ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ରାଜଗାଙ୍ଗପୁର ପୌରପାଳିକା ଟ୍ୟାକ୍ସ କଲେକ୍ଟର ଏମଡି ନାସିର। ହୋଲଡିଂ ଟିକସ କମ୍ କରିବା ନାଁରେ ୧୩ ହଜାର ଟଙ୍କା ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି।

ସୂଚନାନୁଯାୟୀ, ରାଜଗାଙ୍ଗପୁର ପୌରପାଳିକାର ଟ୍ୟାକ୍ସ କଲେକ୍ଟର ଏମଡି ନାସିର ପୌରପାଳିକା ଅନ୍ତର୍ଗତ ୬ ନମ୍ଵର ୱାର୍ଡର ଦୀପକ ଠାକୁରଙ୍କ ପୈତୃକ ଘରର ବିଗତ ତିନି ବର୍ଷର ହୋଲଡିଂ ଟ୍ୟାକ୍ସକୁ ଅପଡେଟ କରି ଟ୍ୟାକ୍ସ ହ୍ରାସ କରିବା ନାଁରେ ୧୩ ହଜାର ଟଙ୍କା ଲାଞ୍ଚ ମାଗିଥିଲେ।ଏହି ବାବଦରେ ଦୀପକ ଠାକୁର ଭିଜିଲାନ୍ସକୁ ଜଣାଇଥିଲେ। ଆଜି ସକାଳ ୧୦ଟା ସମୟରେ ୧୩ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ପୌରପାଳିକା ଟ୍ୟାକ୍ସ କଲେକ୍ଟର ଏମଡି ନାସିରଙ୍କୁ ପୂର୍ବରୁ ଛକି ବସିଥିବା ଭିଜିଲାନ୍ସ ଅଧିକାରୀମାନେ ମାଡି ବସିଥିଲେ । ବିଭାଗୀୟ ଅଧିକାରୀ ଏମଡି ନାସିରଙ୍କ ଠାରୁ ଲାଞ୍ଚ ଟଙ୍କା ଜବତ କରି ତାଙ୍କ କାର୍ଯ୍ୟାଳୟରେ ଚଢ଼ାଉ କରି ଏହି ମାମଲା ସମସ୍ତ କାଗଜପତ୍ରକୁ ଜବତ କରିଛନ୍ତି । ରାଉରକେଲା ଏସପିଙ୍କ ନିର୍ଦ୍ଦେଶ କ୍ରମେ ସୁନ୍ଦରଗଡ଼ ଓ ଝାରସୁଗୁଡାର ଟିମ୍ ଏହି ଚଢ଼ାଉରେ ସାମିଲ ଥିବା ସୂଚନା ମିଳିଛି । ରାଉରକେଲା ଭିଜିଲାନ୍ସ ବିଭାଗ ଏକ ମାମଲା ରୁଜୁ କରି ଅଭିଯୁକ୍ତ ମହମ୍ମଦ ନାସିରଙ୍କ ବିରୋଧରେ ଅଧିକ ତଦନ୍ତ ଜାରି ରଖିଛି।