ଅଙ୍କାରା: ତୁର୍କୀର ଉତ୍ତରାଞ୍ଚଳ ଅନ୍ତର୍ଗତ ବାର୍ତିନ୍‌ ପ୍ରଦେଶସ୍ଥିତ ଗୋଟାଏ କୋଇଲାଖଣିରେ ଘଟିଛି ଏକ ବଡ଼ ଅଘଟଣ । ଏହି ଅଘଟଣରେ ଅନ୍ୟୂନ ୨୫ଜଣଙ୍କର ମୃତ୍ୟୁ ଘଟିଛି । ଏଥିସହ ଅନେକ ଆହତ ହୋଇଛନ୍ତି ଏବଂ ପ୍ରାୟ ୫୦ଜଣ ଖଣି ଭିତରେ ଫସି ରହିଥିବା କଥା ସମ୍ବାଦ ସରବରାହ ସଂସ୍ଥାନ ‘ରଏଟର୍ସ’ ରିପୋର୍ଟ କରିଛି।

ବିସ୍ଫୋରଣ ଘଟିଲା ବେଳେ ଖଣିରେ ସମୁଦାୟ ୧୧୦ଜଣ ଶ୍ରମିକ ଥିଲେ ବୋଲି ବାର୍ତିନ୍‌ ପ୍ରଦେଶ ଅନ୍ତର୍ଗତ ଅମ୍‌ସରା ଜିଲ୍ଲାର କୃଷ୍ଣସାଗର ପ୍ରଦେଶ ଅଞ୍ଚଳର ଘଟଣାସ୍ଥଳରେ ଗୃହମନ୍ତ୍ରୀ ସୁଲେମାନ୍‌ ସୋୟଲୁ ସାମ୍ବାଦିକମାନଙ୍କୁ କହିଛନ୍ତି।

ସେମାନଙ୍କ ମଧ୍ୟରୁ କେତେକ ନିଜେ ନିଜେ ବାହାରି ଆସିଛନ୍ତି; ଆଉ କେତେକଙ୍କୁ ଉଦ୍ଧାର କରାଯାଇଛି ବୋଲି ସେ କହିଛନ୍ତି।

ଖଣି ଭିତରେ ଭୂଗର୍ଭର ୧୦୦୦ରୁ ୧,୧୫୦ ଫୁଟ୍ ଅଭ୍ୟନ୍ତର‌ର ଦୁଇଟି ପୃଥକ୍‌ ଅଞ୍ଚଳରେ ୪୯ଜଣ ଶ୍ରମିକ ଫସି ରହିଥିବା ଖବରକୁ ମଧ୍ୟ ସେ ସୁନିଶ୍ଚିତ କରିଛନ୍ତି।

ଶକ୍ତିମନ୍ତ୍ରୀ ଫତିହ୍‌ ଡୋନ୍‌ମେଜ୍‌ କହିଛନ୍ତି ଯେ, ପ୍ରାଥମିକ ସୂଚନାରୁ ଜଣାପଡୁଛି ଯେ, ‘ଫାୟାର୍‌ଡ୍ୟାମ୍ପ୍‌’ (ଖଣିରେ ଥିବା ମିଥେନ୍‌ ବାଷ୍ପ) ବିସ୍ଫୋରଣ ଯୋଗୁଁ ସନ୍ଧ୍ୟା ପ୍ରାୟ ୬.୧୫ରେ ବିସ୍ଫୋରଣ ଘଟିଛି। କିନ୍ତୁ, ବିସ୍ଫୋରଣ ପ୍ରକୃତ କାରଣ ଏଯାବତ୍‌ ଜଣାପଡ଼ିନାହିଁ।

ସ୍ବାସ୍ଥ୍ୟମନ୍ତ୍ରୀ ଫରେତ୍ତିନ୍‌ କୋକା ଟୁଇଟ୍‌ କରି ଲେଖିଛନ୍ତି ଯେ, ଖଣି ମଧ୍ୟରୁ ଜୀବନ୍ତ ଉଦ୍ଧାର କରାଯାଇଥିବା ୧୧ଜଣଙ୍କୁ ଡାକ୍ତରଖାନାରେ ଚିକିତ୍ସା କରାଯାଉଛି।

ରାଷ୍ଟ୍ରପତି ରେସିପ୍‌ ତାଇପ୍‌ ଏର୍‌ଗନ୍‌ କହିଛନ୍ତି, ବାକି ସମସ୍ତ କାର୍ଯ୍ୟକ୍ରମ ସ୍ଥଗିତ ରଖି ସେ ଆଜି ବିମାନଯୋଗେ ଘଟଣାସ୍ଥଳକୁ ଯିବ‌େ। ଟୁଇଟ୍‌ କରି ସେ ଲେଖିଛନ୍ତି, ଆଶା କରେ ମୃତ୍ୟୁସଂଖ୍ୟା ଆଉ ବୃଦ୍ଧି ପାଇବ ନାହିଁ, ଆମ ଖଣି ଶ୍ରମିକମାନେ ଜୀବନ୍ତ ଉଦ୍ଧାର ହେବେ