ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଧାମନଗର ଉପନିର୍ବାଚନ ପାଇଁ ଆଜି ପ୍ରାର୍ଥିପତ୍ର ପ୍ରତ୍ୟାହାରର ଶେଷଦିନ। ଏହାକୁ ନେଇ ଏବେ ସମସ୍ତଙ୍କ ଭିତରେ ଉତ୍ସୁକତା ଲାଗିରହିଛି। ବିଶେଷକରି, ବିଜେଡିରେ ଅସନ୍ତୁଷ୍ଟ ହୋଇ ସ୍ବାଧୀନ ଭାବେ ନାମାଙ୍କନ ଦାଖଲ କରିଥିବା ରାଜେନ୍ଦ୍ର ଦାସ ନିଜ ନିଷ୍ପତ୍ତିରେ ଦୃଢ଼ ରହିବେ ନା ପ୍ରାର୍ଥିପତ୍ର ପ୍ରତ୍ୟାହାର କରିବେ, ତାହା ଉପରେ ସମସ୍ତଙ୍କ ନଜର ରହିଛି।
ଏହି ନିର୍ବାଚନରେ ବିଜେପି ପକ୍ଷରୁ ଦିବଂଗତ ବିଧାୟକ ବିଷ୍ଣୁ ସେଠୀଙ୍କ ପୁଅ ସୂର୍ଯ୍ୟବଂଶୀ ସୂରଜ, ବିଜେଡିରୁ ଅବନ୍ତୀ ଦାସ, କଂଗ୍ରେସରୁ ବାବା ହରେକୃଷ୍ଣ ସେଠୀ, ବିଦ୍ରୋହୀ ବିଜେଡି ସ୍ବାଧୀନ ପ୍ରାର୍ଥୀ ଭାବେ ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସଙ୍କ ସହ ଅନ୍ୟ ଦୁଇ ସ୍ବାଧୀନ ପ୍ରାର୍ଥୀଙ୍କୁ ମିଶାଇ ମୋଟ ୬ ଜଣ ନାମାଙ୍କନପତ୍ର ଦାଖଲ କରିଥିଲେ। ତେବେ ଗତକାଲି ନାମାଙ୍କନ ଯାଞ୍ଚ୍ ବେଳେ ସ୍ବାଧୀନ ପ୍ରାର୍ଥୀ ଶୁଭନାରାୟଣ ସେଠୀଙ୍କ ପ୍ରାର୍ଥିପତ୍ର ନାକଚ ହୋଇ ଯାଇଥିଲା। ଏଭଳି ପରିସ୍ଥିତିରେ ବର୍ତ୍ତମାନ ମଇଦାନରେ ଥିବା ୫ ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ବିଜେପି, ବିଜେଡି ଓ କଂଗ୍ରେସ ତିନି ପ୍ରମୁଖ ଦଳରୁ କେହି ପ୍ରାର୍ଥିପତ୍ର ପ୍ରତ୍ୟାହାର କରିବାର ସମ୍ଭାବନା ପ୍ରାୟ ନାହିଁ। ଅନ୍ୟ ଦୁଇ ସ୍ବାଧୀନ ପ୍ରାର୍ଥୀଙ୍କ ମଧ୍ୟରୁ କେବଳ ରାଜେନ୍ଦ୍ରଙ୍କ ଉପରେ ଏବେ ସମସ୍ତଙ୍କର ନଜର ରହିଛି। ସେ ପ୍ରାର୍ଥିପତ୍ର ପ୍ରତ୍ୟାହାର କରିବେ କି ନାହିଁ, ସେ ନେଇ ବିଜେଡିର ରାଜ୍ୟସ୍ତରୀୟ ନେତା ମଧ୍ୟ ଚିନ୍ତାରେ ଅଛନ୍ତି।
ତେବେ ରାଜେନ୍ଦ୍ର ବିଜେଡିରେ ଥାଇ ଦଳ ବିରୋଧରେ ସ୍ବାଧୀନ ପ୍ରାର୍ଥୀ ହେବା ଘଟଣା ସାରାରାଜ୍ୟରେ ଏବେ ଚର୍ଚ୍ଚାର ବିଷୟ ହୋଇଛି। କେବଳ ସେତିକି ନୁହେଁ, ନାମାଙ୍କନପତ୍ର ଦାଖଲ କରି ସେ ବିଜେଡିକୁ ଖୋଲା ଚ୍ୟାଲେଞ୍ଜ୍ ଦେଇଛନ୍ତି। ରାଜେନ୍ଦ୍ର ନିର୍ବାଚନୀ ମଇଦାନରେ ରହିଲେ ବିଜେଡିର ଭୋଟ୍ ବ୍ୟାଙ୍କ ଭାଗହେବା ଏକପ୍ରକାର ସୁନିଶ୍ଚିତ।
ଅନ୍ୟପକ୍ଷରେ, ପ୍ରାର୍ଥିପତ୍ର ପ୍ରତ୍ୟାହାର କରିବା ପାଇଁ ରାଜେନ୍ଦ୍ରଙ୍କୁ ମନାଇବା ଉଦ୍ୟମ ଅବ୍ୟାହତ ରହିଛି। ଏଥିପାଇଁ ବିଜେଡିର କିଛିନେତା ରବିବାର ଦିନସାରା ଉଦ୍ୟମ ଚଳାଇଥିଲେ। ଏପରିକି ସ୍ଥାନୀୟ କିଛି ବିଜେଡି ନେତା ଗତକାଲି ରାଜୁଙ୍କ ଘରକୁ ଯାଇ ମଧ୍ୟ ତାଙ୍କୁ ମନାଇବାକୁ ଚେଷ୍ଟା କରିଥିଲେ ହେଲେ, ପ୍ରାର୍ଥୀପତ୍ର ପ୍ରତ୍ୟାହାରର ପ୍ରଶ୍ନ ଉଠୁନାହିଁ ବୋଲି ଗଣମାଧ୍ୟମରେ ରାଜୁ ଖୋଲା ଖୋଲି କହି ସାରିଛନ୍ତି। ଏବେ ମଧ୍ୟ ସେ ନିଜ ଜିଦ୍ରେ ଅଟଳ ଥିବା ବିଶେଷସୂତ୍ରରୁ ଜଣାପଡ଼ିଛି।
ତଥାପି ସେ କଣ ନିଷ୍ପତ୍ତି ନେଉଛନ୍ତି ତାହା ଆଜି ଜଣାପଡ଼ିବ। ରାଜେନ୍ଦ୍ର ଯଦି ନିର୍ବାଚନୀ ମଇଦାନରେ ରୁହନ୍ତି, ତେବେ ବିଜେଡି ନିର୍ବାଚନରେ ବିଜୟ ହାସଲ କରିବା ପାଇଁ ନୂଆ ରଣନୀତି ପ୍ରସ୍ତୁତ କରିପାରେ। ରାଜେନ୍ଦ୍ର ଯେଉଁମାନଙ୍କୁ ନେଇ ନିର୍ବାଚନ ଲଢ଼ିବାକୁ ଯୋଜନା କରିଛନ୍ତି, ସେହି ସବୁ କର୍ମୀ ଓ ସମର୍ଥକଙ୍କ ଉପରେ କଡ଼ା ନଜର ରଖିଛି ବିଜେଡି। ରାଜେନ୍ଦ୍ରଙ୍କ ଶିବିରକୁ ନ ଯିବା ପାଇଁ ବିଜେଡି ହୁଇପ୍ ମଧ୍ୟ ଜାରି କରିପାରେ। ତେବେ, ଦଳୀୟ ପ୍ରାର୍ଥୀ ଚୟନକୁ ନେଇ ଅସନ୍ତୁଷ୍ଟ ଥିବା ଅନେକ କର୍ମୀ ହୁଇପ୍କୁ ଖାତିର କରିବେନି ବୋଲି ଖୋଲାଖୋଲି ନିଜର ପ୍ରତିକ୍ରିୟା ରଖିଛନ୍ତି।
