ମାର୍ଚ୍ଚରେ ଯୁକ୍ତ ୨ ପରୀକ୍ଷା, ସିଏଚ୍‌ଏସ୍‌ଇ ପକ୍ଷରୁ ଆରମ୍ଭ ହେଲା ପ୍ରସ୍ତୁତି

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ୨୦୨୩ ମସିହା ମାର୍ଚ୍ଚ ମାସରେ ଯୁକ୍ତ ୨ ଥିଓରି ପରୀକ୍ଷା ଅନୁଷ୍ଠିତ ହେବ। ଏହା ପୂର୍ବରୁ ଜାନୁଆରି ଶେଷରେ କିମ୍ବା ଫେବୃଆରୀ ପ୍ରଥମ ସପ୍ତାହରେ ପ୍ରାକ୍ଟିକାଲ ପରୀକ୍ଷା ହେବ। ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍‌ଏସ୍‌ଇ) ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ବିଗତ ଦୁଇ ବର୍ଷ ହେଲା କୋଭିଡ୍‌ ସଂକ୍ରମଣ ଯୋଗୁଁ ଛାତ୍ରଛାତ୍ରୀଙ୍କ ପାଠପଢ଼ା ପ୍ରଭାବିତ ହେବା ସହ ପରୀକ୍ଷା ପରିଚାଳନାରେ ସମସ୍ୟା ସୃଷ୍ଟି ହୋଇଥିଲା। ତେଣୁ ଚଳିତ ଥର ଯେପରି ନିର୍ଦ୍ଧାରିତ ସମୟରେ ସମସ୍ତ ପ୍ରକ୍ରିୟା ଅନୁଷ୍ଠିତ ହେବ, ସେନେଇ ପରିଷଦ ପକ୍ଷରୁ ରୂପରେଖ ପ୍ରସ୍ତୁତ କରାଯାଇଛି।

ଚଳିତ ବର୍ଷ ପାଖାପାଖି ୩ଲକ୍ଷ ୬୦ ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେବାକୁ ଥିବାରୁ ଖୁବ୍‌ଶୀଘ୍ର ଫର୍ମ ପୂରଣ ପ୍ରକ୍ରିୟା ଆରମ୍ଭ କରିବାକୁ ସିଏଚ୍‌ଏସ୍‌ଇ ନିଷ୍ପତ୍ତି ନେଇଛି। ଉଭୟ ରେଗୁଲାର ଓ ଏକ୍ସ-ରେଗୁଲାର ଛାତ୍ରଛାତ୍ରୀଙ୍କ ଫର୍ମ ପୂରଣ ପ୍ରକ୍ରିୟା ଏକା ସମୟରେ ଅନୁଷ୍ଠିତ ହେବ। ବିନା ‌ଜରିମାନାରେ ଯେଉଁମାନେ ଫର୍ମ ପୂରଣ କରି ନ ପାରିବେ, ସେମାନଙ୍କୁ ଦୁଇଟି ସୁଯୋଗ ଦିଆଯିବ। ନ‌ଭେମ୍ବର ୧୫ସୁଦ୍ଧା ଫର୍ମ ପୂରଣ ପ୍ରକ୍ରିୟା ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି।

ଅନ୍ୟପକ୍ଷରେ ପରୀକ୍ଷା ପରିଚାଳନା ଲାଗି ନିୟୋଜିତ ହେବାକୁ ଥିବା ଅଧ୍ୟାପକ ତଥା ପରୀକ୍ଷକଙ୍କ ତାଲିକା ପରିଷଦ ପକ୍ଷରୁ ପ୍ରସ୍ତୁତ କରାଯାଉଛି। ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ତଥା ଯୁକ୍ତ ୨ କଲେଜଗୁଡ଼ିକରେ କେତେ ସଂଖ୍ୟକ ଅଧ୍ୟାପକ ରହିଛନ୍ତି, ତାହାର ତାଲିକା ଅକ୍ଟୋବର ୧୯ରୁ ନଭେମ୍ବର ୭ ତାରିଖ ମଧ୍ୟରେ ପ୍ରଦାନ କରିବାକୁ ରାଜ୍ୟର ସମସ୍ତ କଲେଜ ଅଧ୍ୟକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଛି। କେଉଁ ଫର୍ମାଟ୍‌ରେ ଅଧ୍ୟାପକଙ୍କ ସ୍ଥିତି ସମ୍ପର୍କରେ ଅଧ୍ୟକ୍ଷମାନେ ତଥ୍ୟ ପ୍ରଦାନ କରିବେ, ତାହା ସାମ୍‌ସ ପୋର୍ଟାଲରେ ଉଲ୍ଲେଖ ହୋଇଛି। ଯେଉଁ ଅଧ୍ୟାପକମାନଙ୍କ ତଥ୍ୟ ପ୍ରଦାନ କରିବେ, ସେମାନଙ୍କ ଯୋଗ୍ୟତା ଜୁନିଅର ଅଧ୍ୟାପକ/ପିଜିଟିରୁ କମ୍‌ ହୋଇ ନଥିବା ଆବଶ୍ୟକ। ଅନ୍‌ଲାଇନ୍‌ରେ ଷ୍ଟାଫ୍‌ ଇନ୍‌ ପୋ‌ଜିସନ୍‌(ଏସ୍‌ଆଇପି) ଲିଙ୍କ୍‌ ଉପରେ କ୍ଲିକ୍‌ କରି ଅଧ୍ୟାପକଙ୍କ ଗ୍ରେଡେସନ୍‌ ତାଲିକା ପ୍ରଦାନ କରିବେ। ତାଲିକାରେ ସ୍ଥାନ ପାଇଥିବା ଅଧ୍ୟାପକମାନେ ଯୁକ୍ତ୨ ବାର୍ଷିକ ପରୀକ୍ଷାରେ ପରୀକ୍ଷକ ଦାୟିତ୍ବ ତୁଲାଇବେ। ସେମାନଙ୍କ ମୋବାଇଲ୍‌ ନମ୍ବର ମଧ୍ୟ ପ୍ରଦାନ କରିବାକୁ ଅଧ୍ୟକ୍ଷମାନଙ୍କୁ କୁହାଯାଇଛି। ତେବେ ଅସମ୍ପୂର୍ଣ୍ଣ/ଭୁଲ ତଥ୍ୟ ଦାଖଲ କରିଥିଲେ କିମ୍ବା ଆଦୌ ତଥ୍ୟ ପ୍ରଦାନ କରି ନ ଥିଲେ ସମ୍ପୃକ୍ତ କଲେଜ ବିରୋଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ସରକାରଙ୍କୁ ଜଣାଇ ଦିଆଯିବ ବୋଲି ସିଏଚ୍‌ଏସ୍‌ଇ ପକ୍ଷରୁ ଚିଠିରେ ଉଲ୍ଲେଖ ରହିଛି।

Related Posts