ଚଣ୍ଡୀଗଡ଼: ଗିରଫ ହେଲେ ପୂର୍ବତନ ମନ୍ତ୍ରୀ ସୁନ୍ଦର ଶାମ୍‌ ଅରୋରା । ସରକାରୀ ଅଧିକାରୀ ଙ୍କୁ ଲାଞ୍ଚ ଯାଚିବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି । ନିଜ ନାଁରେ ଥିବା ମାମଲା ଦଫାରଫା କରିବା ଲାଗି ‘ପଞ୍ଜାବ ଭିଜିଲାନ୍ସ୍‌ ବ୍ୟୁରୋ’ର ଜଣେ ଅଧିକାରୀଙ୍କୁ ୫୦ ଲକ୍ଷ ଟଙ୍କା ଲାଞ୍ଚ ଯାଚିଥିଲେ । ଏନେଇ ପୂର୍ବତନ ମନ୍ତ୍ରୀ ସୁନ୍ଦର ଶାମ୍‌ ଅରୋରାଙ୍କୁ ‘ପଞ୍ଜାବ ଭିଜିଲାନ୍ସ୍‌ ବ୍ୟୁରୋ’ ଗିରଫ କରିଥିବା କଥା ଆଜି ସରକାରୀ ଅଧିକାରୀମାନେ କହିଛନ୍ତି।

ଆୟବହିର୍ଭୂତ ସମ୍ପତ୍ତି ମାମଲା ଓ ପୂର୍ବ କଂଗ୍ରେସ ସରକାରରେ ଶିଳ୍ପମନ୍ତ୍ରୀ ଥିବା ବେଳେ ଉଠିଥିବା ଦୁର୍ନୀତି ଅଭିଯୋଗରେ ସୁନ୍ଦର ଅରୋରାଙ୍କ ଉପରେ ତଦନ୍ତ ଚାଲିଥିଲା।

ପଞ୍ଜାବ ଭିଜିଲାନ୍‌ସ୍‌ ବ୍ୟୁରୋର ମୁଖ୍ୟ ନିର୍ଦେଶକ ବରିନ୍ଦର୍‌ କୁମାର ସାମ୍ବାଦିକମାନଙ୍କୁ କହିଛନ୍ତି ଯେ, ଉପରୋକ୍ତ ମାମଲାରେ ସାହାଯ୍ୟ ଆଶା କରି ଜଣେ ଭିଜିଲାନ୍‌ସ୍‌ ଅଧିକାରୀଙ୍କୁ ୫୦ ଲକ୍ଷ ଟଙ୍କା ଲାଞ୍ଚ ଯାଚିଥିବା ଅଭିଯୋଗରେ ସୁନ୍ଦର ଅରୋରାଙ୍କୁ ଗିରଫ କରାଯାଇଛି।

କୁମାର କହିଛନ୍ତି, ଅଭିଯୋଗ ହେଉଛି ଯେ, ମାମଲାରୁ ତାଙ୍କ ନାଁ ହଟାଇ ଦେବା ପାଇଁ ତଦନ୍ତର ତତ୍ତ୍ବାବଧାନ କରୁଥିବା ଆସିଷ୍ଟାଣ୍ଟ୍‌ ଇନ୍‌ସ୍‌ପେକ୍ଟର୍‌ ଜେନେରାଲ୍‌ ମନମୋହନ ଶର୍ମାଙ୍କୁ ଅକ୍ଟୋବର ୧୪ ତାରିଖ ଦିନ ଯୋଗାଯୋଗ କରି ସୁନ୍ଦର ଅରୋରା ସହଯୋଗ କରିବାକୁ କହିଥିଲେ। ଏଥିପାଇଁ ତାଙ୍କୁ ୧ କୋଟି ଟଙ୍କା ଦେବେ ବୋଲି ସୁନ୍ଦର କହିଥିଲେ।

ପ୍ରଥମ କିସ୍ତିରେ ସେ ୫୦ ଲକ୍ଷ ଟଙ୍କା ଓ ପରେ ବାକି ଅର୍ଥ ଦେବେ ବୋଲି ସୁନ୍ଦର କହିଥିଲେ ବୋଲି ମୁଖ୍ୟ ନିର୍ଦେଶକ କହିଛନ୍ତି।