ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ବ୍ଲାକ୍ମେଲର ଅର୍ଚ୍ଚନା ନାଗ ମାମଲା ଏବେ ରାଜ୍ୟ ଛଡା ରାଜ୍ୟ ବାହାରେ ମଧ୍ୟ ଚର୍ଚ୍ଚାର ବିଷୟ ପାଲଟିଲାଣି। ଜାତୀୟ ଗଣମାଧ୍ୟମରେ ଏହାକୁ ନେଇ ଚର୍ଚ୍ଚା ଆରମ୍ଭ ହେଲାଣି। ଏସବୁ ଭିତରେ ଅର୍ଚ୍ଚନାକୁ କମିସନରେଟ ପୋଲିସ ଗିରଫ କରିବାକୁ ଦୁଇ ସପ୍ତାହ ହେଲାଣି। ହେଲେ ଏହି ମାମଲାରେ ପୁଲିସର ତଦନ୍ତର କେଉଁଆଡେ ଯାଉଛି ତାହା କେହି ଜାଣି ପାରୁ ନାହାନ୍ତି।
ବିଶେଷକରି ଚର୍ଚ୍ଚାକୁ ଆସିଥିବା ନେତା, ପୁଲିସ, ଅଧିକାରୀ, ବ୍ୟବସାୟୀ ଆଦିଙ୍କ ମଧ୍ୟରୁ ପୁଲିସ କାହାକୁ କାହାକୁ ପଚରାଉଚରା କରୁଛି? କେଉଁମାନଙ୍କୁ ସାକ୍ଷୀ ଭାବେ ପୁଲିସ ତଦନ୍ତ ପରିସରଭୁକ୍ତ କଲା? ଯେଉଁମାନେ ସାକ୍ଷୀ ହେଲେ, ସେମାନେ କ’ଣ କହିଲେ? ଅର୍ଚ୍ଚନାଙ୍କ ଘରୁ ପୁଲିସ ନଗଦ କେତେ ଟଙ୍କା, ଦାମୀ କାର ଓ ବାଇକ ଜବତ କଲା? ଜେରା ବେଳେ ଜଗବନ୍ଧୁ ପୁଲିସକୁ କ’ଣ କହିଲେ? ଯେଉଁ ମୋବାଇଲ ଫୋନ୍, ହାର୍ଡଡିସ୍କ, ଟାବଲେଟ୍ ଆଦି ଜବତ ହୋଇଛି ସେଥିରୁ ପୁଲିସ କ’ଣ ପାଇଲା? ଏତେ ସବୁ ପ୍ରଶ୍ନ ସଂପର୍କରେ ନା ତଦନ୍ତକାରୀ ଅଧିକାରୀ କିଛି ସୂଚନା ଦେଉଛନ୍ତି ନା ନିଜେ ଡିସିପି କିମ୍ବା ପୁଲିସ କମିସନର ଉତ୍ତର ରଖୁଛନ୍ତି। ଏହି ମାମଲାଟି ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚାକୁ ଆସିବା ପରେ ଏବେ ଆଇନଜୀବୀ ଓ ବୁଦ୍ଧିଜୀବୀ ପ୍ରଶ୍ନ କଲେଣି ଯେ ଏସବୁ ପ୍ରଶ୍ନର ଉତ୍ତର ପୁଲିସ ତାର କେସ୍ ଡାଇରିରେ ଲେଖିବ ତ?
କେସ୍ ଡାଏରିକୁ ସମସ୍ତଙ୍କ ଅପେକ୍ଷା
ଯାହା ସୂଚନା ମିଳିଛି, ଖୁବ୍ଶୀଘ୍ର ପୁଲିସ କୋର୍ଟରେ କେସ୍ ଡାଇରି ଦାଖଲ କରିବାକୁ ଚିନ୍ତା କରୁଛି। ତଦନ୍ତର ଅଗ୍ରଗତି ସଂକ୍ରାନ୍ତ ସବିଶେଷ ତଥ୍ୟ କୋର୍ଟରେ ଦାଖଲ କରିବାକୁ ହେବ। ଆଇନଜୀବୀ ବନ ମହାନ୍ତିଙ୍କ କହିବା ମୁତାବକ, ଅର୍ଚ୍ଚନାଙ୍କ ସହିତ ସମ୍ପର୍କରେ ଥିବା ନେତା, ମନ୍ତ୍ରୀ, ବରିଷ୍ଠ ପ୍ରଶାସନିକ ଅଧିକାରୀ, ବିଲଡର, ସୁନା ବ୍ୟବସାୟୀଙ୍କ ନାଁ ପୁଲିସ ତାର କେସ୍ ଡାଇରିରେ ରଖିବ କି ନାହିଁ ତାହା ସନ୍ଦେହ ଘେରରେ। ଏମାନଙ୍କ ନାଁ ପୁଲିସ ତାର କେସ୍ ଡାଇରିରେ ରଖିଲେ ନିଜେ ହିଁ ଅଡ଼ୁଆ ପରିସ୍ଥିତିରେ ପଡ଼ିପାରେ। କାରଣ ଏକାଧିକ ନେତା ଶାସକ ଦଳର। ଅନ୍ୟପଟେ ଯଦି ପୁଲିସ ଏସବୁ ଦିଗକୁ କେସ୍ ଡାଇରିରେ ଉଲ୍ଲେଖ ନ କରେ ଗଣମାଧ୍ୟମରେ ଯାହା ସବୁ ଚର୍ଚା ହେଉଥିଲା ତାହା ପାଣିରେ ମିଳାଇ ଯିବ ବୋଲି ଶ୍ରୀ ମହାନ୍ତି କହିଛନ୍ତି।
ସେହିପରି ମହିଳା ଆଇନଜୀବୀ ବବିତା କର କହିଛନ୍ତି ଯେ ଯେଉଁମାନଙ୍କ ନାଁ ଚର୍ଚ୍ଚା ହେଉଛି ସେମାନଙ୍କୁ ପୁଲିସ ପଚରା ଉଚରା କରିବା କଥା। ଆଉ ସେମାନଙ୍କୁ ଯଦି ପୁଲିସ ପଚରା ଉଚରା କରିଥିବ ନିଶ୍ଚିତ ଭାବେ ତାହା କେସ ଡାଇରିରେ ଉଲ୍ଲେଖ କରିବ। ଅର୍ଚ୍ଚନାଙ୍କୁ ଏକାଧିକ ନେତା ଗିଫ୍ଟ ଭାବେ କାର, ସୁନାଗହଣା, ଭ୍ୟାନିଟି ଭଳି ଅନେକ ଦାମୀ ଉପହାର ଦେଇଛନ୍ତି। ସେସବୁ ମଧ୍ୟ ପୁଲିସ କେସ୍ ଡାଇରିରେ ଲେଖିବା ଆବଶ୍ୟକ।
ପ୍ରଶ୍ନ ଘେରରେ ଇଡି, ଆୟକର ବିଭାଗ ନିରବତା
ବୁଦ୍ଧିଜୀବୀ ମହଲର କହିବା କଥା ହେଉଛି ଯେ ଏହି ଗୋଟିଏ ମାମଲାରେ ପୁଲିସ କମିସନରେଟ ପୁଲିସର ବିଶ୍ବସନୀୟତା ଓ ନିଷ୍ଠା ସାମ୍ନାକୁ ଆସିବ। ଯଦି ଆପାତତଃ ପ୍ରମାଣ ଥିବା ନେତା, ଅଧିକାରୀ, ବ୍ୟବସାୟୀଙ୍କୁ ମାମଲାର ପରିସରଭୁକ୍ତ ନ କରାଯାଏ, ତେବେ ପୁଲିସକୁ ଲୋକେ ସନ୍ଦେହ ଚକ୍ଷୁରେ ଦେଖିବେ। ଗତ ଦୁଇ ଦଶନ୍ଧି ମଧ୍ୟରେ ଏତେ ସମ୍ବେଦନଶୀଳ ମାମଲା ଆଉ କେବେ ସାମ୍ନାକୁ ଆସିନଥିଲା। ଏହା ପୁଣି ଖୋଦ୍ ରାଜଧାନୀରେ ଘଟିଛି। ଏଣୁ ପୁଲିସ ପାଇଁ ଚ୍ୟାଲେଞ୍ଜର ବିଷୟ। ଦ୍ବିତୀୟତଃ, ଏହି ମାମଲାରେ ଏଯାଏ ଇଡି ଓ ଆୟକର ବିଭାଗ ତଦନ୍ତ ଆରମ୍ଭ ନ କରିବା ମଧ୍ୟ ବିସ୍ମିତ କଲାଭଳି ଗୋଟିଏ ଘଟଣା। ରାଜ୍ୟ ବିଜେପି ନେତା ଏଠି ରାଜ୍ୟ ସରକାରଙ୍କୁ ଘେରୁଛନ୍ତି। ଅଥଚ ଏହି ମାମଲାରେ କେନ୍ଦ୍ରୀୟ ତଦନ୍ତ ସଂସ୍ଥା ନିଜ ଆଡୁ କାହିଁକି ହସ୍ତକ୍ଷେପ କରୁନାହିଁ, ସେ ନେଇ ସେମାନେ କୌଣସି ମତମନ୍ତବ୍ୟ ଦେଉନାହାନ୍ତି। ଆଉ କେଉଁ ଭଳି ଘଟଣା ଘଟିଲେ, ଏମାନେ ହସ୍ତକ୍ଷେପ କରିବେ ବା ତଦନ୍ତ କରିବେ?
ଏଠାରେ ଉଲ୍ଲେଖଥାଉକି, ଅର୍ଚ୍ଚନା ବିରୋଧରେ ନୂଆପଲ୍ଲୀ ଓ ଖଣ୍ଡଗିରି ଥାନା ଭଳି ଆଉ ୩ଟି ମାମଲା ପୂର୍ବରୁ ଥିଲା। ପୁଲିସ ଏସବୁର ମାମଲାକୁ ଟ୍ୟାଗ୍ କଲାଣି କି ବୋଲି ଆଇନଜୀବୀମାନେ ପ୍ରଶ୍ନ ଉଠାଇଛନ୍ତି। କାରଣ ଯେତେଟୋ କେସ୍ ହେବ ପୁଲିସକୁ ସବୁର ଅଲଗା ଅଲଗା କେସ୍ ଡାଇରି କୋର୍ଟରେ ଦାଖଲ କରିବ। କେସ୍ ଡାଇରି ହିଁ ସ୍ପଷ୍ଟ କରିଦେବ ପୁଲିସ ତଦନ୍ତ କେତେଦୂର ଠିକ୍ ହୋଇଛି।
ଅର୍ଚ୍ଚନାଙ୍କ ଜାମିନ୍ ଆବେଦନ ଖାରଜ
ଅର୍ଚ୍ଚନାଙ୍କ ଜାମିନ୍ ଆବେଦନ ଗତକାଲି ଭୁବନେଶ୍ୱର ଏସଡିଜେଏମଙ୍କ କୋର୍ଟରେ ଖାରଜ ହୋଇଯାଇଛି। ଶୁକ୍ରବାର ଅର୍ଚ୍ଚନାଙ୍କ ପକ୍ଷରୁ ମାମଲା ପରିଚଳାନା କରୁଥିବା ଆଇନଜୀବୀ ଦେବ ମହାପାତ୍ର କୋର୍ଟରେ ଜାମିନ ଆବେଦନ କରିଥିଲେ। କୋର୍ଟ ଉଭୟ ପକ୍ଷଙ୍କ ଶୁଣାଣି କରି ଆବେଦନ ଖାରଜ କରିଥିବା ସୂଚନା ମିଳିଛି। ତେବେ ପୁଲିସର କେସ୍ ଡାଏରି ସହିତ ଆଉ କିଛି କାଗଜପତ୍ରକୁ ଅପେକ୍ଷା କରାଯାଇଛି। କାଗଜପତ୍ର ମିଳିଗଲେ ଜିଲ୍ଲା ଦୌରାଜଜଙ୍କ କୋର୍ଟରେ ଅର୍ଚ୍ଚନାଙ୍କ ଜାମିନ ପାଇଁ ପୁଣି ଥରେ ଆବେଦନ କରାଯିବ ବୋଲି ଅର୍ଚ୍ଚନାଙ୍କ ଆଇନଜୀବୀ ଆଇନଜୀବୀ ଶ୍ରୀ ମହାପାତ୍ର କହିଛନ୍ତି।
ଜେଲରେ ଅର୍ଚ୍ଚନାକୁ ପୋଲିସର ଜେରା
ଇତିମଧ୍ୟରେ କମିସନରେଟ ପୁଲିସର ଏକ ସ୍ବତନ୍ତ୍ର ଟିମ୍ ଝାରପଡ଼ା ଜେଲ ଯାଇ ଅର୍ଚ୍ଚନାଙ୍କୁ ପଚରାଉଚରା କରିଥିବା ସୂଚନା ମିଳିଛି। ନୂ୍ଆପଲ୍ଲୀ, ଖଣ୍ଡଗିରି ଛଡ଼ା କ୍ୟାପିଟାଲ ଥାନା ସମତେ ଅନ୍ୟ ଥାନାରେ ହୋଇଥିବା କେସଗୁଡ଼ିକ ସମ୍ପର୍କରେ ମଧ୍ୟ ପୁଲିସ ତାଙ୍କୁ ଜେରା କରିଛି। କିପରି ସେ ନିଜର ଏହି କଳା ସାମ୍ରାଜ୍ୟ ଆରମ୍ଭ କରିଥିଲେ। ତାଙ୍କ ପଛରେ କେଉଁମାନେ ଅଛନ୍ତି। ଏତେ ଅଳ୍ପ ଦିନରେ ସେ କେମିତି କୋଟି କୋଟି ଟଙ୍କା ସମ୍ପତ୍ତିର ମାଲିକାଣୀ ହେଲେ ତାହା ମଧ୍ୟ ପୁଲିସ ତାଙ୍କୁ ପଚାରିଛି। ପୁଲିସ ପ୍ରଶ୍ନର ସେ ସମସ୍ତ ଉତ୍ତର ରଖିଥିବା କୁହାଯାଉଛି।
