ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଲେଡି ବ୍ଲାକମେଲର୍‌ ଅର୍ଚ୍ଚନା ନାଗକୁ ନେଇ ପ୍ରତିଦିନ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି । ଅର୍ଚ୍ଚନାଙ୍କ ସହ ଏବେ ସବୁ ରାଜନୈତିକ ଦଳର ନେତା, ବିଲଡର୍‌, ବଡ଼ ବଡ଼ ବ୍ୟବସାୟୀ ନାଁ ଏବେ ଛନ୍ଦି ହେବାରେ ଲାଗିଛି । ରାଜ୍ୟ ରାଜନୀତିର ବହୁ ପ୍ରଭାବଶାଳୀ ନେତାଙ୍କ ସହ ଅର୍ଚ୍ଚନାଙ୍କ ଫଟୋ ସାମାଜିକ ଗଣମାଧ୍ୟମରେ ବୁଲୁଥିବା ବେଳେ ଜଣେ ପୂର୍ବତନ ମନ୍ତ୍ରୀଙ୍କ ସହ ସମ୍ପର୍କ ଥିବା ଜଣାପଡ଼ିଛି । ଏହି ପୂର୍ବତନ ମନ୍ତ୍ରୀ ତଥା ବର୍ତ୍ତମାନ ବିଧାୟକଙ୍କ ସହ ଅର୍ଚ୍ଚନା ବାରବାଟୀ ଷ୍ଟାଡିୟମ୍‌ ଯାଇ କ୍ରିକେଟ୍‌ ମ୍ୟାଚ୍‌ ଦେଖିଥିଲେ ।

ପୁଲିସ୍‌ ତଦନ୍ତରୁ ଜଣାପଡ଼ିଛି ଯେ, ଦୁଇ ମାସ ତଳେ କଟକ ବାରବାଟୀ ଷ୍ଟାଡିୟମରେ ଭାରତ- ଦକ୍ଷିଣ ଆଫ୍ରିକା ଟି-୨୦ ମ୍ୟାଚ୍‌ ହୋଇଥିଲା । ଏହି ମ୍ୟାଚର ଟିକେଟ୍‌ ଖଣ୍ଡିଏ ପାଇଁ କଟକରେ ସେତେବେଳେ କ୍ରିକେଟ ପ୍ରେମୀଙ୍କୁ କେତେ ସଂଘର୍ଷ କରିବାକୁ ପଡ଼ିଥିଲା। କ୍ରିକେଟ୍‌ପ୍ରେମୀଙ୍କୁ ପୁଲିସ୍‌ଠାରୁ ମାଡ଼ ମଧ୍ୟ ଖାଇବାକୁ ପଡ଼ିଥିଲା । ହେଲେ ଅର୍ଚ୍ଚନାଙ୍କ ଘରକୁ ନେତା ଓ ମନ୍ତ୍ରୀମାନେ ମାଳମାଳ ଟିକେଟ୍‌ ପଠାଇଥିଲେ । ତାଙ୍କ ପାଖକୁ ୫୦ରୁ ଅଧିକ ସ୍ପେଶାଲ୍‌ ଏନ୍‌କ୍ଲୋଜର ଟିକେଟ୍‌ ଆସିଥିଲା । ଯାହାକୁ ସେ ଓଲିଉଡ୍‌ର ଅନେକ କଳାକାରଙ୍କୁ ବାଣ୍ଟିଛନ୍ତି । ଅର୍ଚ୍ଚନାଠାରୁ ଟିକେଟ୍‌ ନେଇଥିବା ବ୍ୟକ୍ତିଙ୍କ ମଧ୍ୟରେ ଅଧିକ ମହିଳା କଳାକାର ଥିଲେ । ସେମାନଙ୍କ ମଧ୍ୟରୁ କିଛି ଇନ୍‌ଷ୍ଟାରେ ଅର୍ଚ୍ଚନାକୁ ଧନ୍ୟବାଦ ଦେଇ ପୋଷ୍ଟ ମଧ୍ୟ କରିଥିଲେ । ଅର୍ଚ୍ଚନା ଗିରଫ ହେବା ପରେ ସେହି କଳାକାରମାନେ ନିଜ ପୋଷ୍ଟ ଡିଲିଟ୍‌ କରିଦେଇଛନ୍ତି ।

ଅର୍ଚ୍ଚନା କେବଳ ଟିକେଟ୍‌ ବାଣ୍ଟିଥିଲେ ତାହା ନୁହେଁ, ନିଜେ ମଧ୍ୟ ମ୍ୟାଚ୍‌ ଦେଖିବାକୁ ଯାଇଥିଲେ । ମ୍ୟାଚ୍‌ ଦେଖିବାକୁ ଅର୍ଚ୍ଚନାଙ୍କ ସହ ତାଙ୍କ ସ୍ୱାମୀ କି ପୁଅ ଯାଇନଥିଲେ । ତେବେ ଜଣେ ବିଧାୟକ ତଥା ଜଣେ ପୂର୍ବତନ ମନ୍ତ୍ରୀଙ୍କ ଗାଡିରେ ସେ ଯାଇଥିଲେ ବୋଲି ଜଣା ପଡ଼ିଛି । ପାର୍କିଂରେ ପହଞ୍ଚିଲା ପରେ ବିଧାୟକ ଏକା ଯାଇଥିଲେ । ଜଣେ ମହିଳା ପୁଲିସ୍‌ କର୍ମଚାରୀ ଅର୍ଚ୍ଚନାକୁ ନେଇ ଭିଆଇପି ବକ୍ସରେ ଛାଡି ଆସିଥିଲେ । ଏବେ ପୁଲିସ୍‌ ତଦନ୍ତ ବେଳେ ଅର୍ଚ୍ଚନାର ମେଲ୍‌ ଆଇଡି ଚେକ୍‌ କରିଛି, ସେଥିରେ ମୋଟ ୬୫ଟି ଫଟୋ ମିଳିଛି । ଗୋଟିଏ ଫଟୋ ଏହି ମ୍ୟାଚ୍‌ ସମୟରେ ଉଠାଯାଇଛି । ଉକ୍ତ ଫଟୋରେ ବିଧାୟକଙ୍କ ପଛ ସିଟ୍‌ରେ ଅର୍ଚ୍ଚନା ବସିଛନ୍ତି । ଅର୍ଚ୍ଚନା ସେଲ୍ଫି ନେଇଛନ୍ତି । ସେତିକି ନୁହେଁ ବିଧାୟକ ଜଣକ ପାର୍କିଂରେ ଚାଲି ଚାଲି ଯିବା ସମୟରେ ଗାଡି ଭିତରୁ ଅର୍ଚ୍ଚନା ଏକ ଫଟୋ ମଧ୍ୟ ଉଠାଇଛନ୍ତି । ଫଟୋରେ ଷ୍ଟାଡିୟମର କିଛି ଅଂଶ ଦେଖା ଯାଉଛି । ପୁଲିସ୍‌ କାହା ଚାପରେ ନ ପଡି ପ୍ରମାଣକୁ ଲୋକଲୋଚନକୁ ଆଣିଲେ ଏହି ବିଧାୟକଙ୍କ ଉପରୁ ପରଦା ହଟିବ ।

ଅନ୍ୟପଟେ ଅର୍ଚ୍ଚନା ଗିରଫ ହେବା ପରେ କଂଗ୍ରେସର ଜଣେ ଯୁବ ନେତା ବିସ୍ଫୋରକ ତଥ୍ୟ ଦେଇଛନ୍ତି । ସେ କହିଛନ୍ତି ଗତ ଫେବ୍ରୁଆରୀରେ ଏକ ବାହାଘରରେ ଯୋଗ ଦେବା ପାଇଁ ଜୟପୁରକୁ ଯାଇଥିଲେ । ସେଠାରେ ଏକ ମଲ୍‌ରେ ଦକ୍ଷିଣ ଓଡ଼ିଶାର ଜଣେ ପୂର୍ବତନ ବିଧାୟକଙ୍କ ସହ ଦେଖା ହୋଇଥିଲା । ଉକ୍ତ ନେତାଙ୍କ ସହ ଅର୍ଚ୍ଚନା ମଧ୍ୟ ସେଠାରେ ଥିଲେ । ପୂର୍ବତନ ବିଧାୟକ ଅର୍ଚ୍ଚନାକୁ ତାଙ୍କ ଝିଆରୀ ବୋଲି ପରିଚୟ କରାଇଥିଲେ । ଏଥିରୁ ସ୍ପଷ୍ଟ ହେଉଛି ଉକ୍ତ ନେତାଙ୍କ ସହ ଅର୍ଚ୍ଚନାର ସମ୍ପର୍କ ରହିଛି, ଯାହାକୁ ସେ ଲୁଚାଇବାକୁ ଉଦ୍ୟମ କରିଥିଲେ ।

ସୂଚନା ଅନୁସାରେ, ଅର୍ଚ୍ଚନାଙ୍କ ଜାମିନ ପାଇଁ ତାଙ୍କ ଓକିଲ ଗତକାଲି ଭୁବନେଶ୍ୱର ଏସଡିଜେଏମ୍‌ କୋର୍ଟରେ ଆବେଦନ କରିଥିଲେ । ମଙ୍ଗଳବାର ଏହା ଉପରେ ଶୁଣାଣି ଥିଲା । ଆଇନ ଶୃଙ୍ଖଳା ପରିସ୍ଥିତିକୁ ନଜରରେ ରଖି ଭିଡିଓ କନ୍‌ଫରେନ୍ସିଂରେ ଝାରପଡ଼ା ଜେଲରୁ ଅର୍ଚ୍ଚନାଙ୍କୁ ହାଜର କରାଯାଇଥିଲା । ତାଙ୍କ ଜାମିନ ଆବେଦନ ଉପରେ ଶୁଣାଣି ହୋଇପାରିନି । କେବଳ ଅର୍ଚ୍ଚନା ନିଜ ଓକିଲ ଚୟନ କରିଛନ୍ତି । ପୂର୍ବରୁ ଅର୍ଚ୍ଚନାଙ୍କ ମାମଲା ଲଢ଼ିବାକୁ ବହୁ ଓକିଲ ଆବେଦନ କରିଥିଲେ । ସେମାନଙ୍କ ମଧ୍ୟରୁ ଦେବାଶିଷ ମହାପାତ୍ର ମାମଲା ଲଢ଼ିବେ ବୋଲି ଅର୍ଚ୍ଚନା କୋର୍ଟକୁ ଜଣାଇଛନ୍ତି । ଆସନ୍ତା ସପ୍ତାହ ପରେ ଅର୍ଚ୍ଚନାଙ୍କ ଜାମିନ ଆବେଦନର ଶୁଣାଣି ହେବ ବୋଲି ସୂଚନା ମିଳିଛି ।