ନୂଆଦିଲ୍ଲୀ: ଭାରତୀୟ ବଜାରରେ ପାଦ ଥାପିଲା ଚୀନ୍ର ଏକ ସଂସ୍ଥା । ଚୀନ୍ର ଇଲେକ୍ଟ୍ରିକ୍ କାର୍ ନିର୍ମାତା ‘ବିୱାଇଡି’ ଭାରତରେ ଏହାର ପ୍ରଥମ ଏସ୍ୟୁଭି ‘ଆଟୋ ୩’କୁ ଉନ୍ମୋଚନ କରିଛି।
ସୂଚନାଯୋଗ୍ୟ, ବିୱାଇଡି ସାରା ବିଶ୍ବରେ ଏହାର କାୟା ବିସ୍ତାର କରି ସାରିଥିବା ବେଳେ, ଭାରତ ବ୍ୟତୀତ ନରୱେ, ଥାଇଲ୍ୟାଣ୍ଡ୍ ନ୍ୟୁଜିଲ୍ୟାଣ୍ଡ୍, ସିଙ୍ଗାପୁର, ବ୍ରାଜିଲ, କୋଷ୍ଟା ରିକା ଓ କଲମ୍ବିଆରେ ମଧ୍ୟ ଏହା ନିଜ ଗାଡ଼ି ବିକ୍ରି ଆରମ୍ଭ କରିଛି। ୨୦୨୩ରେ ଏହା ଜାପାନରେ ପ୍ରବେଶ କରିବାକୁ ଲକ୍ଷ୍ୟ ରଖିଛି।
ଯଦିଓ କାର୍ ବିକ୍ରି କ୍ଷେତ୍ରରେ ବିୱାଇଡି ନୂଆ ସଂସ୍ଥା, କିନ୍ତୁ ଭାରତ ପାଇଁ ସମ୍ପୂଣ୍ଣଁ ନୂଆ ନୁହେଁ। ୨୦୦୭ରେ ଏହା ବ୍ୟାଟେରି ନିର୍ମାଣ କରିବା ଲାଗି ଭାରତ ଆସିବା ସହ ଚେନ୍ନାଇରେ କାରଖାନା ସ୍ଥାପନ କରିଥିଲା। ୨୦୧୩ରୁ ବସ୍ ନିର୍ମାଣ ଆରମ୍ଭ କରିଥିଲା। ୨୦୨୧ରେ ଏହା କର୍ପୋରେଟ୍ ଫ୍ଲିଟ୍ ଅପରେଟରମାନଙ୍କ ପାଇଁ ଇଭି ଉନ୍ମୋଚନ କରିଥିଲା।
ଗତ ୨୦୨୦ରେ ଲଦାଖ୍ର ଗଲ୍ୱାନ ଘାଟିରେ ଚୀନ୍ ସେନା ସହ ସଂଘର୍ଷରେ ୨୦ ଜଣ ଭାରତୀୟ ଯବାନ ସହିଦ ହେବା ପରେ ଉଭୟ ଦେଶର ସମ୍ପର୍କ ତିକ୍ତ ରହିଛି। ଏହା ପରଠାରୁ ଚୀନ୍ର ନିବେଶ ଉପରେ ଭାରତ ସରକାର କଡ଼ା ନଜର ରଖିଛନ୍ତି। ସେଥିପାଇଁ ବହୁ ଦିନ ପର୍ଯ୍ୟନ୍ତ ଉଦ୍ୟମ କରିବା ପରେ ଚୀନ୍ର ଅନ୍ୟତମ କାର୍ କଂପାନି ଗ୍ରେଟ୍ ୱାଲ୍ ମୋଟର ଭାରତ ପ୍ରବେଶ ଯୋଜନାକୁ ରଦ୍ଦ କରିଥିଲା ।
