ଟି-୨୦ ବିଶ୍ଵ କପ୍‌: ଦ୍ଵିତୀୟ ମ୍ୟାଚ୍‌ରେ ୟୁଏଇକୁ ପରାସ୍ତ କଲା ନେଦରଲାଣ୍ଡ

ଚେନ୍ନାଇ: ଅଷ୍ଟ୍ରେଲିଆରେ ଆରମ୍ଭ ହୋଇଯାଇଛି ଆଇସିସି ପୁରୁଷ ଟି-୨୦ ବିଶ୍ଵ କପ୍‌ । ତେବେ ପ୍ରଥମ ଦିନରେ ରବିବାର ଦୁଇଟି ମ୍ୟାଚ୍ ଖେଳାଯାଇଛି। ପ୍ରଥମ ମୁକାବିଲାରେ ନାମ୍ବିଆ ଏସିଆ କପ୍ ଚାମ୍ପିଅନ ଶ୍ରୀଲଙ୍କାକୁ ହରାଇ ବଡ ଧରଣର ଓଲଟ ପାଲଟ୍ କରିଥିବା ବେଳେ ଆଜି ଖେଳାଯାଇଥିବା ଦ୍ଵିତୀୟ ମ୍ୟାଚ୍‌ରେ ନେଦରଲାଣ୍ଡ ୟୁଏଇକୁ ପରାସ୍ତ କରିଛି। ଜିଲଙ୍ଗ ସ୍ଥିତ ସାଇମଣ୍ଡ୍ସ ଷ୍ଟାଡିୟମରେ ଖେଳାଯାଇଥିବା ମୁକାବିଲାରେ ନେଦରଲାଣ୍ଡ ୟୁଏଇକୁ ତିନି ଓ୍ଵିକେଟ୍‌ରେ ହରାଇ ବିଜୟରୁ ଅଭିଯାନ ଆରମ୍ଭ କରିଛି। ୟୁଏଇ ପ୍ରଥମେ ବ୍ୟାଟିଂ କରି ନିୟମିତ ବ୍ୟବଧାନରେ ଓ୍ଵିକେଟ୍ ହରାଇ ନିର୍ଦ୍ଧାରିତ ଓଭରରେ ୧୧୧ ରନ କରିଥିଲା। ଜବାବରେ ନେଦରଲାଣ୍ଡ ୧୯.୫ ଓଭରରେ ବିଜୟ ଲକ୍ଷ୍ୟ ହାସଲ କରି ନେଇଛି। ଅଧିନାୟକ ସ୍କଟ୍ ଏଡଓ୍ଵାର୍ଡ୍ସ ୧୬ ରନର ଅପରାଜିତ ମ୍ୟାଚ୍ ବିଜୟୀ ଇନିଂସ ଖେଳିଛନ୍ତି।

୧୧୨ ରନର ସହଜ ବିଜୟ ଲକ୍ଷ୍ୟ ପିଛା କରିଥିବା ନେଦରଲାଣ୍ଡକୁ ଅନ୍ତିମ ପାଞ୍ଚ ଓଭରରେ ୩୧ ରନ ଦରକାର ଥିଲା। ଦଳ ଗୋଟିଏ ବଲ୍ ବଳକା ଥାଇ ବିଜୟ ଲକ୍ଷ୍ୟ ହାସଲ କରି ନେଇଥିଲା। ନେଦରଲାଣ୍ଡ ପକ୍ଷରୁ ମ୍ୟାକ୍ସ ଅଡାଉଡ ୨୩, ଟିମ୍ ପ୍ରିଙ୍ଗଲ ୧୫, ବାସ୍ ଡଲିଡେ ୧୪ ଏବଂ ବିକ୍ରମଜିତ ସିଂହ ୧୦ ରନର ଯୋଗଦାନ ଦେଇଛନ୍ତି। ଏହା ବ୍ୟତୀତ କଲିନ ଏକରମ୍ୟାନ ୧୭ ଏବଂ ଟମ କୁପର ୮ ରନ କରିଥିଲେ।

ୟୁଏଇ ପକ୍ଷରୁ ଜୁନୈଦ ସିଦ୍ଦିକୀ ସବୁଠୁ ସଫଳ ବୋଲର ଭାବେ ୪ ଓଭରରେ ୨୪ ରନ ଦେଇ ୩ଟି ଓ୍ଵିକେଟ୍ ନେଇଥିଲେ। ବାସିଲ ହମିଦ ଏବଂ କାର୍ତ୍ତିକ ମୟପ୍ପ ପ୍ରତ୍ୟେକ ଗୋଟିଏ ଲେଖାଏଁ ଓ୍ଵିକେଟ୍ ନେଇଥିଲେ। ଏହା ପୂର୍ବରୁ ୟୁଏଇ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରି ୮ ଓ୍ଵିକେଟ୍ ବିନିମୟରେ ୧୧୧ ରନ କରିଥିଲା। ଦଳ ପକ୍ଷରୁ ଓ୍ଵାସିମ ମହମ୍ମଦ ସର୍ବାଧିକ ୪୧ ରନର ଇନିଂସ ଖେଳିଥିଲେ। ଏଥିରେ ୧ ଚୌକା ଏବଂ ୨ ଛକା ସାମିଲ୍। ତାଙ୍କ ବ୍ୟତୀତ ବୃତ୍ୟା ଅରବିନ୍ଦ ୧୮, କାଶିଫ ଦାଉଦ ୧୫ ଏବଂ ଚିରାଗ ସୁରୀ ୧୨ ରନର ଯୋଗଦାନ ଦେଇଥିଲେ।

ନେଦରଲାଣ୍ଡ ପକ୍ଷରୁ ବୋଲିଂରେ ବାସ୍ ଡଲିଡେ ୩ ଓଭରରେ ୧୯ ରନ ଦେଇ ସର୍ବାଧିକ ୩ ଓ୍ଵିକେଟ୍ ନେଇଥିଲେ। ଫ୍ରେଡ୍ କ୍ଲାସେନ ଦୁଇଟି ଏବଂ ଟିମ୍ ପ୍ରିଙ୍ଗଲ ତଥା ରୁଲାଫ ଓ୍ଵେନ ଡର ମର୍ଭଙ୍କୁ ଗୋଟିଏ ଲେଖାଏଁ ଓ୍ଵିକେଟ୍ ମିଳିଥିଲା

Related Posts