ହାତୀଟିର ଚମଡା ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବାବେଳେ ହାଡ଼ ମଧ୍ୟ କେତେକାଂଶରେ ନଷ୍ଟ ହୋଇଯାଇଥିଲା । ହାତୀର ବୟସ ପ୍ରାୟ ୨୦ ବର୍ଷ ହେବ ବୋଲି ସୂଚନା ମିଳିଥିଲା ।

ସାତକୋଶିଆ ଡିଏଫଓ, ଏସିଏଫ ଏବଂ ଅନ୍ୟ ଅଧିକାରୀମାନେ ଘଟଣାସ୍ଥଳକୁ ଯାଇ ଖୋଳାଖୋଳି କରିବା ପରେ କଙ୍କାଳ ମିଳିଥିଲା । ଜିଲିଣ୍ଡା ରେଞ୍ଜ ଅଫିସର ଘଟଣା ସମ୍ପର୍କରେ ସବୁ ଜାଣି ଚପାଇ ଦେବାକୁ ଉଦ୍ୟମ କରିଥିଲେ । ସେ ସବୁ ଜାଣି ମଧ୍ୟ ଉପରିସ୍ଥ ଅଧିକାରୀଙ୍କୁ କିଛି ନ ଜଣାଇ ଚୁପ୍‌ ରହିଥିଲେ ବୋଲି ଅଭିଯୋଗ ହୋଇଥିଲା । ଡିଏଫଓ ନିଜେ ଘଟଣାର ତଦନ୍ତ କରି ଏଥିରେ ସମ୍ପୃକ୍ତ ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ ।

Related Posts