ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ନୀତି ସଂକ୍ରାନ୍ତରେ ପଚରା ଉଚରା କରିବା ପୁଣି ଥରେ ସିବିଆଇ ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ସମନ୍ ଜାରି କରିଛି । ସୋମବାର ପୂର୍ବାହ୍ନ ୧୧ଟାରେ ହାଜର ହେବେ । ସମନ ପାଇବା ପରେ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ସିବିଆଇ ମୁଖ୍ୟାଳୟକୁ ଯାଇ ସମ୍ପୂର୍ଣ୍ଣ ସହଯୋଗ କରିବେ ବୋଲି କହିଥିବା ବେଳେ ଆମ୍ ଆଦମୀ ପାର୍ଟି ଦାବି କରିଛି ଯେ ସିବିଆଇ ସୋମବାର ମନୀଷ ସିସୋଦିଆଙ୍କୁ ଗିରଫ କରିବ।
ଆମ୍ ଆଦମୀ ପାର୍ଟି ମୁଖପାତ୍ର ସୌରଭ ଭରଦ୍ୱାଜ କହିଛନ୍ତି ଯେ, ମନୀଷ ସିସୋଦିଆଙ୍କୁ ଆସନ୍ତାକାଲି ସିବିଆଇ ଡକାଇ ତାଙ୍କୁ ଗିରଫ କରିବ। କୁହାଯାଉଥିଲା ଯେ ୧୦ହଜାର କୋଟିର ଏକ ଘୋଟାଲା ଘଟିଛି। ବର୍ତ୍ତମାନ ପର୍ଯ୍ୟନ୍ତ ସିବିଆଇ ଏବଂ ଇଡି ୫୦୦ ସ୍ଥାନରେ ଚଢ଼ଉ କରିସାରିଛନ୍ତି। ସିବିଆଇ ମନୀଷ ସିସୋଦିଆଙ୍କ ଘରେ ୧୪ଘଣ୍ଟା ରହି ଯାଞ୍ଚ କଲା, ହେଲେ କୌଣସି ସ୍ଥାନରୁ କିଛି ମିଳିଲା ନାହିଁ। ଏସବୁ ଗୁଜରାଟ ନିର୍ବାଚନ ସହ ଜଡିତ। ବିଜେପି ଏବଂ ଆପ୍ ମଧ୍ୟରେ ସିଧାସଳଖ ପ୍ରତିଯୋଗିତା ହେଉଥିବାରୁ ବିଜେପି ଭୟରେ ଏଭଳି କରୁଛି।
ସେ ଏହା ମଧ୍ୟ କହିଛନ୍ତି ଯେ, ମନୀଷ ସିସୋଦିଆଙ୍କ କାର୍ଯ୍ୟକ୍ରମ ବନ୍ଦ କରିବାକୁ ତାଙ୍କୁ ଗିରଫ କରାଯିବ। କିନ୍ତୁ ଏହା ଆପକୁ ଦୁର୍ବଳ ନକରି ଅଧିକ ଶକ୍ତିଶାଳୀ କରିବ। ଏହାପୂର୍ବରୁ ଆମ ନେତାମାନଙ୍କୁ ମଧ୍ୟ ସମନ ପଠାଇ ଡକାଯାଇ ଗିରଫ କରାଯାଇଛି। ତେଣୁ ଆମେ କହୁଛୁ ଯେ ତାଙ୍କୁ ଗିରଫ କରାଯିବ ।
