ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ରାଜଧାନୀ ଦିଲ୍ଲୀରେ ଏଣିକି ବାଣ ଫୁଟାଇଲେ ହେବ କଡା କାର୍ଯ୍ୟାନୁଷ୍ଠାନ। ଭୋଗିବାକୁ ପଡିବ ଜେଲ୍ ଦଣ୍ଡ। ଦିଲ୍ଲୀରେ ବାଣ ଫୁଟାଇଲେ ୬ ମାସର ଜେଲ ଦଣ୍ଡ ସାଙ୍ଗକୁ ଦେବାକୁ ପଡିବ ଜରିମାନା। ଆଜି ଏଭଳି ଏକ ନିର୍ଦ୍ଦେଶନାମା ଜାରି କରିଛନ୍ତି ଦିଲ୍ଲୀ ସରକାର। ପୂର୍ବରୁ ଦିଲ୍ଲୀରେ ବାଣ ଫୁଟାଇବା ନେଇ ସରକାର ବ୍ୟାନ୍ ଲଗାଇଛନ୍ତି। ବର୍ତ୍ତମାନ ଆଉ ଏକ ନୂଆ ନିର୍ଦ୍ଦେଶନାମା ଜାରି କରି ବାଣ ଫୁଟାଇଲେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ୨୦୦ ଟଙ୍କା ଜରିମାନା ସହ ୬ ମାସ ଜେଲ ଦଣ୍ଡ ଭୋଗିବାକୁ ପଡିବ ବୋଲି କୁହାଯାଇଛି। ଦିଲ୍ଲୀ ପରିବେଶ ମନ୍ତ୍ରୀ ଗୋପାଳ ରାୟ ଏନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।
ସୂଚନା ଅନୁସାରେ, ବାଣ କିଣିବା ଓ ତାକୁ ପୁଟାଇଲେ ୨୦୦ ଟଙ୍କା ଜରିମାନା ଦେବାକୁ ପଡିବ। ଏଥିସହ ୬ ମାସର ଜେଲ ଦଣ୍ଡ ମଧ୍ୟ ଭୋଗିବାକୁ ପଡିବ। ଏଥିସହ ଯେଉଁମାନେ ବାଣ ଗଚ୍ଛିତ କରି ରଖିବେ ଓ ତାକୁ ବିକ୍ରିରେ ସାମିଲ କରିବେ ତାଙ୍କୁ ୫ ହଜାର ଟଙ୍କା ଜରିମାନା ଦେବାକୁ ପଡିବ । ଏଥିସହ ତିନି ବର୍ଷ ପାଇଁ ଜେଲ୍ ମଧ୍ୟ ଯିବାକୁ ପଡିବ।
ଦିଲ୍ଲୀରେ ଯେପରି ଏହି ନିର୍ଦ୍ଦେଶ କଡାକଡି ପାଳନ ହେବ ସେଥିପାଇଁ ସରକାରଙ୍କ ପକ୍ଷରୁ ୪୦୮ଟି ଟିମ୍ ଗଠନ କରାଯାଇଛି। ଆସିଷ୍ଟାଣ୍ଡ କମିଶନରଙ୍କ ଅଧ୍ୟକ୍ଷତାରେ ଦିଲ୍ଲୀ ପୁଲିସ ୨୧୦ଟି ଟିମ୍ ଗଠନ କରିଛି। ସେହିପରି ଆୟକର ବିଭାଗ ଅଧିନରେ ୧୬୫ ଟିମ୍ ତିଆରି କରିଛି ଓ ଦିଲ୍ଲୀ ପ୍ରଦୂଷଣ ନିୟନ୍ତ୍ରଣ କମିଟି ପୂରା ସହରରେ ୩୩ଟି ଟିମ୍କୁ ନିୟୋଜିତ କରିଛି।
ସେପ୍ଟେମ୍ବର ମାସରେ ଦିଲ୍ଲୀ ସରକାର ବାଣ ଉପରେ ସମ୍ପୂର୍ଣ୍ଣ ବ୍ୟାନ୍ ଲଗାଇଥିଲେ। ବିକ୍ରି କରିବାଠାରୁ ଆରମ୍ଭ କରି ଫୁଟାଇବା ଯାଏଁ ପ୍ରତିଟି ଜିନିଷ ଉପରେ ପ୍ରତିବନ୍ଧକ ଲଗାଯାଇଥିଲା। ଏହି ନିର୍ଦ୍ଦେଶ ୨୦୨୩ ଜାନୁଆରୀ ୧ ପର୍ଯ୍ୟନ୍ତ ଜାରି ରହିବ। ତେବେ ଗତ ଦୁଇ ବର୍ଷ ଧରି ନିରନ୍ତର ପ୍ରଦୂଷଣକୁ ନିୟନ୍ତ୍ରଣ କରିବା ପାଇଁ ଦିଲ୍ଲୀର କେଜ୍ରିୱାଲ ସରକାର ଏହି ପଦକ୍ଷେପ ନେଉଛନ୍ତି।
