ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଧରା ପଡ଼ିଲା କୁଖ୍ୟାତ ଖଣି ମାଫିଆ ଜାଫର । ଗତ ୨ ଦିନ ତଳେ ୟୁପି ପୁଲିସ୍‌ ହାତରୁ ଖସି ଯାଇଥିବା ଜାଫର ଆଜି ପୁଲିସ୍‌ ହାତରେ ଧାରା ପଡ଼ିଛି। ମୁରଦାବାଦରେ ପୁଲିସ୍‌ର ଏନକାଉଣ୍ଟରରେ ଆହତ ହୋଇଥିବା ଜାଫରକୁ କାବୁ କରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଜାଫରର ପିଛା କରି ଉତ୍ତରାଖଣ୍ଡରେ ପଶି ଯାଇଥିବା ଉତ୍ତରପ୍ରଦେଶ ପୁଲିସ୍‌ ବେଶ୍‌ ହଟହଟା ହୋଇଥିଲା। ଏହାପରେ ଜାଫର ମୁଣ୍ଡ ଉପରେ ଥିବା ପୁରସ୍କାର ରାଶିକୁ ୫୦ ହଜାରରୁ ହଠାତ୍‌ ଡବଲ କରି ଲକ୍ଷେ କରି ଦେଇଥିଲା। ଏହାପରେ ଆଜି ସକାଳୁ ଜାଫରକୁ କାବୁ କରିଛି ପୁଲିସ୍‌।

ଜାଫର ଆସୁଥିବା ଖବର ପାଇ ଆଜି ସକାଳେ ୟୁପି ପୁଲିସ୍‌ ପାକବଡ଼ା-ଅଗୱାନପୁର ବାଇପାସରେ ଘେରି ରହିଥିଲା । କିଛି ସମୟ ପରେ ବାଇକ୍‌ରେ ଯାଉଥିବା ଜାଫର ଏହା ଜାଣିପାରି ଖସିବାକୁ ଚେଷ୍ଟା କରି ବିଫଳ ହୋଇଥିଲା। ଉଭୟ ପକ୍ଷ ମଧ୍ୟରେ କିଛି ସମୟ ଗୁଳି ବିନିମୟ ହୋଇଥିଲା। ଜାଫର ଗୁଳିରେ ଜଣେ ପୁଲିସ୍‌ କର୍ମୀ ଆହତ ହୋଇଥିବା ବେଳେ ପୁଲିସ୍‌ ଏନକାଉଣ୍ଟରରେ ଜାଫର ଆହତ ହୋଇଛି। ଜାଫର ଗୋଡ଼ରେ ଗୁଳି ବାଜିଛି। ତାକୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏହାସହିତ ଜାଫରର ବାଇକ୍‌ ଓ ପିସ୍ତଲ ଜବତ ହୋଇଛି। ଏଥିସହ ବରିଷ୍ଠ ପୁଲିସ୍‌ ଅଧିକାରୀ ହସ୍ପିଟାଲରେ ପହଞ୍ଚି ତଏଡି କୁଖ୍ୟାତ ଅପରାଧିକୁ ପଚରାଉଚରା କରିଥିବା ଜଣାଯାଇଛି।

ସୂଚନାଯୋଗ୍ୟ, ୨ ଦିନ ପୂର୍ବେ ଜାଫର ପିଛା କରି ୟୁପି ପୁଲିସ୍‌ ଉତ୍ତରାଖଣ୍ଡରେ ପ୍ରବେଶ କରିଥିଲା। ସେଠାରେ ଜାଫର ଏକ ଘରେ ଲୁଚି ରହିଥିବା ବେଳେ ୟୁପି ପୁଲିସ୍‌ ଏନକାଉଣ୍ଟର କରିଥିଲା। ଏହି ଏନକାଉଣ୍ଟରରେ ସ୍ଥାନୀୟ ଅଞ୍ଚଳର ଜଣେ ବିଜେପି ନେତାଙ୍କ ପତ୍ନୀଙ୍କ ମୃତ୍ୟୁ ହୋଇଥିବା ବେଳେ ଜାଫର ସେଠାରୁ ଖସି ପଳାଇଥିଲା । ଏହାକୁ ନେଇ ତୁମ୍ବି ତୋଫାନ ହୋଇଥିବା ବେଳେ ସ୍ଥାନୀୟ ଲୋକେ ୟୁପି ପୁଲିସ୍‌ କର୍ମୀଙ୍କୁ କାବୁ କରି ନିର୍ଧୂମ ପିଟିଥିଲେ । ଏପରିକି ୟୁପି ପୋଲିସ ଉପରେ ହତ୍ୟା ମାମଲା ମଧ୍ୟ ରୁଜୁ ହୋଇଛି। ଏହି ଘଟଣାକୁ ୟୁପି ପୁଲିସ୍‌ ଗୁରୁତର ସହ ନେଇ ଜାଫରକୁ ଖୋଜାଖୋଜି ଜୋରଦାର କରିଦେଇଥିବା ବେଳେ ତା’ ମୁଣ୍ଡ ଉପରେ ଥିବା ପୁରସ୍କାର ରାଶିକୁ ଦ୍ୱିଗୁଣ କରିଦେଇଥିଲା। ଏହାପରେ ଆଜି ସକାଳୁ ସକାଳୁ ପୁଲିସ୍‌ ଏହି କୁଖ୍ୟାତ ଖଣି ମାଫିଆକୁ କାବୁ କରିଛି।