ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ପାଇଁ ସୋମବାର ମତଦାନ ସଂପନ୍ନ ହୋଇଛି। ଏହି ନିର୍ବାଚନ ପାଇଁ ଅଖିଳ ଭାରତୀୟ କଂଗ୍ରେସ କମିଟିର ମୁଖ୍ୟାଳୟ ସମେତ ଦେଶବ୍ୟାପୀ ୬୫ଟି ସ୍ଥାନରେ ମତଦାନ କେନ୍ଦ୍ର ହୋଇଥିଲା । ଏଠାରେ ଦଳର ସମସ୍ତ ପ୍ରତିନିଧି ମତଦାନ କରିଛନ୍ତି। ଅଧ୍ୟକ୍ଷ ପଦ ପାଇଁ ଦଳର ବରିଷ୍ଠ ନେତା ମଲ୍ଲିକାର୍ଜୁନ ଖଡଗେ ଏବଂ ସାଂସଦ ଶଶି ଥରୁରଙ୍କ ମଧ୍ୟରେ ମୁକାବିଲା ହେଉଛି।

ଆଜିର ନିର୍ବାଚନରେ ଦଳର ମୋଟ ୯୫୦୦ ପ୍ରତିନିଧି ମତଦାନ କରିଥିବା ସୂଚନା ମିଳିଛି। ସେହିଭଳି ୯୬ ପ୍ରତିଶତ ମତଦାତା ନିଜ ମତଦାନ ସାବ୍ୟସ୍ତ କରିଛନ୍ତି। ଏହି ନିର୍ବାଚନ ସମୟରେ କୌଣସି ଅପ୍ରୀତିକର ଘଟଣା ଘଟିନାହିଁ। ସୋମବାର ସାମ୍ବାଦିକ ସମ୍ମିଳନୀରେ ଏନେଇ ସୂଚନା ଦେଇଛନ୍ତି କଂଗ୍ରେସ କେନ୍ଦ୍ରୀୟ ନିର୍ବାଚନ ପ୍ରାଧିକରଣର ଅଧ୍ୟକ୍ଷ ମଧୁସୂଦନ ମିସ୍ତ୍ରୀ।

ସେ କହିଛନ୍ତି ଯେ, କଂଗ୍ରେସ ମୁଖ୍ୟାଳୟରେ ସୋନିଆ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଏବଂ ମନମୋହନ ସିଂହଙ୍କ ସମେତ ୮୭ ସଦସ୍ୟ ମତଦାନ କରିଛନ୍ତି। ନିର୍ବାଚନର ସମସ୍ତ ପ୍ରକ୍ରିୟା ସ୍ଵତନ୍ତ୍ର, ନିରପେକ୍ଷ ଏବଂ ପାରଦର୍ଶୀ ରହିଥିଲା।

ତେବେ ଏହି ନିର୍ବାଚନ ନେଇ ଦଳର ଯୋଗାଯୋଗ ବିଭାଗ ମୁଖ୍ୟ ଜୟରାମ ରମେଶ କହିଛନ୍ତି ଯେ, କଂଗ୍ରେସ ଏକମାତ୍ର ରାଜନୈତିକ ଦଳ ଯେଉଁଠି ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ ହେଉଛି। ଅନ୍ୟ କୌଣସି ଦଳରେ ଏପରି ନିର୍ବାଚନ ହୁଏ ନାହିଁ। ମତଦାନ ଦିନ କଂଗ୍ରେସ ଅଧ୍ୟକ୍ଷ ପଦର ଦୁଇ ପ୍ରାର୍ଥୀ ପରସ୍ପରକୁ ଶୁଭକାମନା ଜଣାଇଥିବା ଜୟରାମ ରମେଶ କହିଛନ୍ତି।

ଅନ୍ୟପଟେ ନିଜ ମତଦାନ ପରେ ଦଳର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀ କହିଛନ୍ତି ଯେ, ସେ ଦୀର୍ଘ ସମୟରୁ ଏହି ଦିନକୁ ଅପେକ୍ଷା କରିଥିଲେ। ସେପଟେ ରାହୁଲ ଗାନ୍ଧୀ କର୍ଣ୍ଣାଟକର ବେଲ୍ଲାରିରେ ଭାରତ ଯୋଡୋ ଯାତ୍ରାରେ ନିର୍ମିତ କଣ୍ଟେନର ବିଶିଷ୍ଟ ବିଶ୍ରାମ ଶିବିରରେ ମତଦାନ କେନ୍ଦ୍ରରେ ଭୋଟ୍ ଦେଇଛନ୍ତି। ସେଠାରେ ତାଙ୍କ ସହିତ ପ୍ରାୟ ୪୦ ନେତା ମତଦାନ କରିଛନ୍ତି।

ଦଳର ମୁଖ୍ୟାଳୟରେ ବରିଷ୍ଠ ନେତା ପି ଚିଦାମ୍ବରମ ସର୍ବ ପ୍ରଥମେ ମତଦାନ କରିଛନ୍ତି। ଏହା ପରେ ପାର୍ଟିର ସାଧାରଣ ସଂପାଦକ ଜୟରାମ ରମେଶ, ଅଜୟ ମାକନ, ମୁକୁଲ ଓ୍ଵାସନିକ, ବରିଷ୍ଠ ନେତା ଅମ୍ବିକା ସୋନି, ବିବେକ ତନଖା ଏବଂ ଅନ୍ୟ ନେତା ମତଦାନ କରିଛନ୍ତି।

ସୂଚନାଯୋଗ୍ୟ ଯେ, କଂଗ୍ରେସ ଦଳର ୧୩୭ ବର୍ଷର ଇତିହାସରେ ଷଷ୍ଠ ଥର ପାଇଁ ଅଧ୍ୟକ୍ଷ ନିର୍ବାଚନ ଅନୁଷ୍ଠିତ ହୋଇଛି। ପାର୍ଟିର ସାଧାରଣ ସଂପାଦକ ଜୟରାମ ରମେଶଙ୍କ ସୂଚନା ଅନୁଯାୟୀ, ଅଧ୍ୟକ୍ଷ ପଦ ପାଇଁ ୧୯୩୯, ୧୯୫୦, ୧୯୭୭, ୧୯୯୭ ଏବଂ ୨୦୦୦ ମସିହାରେ ନିର୍ବାଚନ ହୋଇଥିଲା। ତେବେ ବର୍ତ୍ତମାନ ଦୀର୍ଘ ୨୨ ବର୍ଷ ପରେ ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ ହେଉଛି। ଏହି ନିର୍ବାଚନର ଫଳାଫଳ ଅକ୍ଟୋବର ୧୯ରେ ଘୋଷଣା କରାଯିବ।