ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଅଷ୍ଟ୍ରେଲିଆର ସିଡନୀରେ ଭାରତୀୟ ଛାତ୍ରଙ୍କୁ ଆକ୍ରମଣ କରିଥିବା ଘଟଣାରେ ଜଣେ ସନ୍ଦିଗ୍ଧକୁ ଗିରଫ କରିଛି ସ୍ଥାନୀୟ ପୋଲିସ। ଏହି ଘଟଣାରେ ସମ୍ପୃକ୍ତ ଦୋଷୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛି ବୈଦେଶିକ ମନ୍ତ୍ରାଳୟ । ସନ୍ଦିଗ୍ଧ ଜଣକ ସ୍ଥାନୀୟ ଅଞ୍ଚଳର ଡାନିଏଲ ନର୍‌ଉଡ୍‌ ବୋଲି ଜଣା ପଡ଼ିଛି । ଗତ ଗୁରୁବାର ଡାନିଏଲ ସନ୍ଦେହ ଘେରକୁ ଆସିବା ପରେ ସ୍ଥାନୀୟ ଚାଟ୍‌ସ୍‌ଉଡ୍‌ ପୋଲିସ ତାକୁ ଗିରଫ କରିଛି । ଏହାକୁ ନେଇ ଭାରତୀୟ ହାଇ କମିଶନ ସୂଚନା ଦେଇଛନ୍ତି । ଗିରଫ ସନ୍ଦିଗ୍ଧ ବିରୋଧରେ ଭାରତୀୟ ଛାତ୍ରଙ୍କୁ ଜୀବନରୁ ମାରିଦେବାକୁ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି ।

ସୂଚନା ଅନୁସାରେ, ଅଷ୍ଟ୍ରେଲିଆର ସିଡନୀରେ ଜାତିଆଣ ଆକ୍ଷେପ ସହ ପ୍ରାଣାନ୍ତକ ଆକ୍ରମଣର ଶିକାର ହୋଇଛନ୍ତି ଭାରତୀୟ ପିଏଚଡି ଛାତ୍ର । ତାଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରାଯାଇଥିବା ବେଳେ ବର୍ତ୍ତମାନ ତାଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିବା ନେଇ ସୂଚନା ମିଳିଛି । ଏହି ଛାତ୍ର ଜଣକ ଉତ୍ତର ପ୍ରଦେଶର ଫତେହପୁର ସିକ୍‌ରୀ ଅଞ୍ଚଳର ବାସିନ୍ଦା ବୋଲି ଜଣା ପଡ଼ିଛି । ପୁଅ ଉପରେ ମରଣାନ୍ତକ ଆକ୍ରମଣ ଖବର ଶୁଣି ପରିବାରବର୍ଗ ଏବେ ଚିନ୍ତିତ ହୋଇ ପଡ଼ିଛନ୍ତି ।

ପୁଅ ଉପରେ ଆକ୍ରମଣ ଖବର ପାଇବା ପରେ ଏହାକୁ ନେଇ ପରିବାର ଲୋକେ ସ୍ଥାନୀୟ ସାଂସଦଙ୍କ ସହାୟତା ମାଗିଥିଲେ । ସେପଟେ ସାଂସଦ ମଧ୍ୟ ପୂର୍ଣ୍ଣ ସହାୟତା କରିବା ନେଇ ଆଶ୍ବସନା ଦେଇଛନ୍ତି । ଆଗ୍ରାର ସିକ୍‌ରୀ ଅଞ୍ଚଳରେ ହାର୍ଡୱେୟାର ବ୍ୟବସାୟ କରନ୍ତି ରାମନିବାସ ଗର୍ଗ । ତାଙ୍କ ପୁଅ ଶୁଭମ ଗର୍ଗ ସିଡନୀରେ ବର୍ତ୍ତମାନ ଜୀବନମରଣ ସହ ସଂଗ୍ରାମ କରୁଛି । ଶୁଭମ ଚେନ୍ନାଇରେ ଆଇଆଇଟି ସମ୍ପୂର୍ଣ୍ଣ କରିଛନ୍ତି । ଏହାପରେ ସେ ସିଡନୀସ୍ଥିତ UNSW କଲେଜରେ ମେକାନିକାଲ ଇଞ୍ଜିନିୟରିଂରେ ପିଏଚଡି କରିବାକୁ ଚୟନ ହୋଇଛନ୍ତି । ଗତ ସେପ୍ଟେମ୍ବର ମାସରେ ହିଁ ସେ ସିଡନୀରେ ପାଠ ପଢ଼ିବାରୁ ଅଷ୍ଟ୍ରେଲିଆ ଯାଇଥଲେ ।

ତେବେ ଗତ ଅକ୍ଟୋବର ୬ ତାରିଖରେ ଶୁଭମ ତାଙ୍କ ରୁମ୍‌ରେ ବିଶ୍ରାମ କରୁଥିବା ବେଳେ କିଛି ଦୁର୍ବୃର୍ତ୍ତ ଆସି ତାଙ୍କ ବିରୋଧରେ ଜାତିଆଣ ଆକ୍ଷେପ କରିଥିଲେ । ଏହାପରେ ତାଙ୍କୁ ଏକ ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ଚାଲି ଯାଇଥିଲେ । ଶୁଭମଙ୍କ ଉପରକୁ ୧୧ ଥର ଛୁରାମାଡ଼ କରାଯାଇଛି । ଫଳରେ ତାଙ୍କ ମୁହଁ, ଛାତି ଓ ପେଟରେ ଗଭୀର କ୍ଷତ ସୃଷ୍ଟି ହୋଇଛି । ତାଙ୍କୁ ଏକ ସ୍ଥାନୀୟ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି । ସେପଟେ ପୁଅର ଦେଖାରଖା କରିବାକୁ ପାଖରେ କେହି ନଥିବାରୁ ଚିନ୍ତାରେ ପଡ଼ିଛନ୍ତି ପରିବାର ।